ଟାଟା ପାୱାର କାର୍ଯ୍ୟର ନିୟମିତ ସମୀକ୍ଷା କରିବେ ସରକାର,  ନିର୍ବାଚନୀ ବର୍ଷରେ ବିଜୁଳି ସମସ୍ୟା ବଢାଇଛି ପ୍ରଶାସନର ମୁଣ୍ଡବ୍ୟଥା

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରଠାରୁ ଟାଟା ପାଓ୍ୱାର ଲଗାତର ଜନଅସନ୍ତୋଷର ଶୀକାର ହେଉଛି। ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ଯାଉଛି। ଏନେଇ ଏକାଧିକ ପ୍ରଶାସନିକ ସଙ୍କେତ ବିଗତ ଅଢେଇ ମାସରେ ଦେଖିବାକୁ ମିଳିଲାଣି। ତେଣୁ ଟାଟା ପାଓ୍ୱାରକୁ ରାଜ୍ୟ ସରକାର ହାଡେ ହାଡେ ଜଗିବାକୁ ନିଷ୍ପତ୍ତି ନେଇ ଛନ୍ତି। ଏହି କମ୍ପାନୀର ସମୀକ୍ଷା କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଦ୍ୱାରା କରାଯିବ।  ଆଜି ଠାରୁ ଏହି ବିତରଣ କମ୍ପାନୀ ଗୁଡିକର କାର୍ଯ୍ୟସମୀକ୍ଷା ଆରମ୍ଭ ହୋଇଯାଇଛି।

ଗତ ୨୦୨୦ ମସିହା ଠାରୁ ଓଡ଼ିଶାର ଚାରିଟି ବିଦ୍ୟୁତ୍ ବିତରଣ କଂପାନିର ୫୧% ଅଂଶଧନ ଟାଟା ପାଓ୍ୱାରକୁ ହସ୍ତାନ୍ତର ହୋଇଛି। ଅଧିଗ୍ରହଣ ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ସକାଶେ ଅର୍ଥ ବିନିଯୋଗ କରିବାନେଇ ନିଷ୍ପତ୍ତି ହୋଇଥିଲା। ହେଲେ କମ୍ପାନୀ ମାତ୍ର ୫୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ୩ଲକ୍ଷ ଟଙ୍କା ବିନିଯୋଗ କରିଛି। ଟାଟା ପା୍ୱାର ନିଜର  ବିତରଣଜନିତ କ୍ଷତି ମଧ୍ୟ ବିଶେଷ  ହ୍ରାସ କରିପାରିନାହାନ୍ତି।  ଏଣୁ ବିତରଣ କଂପାନିମାନେ ଏସବୁ ବଣ୍ଟନ ଜନିତ କ୍ଷତି କେତେ ପରିମାଣରେ ହ୍ରାସ କରିଛନ୍ତି, ସେ ନେଇ ଆୟୋଗ ସମୀକ୍ଷା କରିବେ। ଟାଟା ପାଓ୍ୱାରକୁ ମିଳୁଥିବା ଅନୁଦାନ କିପରି ବିନିଯୋଗ ହେଉଛି,ତାହା ତୃତୀୟ ପକ୍ଷ ଅଡିଟ୍ କରିବେ।

 

ବିତରଣ କମ୍ପାନୀଗୁଡିକ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିନାହାନ୍ତି। ଶାସକ ଦଳର ବିଧାୟକମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ବିତରଣର  ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି।  ନିର୍ବାଚନୀ ବର୍ଷ ହୋଇଥିବାରୁ ବିଜୁଳି ସମସ୍ୟା ଜନିତ ଅସନ୍ତୋଷ ଯେପରି ଭୋଟରେ ରୂପାନ୍ତରିତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *