ଓଡ଼ିଆଙ୍କୁ ମହଙ୍ଗା ବିଜୁଳି ଦେୟ

ଭୁବନେଶ୍ୱର : ସାରା ରାଜ୍ୟରେ ଲଗାତର ଅଘୋଷିତ ବିଜୁଳି କାଟ୍ । ଏହି କାରଣରୁ ସାମାଜିକ ସଙ୍ଗଠନ ଏବଂ ରାଜନୈତିକ ଦଳ ସରକାର ଏବଂ ଆବଣ୍ଟନ ସଂସ୍ଥା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିଦିନ ବିଜୁଳି ସେବା ନେଇ ପ୍ରତିବାଦ ରାଜ୍ୟରେ କୌଣସି ନା କୌଣସି ସ୍ଥାନରେ ଜାରି ରହିଛି। ହେଲେ ପଶ୍ଚିମ ଭାରତର ମହାରାଷ୍ଟ୍ର, ଉତ୍ତର-ପୂର୍ବର ଆସାମ ଓ ମିଜୋରାମକୁ ଛାଡ଼ିଦେଲେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମୂଲ୍ୟ ପୈଠ ଓଡ଼ିଆମାନେ କରି ଆସୁଛନ୍ତି। ଜାତୀୟସ୍ତରରେ ସାଧାରଣ ଗ୍ରାହକ ପୈଠ କରୁଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟ ଠାରୁ ୟୁନିଟ୍ ପିଛା ୯୦ ପଇସା ଅଧିକ ଓଡ଼ିଶାର ଜନସାଧାରଣ ପୈଠ କରୁଛନ୍ତି।
ନିକଟରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାୱାର ଫିନାନ୍ସ କର୍ପୋରେସନ (ପିଏଫ୍ସି) ୨୦୨୧-୨୨ ବର୍ଷ ରିପୋର୍ଟରୁ ଏହା ଜଣାପଡ଼ିଛି। ସାଧାରଣ ଖାଉଟି ମାତ୍ରାଧିକ ଅଧିକ ମୂଲ୍ୟ ଦେଇ ଖରାପ ସେବା ପାଉଛନ୍ତି । ଏହି ରିପୋର୍ଟରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଓଡ଼ିଶାରେ ଆୟୋଗ ବିଜ୍ଞପିତ କରୁଥିବା ଖୁଚୁରା ବିଦ୍ୟୁତ୍ ମୂଲ୍ୟ ସହିତ ଟାରିଫ୍ ଆଦେଶରେ ଅନୁମୋଦିତ ହେଉଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟର କୌଣସି ସମ୍ପର୍କ ହିଁ ନାହିଁ। ଅର୍ଥାତ୍ ଫି ବର୍ଷ ବିଦ୍ୟୁତ୍ ମୂଲ୍ୟ ନିର୍ଧାରଣ ଲାଗି ଆୟୋଗ ଯେଉଁ ୧୨୦ ଦିନର ଶୁଣାଣି କରୁଛନ୍ତି ତାହା ପ୍ରହସନ ବୋଲି ରିପୋର୍ଟ ପରୋକ୍ଷରେ ଆକ୍ଷେପ କରିଛି।
୨୦୨୧-୨୨ ଓଡ଼ିଶାର ଉପଭୋକ୍ତା ୟୁନିଟ୍ ପିଛା ୫ ଟଙ୍କା ୯୮ ପଇସା ହିସାବରେ ଦେୟ ପ୍ରଦାନ କରିଥିଲେ। ମାତ୍ର ଆମ ପଡୋଶୀ ରାଜ୍ୟର ଖାଉଟିମାନେ ଆମ ଠାରୁ କମ୍ ଦର ଗଣୁଛନ୍ତି। ମଧ୍ୟପ୍ରଦେଶରେ ୟୁନିଟ୍ ପିଛା ୩ଟଙ୍କା ୪୦ ପଇସା ହାରରେ ପୈଠ କରୁଥିବା ବେଳେ ଛତିଶଗଡ଼- ୩ଟଙ୍କା ୮୨ ପଇସା, ପଶ୍ଚିମବଙ୍ଗ – ୫ ଟଙ୍କା ୬୮ ପଇସା, ତେଲେଙ୍ଗାନା- ୪ଟଙ୍କା ୬୫ ପଇସା, ଆନ୍ଧ୍ରପ୍ରଦେଶ- ୪ଟଙ୍କା ୬୧ ପଇସା ଏବଂ ଝାଡ଼ଖଣ୍ଡର ବିଦ୍ୟୁତ୍ – ୪ଟଙ୍କା ୨୭ ପଇସା ହାରରେ ବିଦ୍ୟୁତ୍ ମୂଲ୍ୟ ପୈଠ କରୁଛନ୍ତି। ପଶ୍ଚିମ ଭାରତର ଅନ୍ୟତମ ରାଜ୍ୟ ରାଜସ୍ଥାନ – ୪ଟଙ୍କା ୧୩ ପଇସା, ପଞ୍ଜାବ -୪ଟଙ୍କା ୨୪ ପଇସା ଏବଂ ଦକ୍ଷିଣ ଭାରତର ତାମିଲନାଡ଼ୁ -୪ ଟଙ୍କା ୭୩ ପଇସା ହାରରେ ଖାଉଟି ବିଦ୍ୟୁତ୍ ମୂଲ୍ୟ ପ୍ରଦାନ କରୁଛି।