ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପଦରୁ ଶରତଙ୍କୁ କରାଯାଇପାରେ ଅପସାରଣ
ଭୁବନେଶ୍ୱର : ଯେଉଁ ଦିନ କଂଗ୍ରେସ ସଭାପତି ପିସିସି ସଭାପତିଙ୍କୁ ନିଯୁକ୍ତ କରନ୍ତି, ସେହିଦିନ ଠାରୁ ତାଙ୍କ ହଟାଇବା ପାଇଁ ଏକ ଗୋଷ୍ଠୀ ସଜବାଜ ହୋଇଯାଇଥାଏ। ବର୍ତ୍ତମାନ ସେପରି କିଛି ସ୍ଥିତି ଉପୁଜିନାହିଁ। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନ ଯାଏଁ ରହିବେ ନା ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ନିଜସ୍ୱ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଅପେକ୍ଷା ଶ୍ରୀ ପଟ୍ଟନାୟକ ଏଆଇସିସି ପ୍ରେସ୍ ରିଲିଜକୁ ଅପେକ୍ଷା କରି ରହୁଛନ୍ତି। ରାଜ୍ୟରେ ଅଣ ବିଜେପି ଓ ଅଣ ବିଜେଡି ଦଳ ମାନଙ୍କୁ ଏକାଠି କରି ଯେଉଁ ରାଜନୈତିକ କାର୍ଯ୍ୟକ୍ରମ କରିବା କଥା, ତାହା ହେଉନାହିଁ। ତେଣୁ ଆଗାମୀ ଦିନରେ ସାରା ଦେଶରେ ୟୁପିଏକୁ ଶକ୍ତିଶାଳୀ କରିବା ପାଇଁ ଏକ ପଲିଟିକାଲ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ଏହି କ୍ରମରେ କେତେକ ପ୍ରଭାରୀ ଏବଂ ପିସିସି ସଭାପତିକୁ ସର୍ବଭାରତୀୟ ଦାୟିତ୍ୱ ଦିଆଯିବାର ଆଭାସ ମିଳିଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାରଙ୍କ ପରେ ପିସିସି ସଭାପତି ପରିବର୍ତ୍ତନ ନେଇ ଏଆଇସିସି ଚିନ୍ତା କରୁଛି।
ମାତ୍ର ଅତି ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଓ କୁମାରୀ ଶୈଳଜାଙ୍କ ଲବି ଶରତଚଙ୍କ ପଛରେ ରହିଛି। ତେଣୁ ତାଙ୍କୁ ଅପସାରଣ ହେବା ପୂର୍ବରୁ କଂଗ୍ରେସର ୨ ଗୋଷ୍ଠୀଙ୍କ ମଧ୍ୟରେ ଉଚ୍ଚବାଚ ହେବାର ଆଶଙ୍କା ରହିଛି। ୧୯୯୦ରେ କଂଗ୍ରେସର ବିପର୍ଯ୍ୟୟ ପରେ ୧୯୯୫ରେ କଂଗ୍ରେସ ଶାସନକୁ ଫେରିଥିଲା। ସେସମୟରେ ଶରତ ପଟ୍ଟନାୟକ ଯୁବ କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିଲେ। ମାତ୍ର ସେ ପରିସ୍ଥିତି ଭିନ୍ନ କଂଗ୍ରେସ 10ଟି ଆସନ ପାଇଥିଲେ ବି 30 ପ୍ରତିଶତ ଭୋଟ ରଖିଥିଲା। ହେଲେ ବର୍ତ୍ତମାନ କଂଗ୍ରେସର ଏହି ଭୋଟ ପ୍ରତିଶତ ଅଧା ହୋଇଯାଇଛି। ତେଣୁ ୯ରୁ ୯୦ ସ୍ଲୋଗାନ ଏକ ଧୁଆଁବାଣ ବୋଲି ପ୍ରତୀୟମାନ ହେଉଛି। ୧୯୯୦ରେ ବିଜୁ ବାବୁ ଏବଂ 1995ରେ ଜାନକୀ ବାବୁ ବାମ ଦଳ ଗୁଡ଼ିକୁ ସାଙ୍ଗରେ ସରକାର ଗଢିଥିଲେ। ହେଲେ ବର୍ତ୍ତମାନ କଂଗ୍ରେସ ସେପରି କିଛି କାର୍ଯ୍ୟକ୍ରମ ନେଇ ଏତେଟା ଆଗ୍ରହ ପ୍ରକାଶ କରୁନାହିଁ। କଂଗ୍ରେସ ମଧ୍ୟ ବିଭିନ୍ନ ରାଜ୍ୟରେ ସର୍ଭେ ଆରମ୍ଭ କରିଛି। ଏହି କ୍ରମରେ କେତେକ ରିପୋର୍ଟକୁ ଶରତ ପଟ୍ଟନାୟକଙ୍କୁ ଜଣେ ଭଲ ଲୋକ ତଥା କଂଗ୍ରେସ ସମର୍ଥକ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ତାଙ୍କୁ ପିସିସିରୁ ଅପସାରିତ କରିବା ନେଇ ପ୍ରସ୍ତାବ ଦେଇଛି। ତେଣୁ ଆଗାମୀ ଦିନରେ ମଲ୍ଲିକାର୍ଜୁନ ଖଡଗେ ଏବଂ ଗାନ୍ଧୀ ପରିବାର କି ନିଷ୍ପତ୍ତି ନେଉଛନ୍ତି। ତାହା ଉପରେ ସମସ୍ତଙ୍କ ନଜର ରହିବ।