ପରିବା ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ


ଭୁବନେଶ୍ୱର : ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ରବିବାର ସୁଲଭ ମୂଲ୍ୟରେ ପରିବା ବିକି ନିଆରା ଢଙ୍ଗରେ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା ।

ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ ପରିବା ଅଧା ଦରରେ ବିକ୍ରି କରାଯାଇଥିଲା । ବାଟରେ ଯାଉଥିବା ସାଧାରଣ ଜନତା ଏହାକୁ କିଣିବାର ଲକ୍ଷ୍ୟ କରାଯାଇଥିଲା l

ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କୁହନ୍ତି ଯେ, ଆଜିର ପରିବା ଦର ଏବଂ ସଉଦା ଦର ବୃଦ୍ଧି ପାଇଁ ମୋଦି ଓ ନବୀନ ଶାସନ ଦାୟୀ । ଚାଷୀ ଅମଳ ଋତୁରେ ତାର ପରିବାକୁ ସାଇତିବା ପାଇଁ ରାଜ୍ୟ ସରକାର ୨୩ ବର୍ଷ ଭିତରେ ଶୀତଳ ଭଣ୍ଡାର କରିପାରିଲେ ନାହିଁ । ସବୁବେଳେ ନିର୍ବାଚନ ସମୟରେ ଶୀତଳ ଭଣ୍ଡାରରର ପ୍ରତିଶୃତି ଦେଲେ ମାତ୍ର ଭୋଟ ଲୁଟିନେଲା ପରେ ଏକଥାକୁ ଭୁଲି ଗଲେ ।

୨୩ ବର୍ଷ ଭିତରେ ରାଜ୍ୟର ୧୩୧ଟି ଶୀତଳ ଭଣ୍ଡାରରୁ ୮୨ ଟି ଅଚଳ । ୧୩ ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ । ଟମାଟୋ ଅମଳ ଋତୁରେ ହାଟରେ ଚାଷୀ କିଲୋ ପିଛା ୫୦ ପଇସାରେ କାନ୍ଦି କାନ୍ଦି ବିକୁଛି । ରାଜ୍ୟ ସରକାର ୨୦୧୮ ମସିହାରେ କହିଲେ ରାଜ୍ୟରେ ୧୫୦ଟି ଶୀତଳ ଭଣ୍ଡାର କରିବାପାଇଁ । ୨୦୨୩ ହେଲାଣି ଶୀତଳ ଭଣ୍ଡାରର ଦେଖାନାହିଁ । ନିର୍ବାଚନ କବାଟ ଠକ ଠକ କରୁଥିବା ବେଳେ ହଠାତ ନବୀନ ସରକାର ଘୋଷଣା କରୁଛନ୍ତି ଯେ ଓଡ଼ିଶାରେ ୧୦୦୦ ଟି ଶୀଳତ ଭଣ୍ଡାର କରିବେ ।

ଏଥିରେ କେବଳ ଜନତାଙ୍କୁ ଭୁଆଁ ବୁଲାଯାଉଛି । ୨୩ ବର୍ଷରେ ଶୀତଳ ଭଣ୍ଡାର ସମସ୍ୟାକୁ ସମାଧାନ କରିପାରିନଥିବା ନବୀନ ସରକାର ଏବେ ପ୍ରତିଶୃତି ପାଳନ କରିପାରିବେ ବୋଲି ଜନସାଧାରଣ ଭରଷା କରିପାରୁନାହାନ୍ତି । ଭାରତୀୟ କୃଷି ରିସର୍ଚ ପରିଷଦର ରିପୋର୍ଟରେ ଓଡ଼ିଶାରେ ବାର୍ଷିକ ୧ଲକ୍ଷ ୪୫ ହଜାର ଟନ ଫଳ ଏବଂ ଏବଂ ୪ରୁ ୫ ଲକ୍ଷ ଟନ ପରିବା ନଷ୍ଟ ହୋଇଯାଉଛି ଏବଂ ଏଥିପାଇଁ ଶୀତଳ ଭଣ୍ଡାର ସମସ୍ୟା ହିଁ ଦାୟୀ । ଖାଉଟିର ଲୁହକୁ ନବୀନ ସରକାର ବୁଝିପାରୁ ନାହାନ୍ତି ।

ଅନ୍ୟପକ୍ଷରେ ତୈଳଦର ବୃଦ୍ଧି ଏବଂ ଜିଏସ୍‌ଟି ବୋଝ ପାଇଁ ଡାଲି, ତେଲ, ଜିରା, ଶୋରିଷ ଆଦି ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ହୋଇଛି । ଏହା କିପରି ନିୟନ୍ତ୍ରଣ ହେବ ସେ ଦିଗରେ ମୋଦି ସରକାର ମଧ୍ୟ ପଦକ୍ଷେପ ନେଉନାହାନ୍ତି । ସୁତରାଂ ଆଜିର ଆକାଶ ଛୁଆଁ ଦର ନବୀନ ଓ ମୋଦି କୃତ । ଖାଉଟିର ଲୁହରେ ଉଭୟ ସରକାରର ପତନ ସୁନିଶ୍ଚିତ । ବଜାର ଦର ନିୟନ୍ତ୍ରଣ ପାଇଁ ଏବଂ ଶୀତଳ ଭଣ୍ଡାର ପର୍ଯ୍ୟାପ୍ତ ପରିମାଣରେ କରିବାପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି l

ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବଜାର ଦର ଅନିୟନ୍ତ୍ରିତ ହେଉଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଖାଉଟିର ଲୁହ ଏମାନଙ୍କୁ ପ୍ରଭାବିତ କରିପାରୁ ନାହିଁ । ଖାଉଟିଙ୍କ ଠୁ ଭୋଟ ନେଇ ଏମାନେ ଶାସନ ଗାଦିରେ ବସିଛନ୍ତି ହେଲେ ଖାଉଟିଙ୍କ ସମସ୍ୟାର ସମାଧାନ କରୁନାହାନ୍ତି ।

Leave a Reply

Your email address will not be published. Required fields are marked *