ଗୁମାସ୍ତାଙ୍କ ଅତ୍ୟାଚାର ଏବେ କଣ କମ୍ ହେଉଛି କି ବୋଲି କହିଲେ ଭର୍ତ୍ତୁହରି.. କାହାକୁ ଏ ଆକ୍ଷେପ…ମୁରୁକି ହସିଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ଏହା ମଧ୍ୟରେ ରାଜ୍ୟରେ ବାକ୍ ଯୁଦ୍ଧ ଚରମସ୍ତରରେ ରହିଛି। କେତେକ କ୍ଷେତ୍ରରେ ରାଜନୈତିକ ଦଳ ଓ ଲୋକ ବ୍ୟକ୍ତିଗତସ୍ତରକୁ ଆସି ଆକ୍ରମଣ କରୁଛନ୍ତି। ଏହି କ୍ରମରେ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ରାଜନେତାଙ୍କ ମନ୍ତବ୍ୟ କିଛିଦିନ ଚର୍ଚ୍ଚାର କାରଣ ହୋଇଯାଉଛି। ଠିକ୍ ଏହିପରି କିଛି ମନ୍ତବ୍ୟ ଭର୍ତ୍ତୃହରି ମହତାବ ପ୍ରଦାନ କରିଛନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତି ଓ କଟକ ବିହାରୀବାଗ୍ ଚଳଚଞ୍ଚଳ ହୋଇଛି।

କିଛିଦିନ ତଳେ ନୂଆଦିଲ୍ଲୀ ଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ଦ ମେକିଂ ଅଫ୍ ଆନ ଅଥର’ ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଶ୍ରୀ ମହତାବ ଏପରି କିଛି ମନ୍ତବ୍ୟ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି। ଶ୍ରୀ ମହତାବ କହିଥିଲେ ଯେ, ଯାହାକୁ ଆପଣ ନିଜର ବୋଲି ଭାବିବେ, ସେ ମଧ୍ୟ ଅନେକ ସମୟରେ ଆପଣଙ୍କୁ ଛୁରୀରେ ଆଘାତ କରିବେ। ସାଆନ୍ତମାନଙ୍କର ଉତ୍ପାତ ସେ ଯୁଗରେ ବି ହେଉଥିଲା। ଆଜି କ’ଣ କମ ଅଛି? ବୋଲି କହି ରାଜ୍ୟର ଜଣେ ଅଫିସରଙ୍କୁ ଭର୍ତ୍ତୃହରି ଟାର୍ଗେଟ କରିଥିବା ଆଲୋଚନା ହେଉଛି।

ବୈଠକରେ ସାଆନ୍ତ ଓ ଗୁମାସ୍ତା ପ୍ରସଙ୍ଗ ଉଠାଇ ଭର୍ତ୍ତୃହରି ଆହୁରି କହିଥିଲେ ଯେ, ସେ ଯୁଗରେ ଗୁମାସ୍ତାମାନଙ୍କର ଅତ୍ୟାଚାର ଅଧିକ ହେଉଥିଲା, ଆଜି କ’ଣ ଏହା କମ୍ ଅଛି? ଆମେ ବ୍ୟାସ କବିଙ୍କ ଉପନ୍ୟାସ ହେଉ କି ଗଳ୍ପ ପଢ଼ିଲେ ଚରିତ୍ରଗୁଡ଼ିକ ଆଖି ଆଗକୁ ଆସିଯାଇଥାଏ। ଆମେ କ’ଣ ଆଖି ବନ୍ଦ କରି କିମ୍ବା ଆଖି ଖୋଲି ସେହିଭଳି ଚରିତ୍ରକୁ ଦେଖୁନେ କି? ସେହିଭଳି ମଙ୍ଗରାଜମାନେ ମିଳୁନାହାନ୍ତି କି ବୋଲି ଭର୍ତ୍ତୃହରି କହିଥିଲେ। ଏହି ବକ୍ତବ୍ୟ ସମୟରେ ଆଖପାଖରେ ରାଜ୍ୟ ବିଜେପିର ଶୀର୍ଷ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଅଳ୍ପ ହେଉ ଫଛେ ମୁରୁକି ହସୁଥିଲେ।

ପ୍ରାୟ ପାଞ୍ଚ ମାସ ତଳେ ପ୍ରତିଷ୍ଠା ଦିବସରେ ପିନାକୀ ମିଶ୍ର ଓ ତାଙ୍କ ଅନୁପସ୍ଥିତି ନେଇ ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ସେ ସମୟରେ ତାଙ୍କୁ ପଚରାଯିବାରୁ କିଛି କହି ନ ଥିଲେ। ଶ୍ରୀ ମହତାବ କହିଥିଲେ ଯେ,ମନ୍ମଥନାଥ ଦାସଙ୍କ ଗପ ପଢିଛନ୍ତି। ଦେଖା ହେଲେ କହିବି ସେ କଥା। ମୋର ଚାରୋଟି କଥା କହିବାକୁ ରହିଛି। ଦେଖା ହେଲେ ନିଶ୍ଚୟ କହିବି । କଟକରେ ବିଜେପି ଚାରି ଲକ୍ଷ ଭୋଟ ପାଇଲାଣି। ସେମାନେ ମୁଖ୍ୟ ବିରୋଧି। ମୁଁ ଲଢିବି ନା ନାହିଁ, ତାହା ଆଉ ଏକ ପ୍ରସଙ୍ଗ ବୋଲି ସେ ସମୟରେ ଭର୍ତ୍ତୃହରି କହିଥିଲେ। ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ତେଣୁ ଭର୍ତ୍ତୃହରି ତାଙ୍କର ଚାରୋଟି କଥା କହିଦେବାର ବେଳ ଆସିଗଲାଣି ବୋଲି ରାଜନୈତିକ ମହଲ ଆଲୋଚନା ଜୋର ଧରିଲାଣି।