ଅଚିହ୍ନା ଶବର ସାଥୀ ମଧୁସ୍ମିତା ; ପାଖାପାଖି ୧୫୦୦ ଶବ କଲେଣି ଦାହ

ଭୁବନେଶ୍ବର ; ଏବେ ଶବକୁ କାନ୍ଧ ଦେଉଛନ୍ତି ମହିଳା । କୁହାଯାଏ ଯେ, ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋଟିଏ ଶବକୁ କେବଳ ପୁରୁଷ ସମାଜ ହିଁ କାନ୍ଧ ଦେଇପାରିବ । କିନ୍ତୁ ବର୍ତ୍ତମାନ ଏହି ସାମାଜିକ ପ୍ରତିବନ୍ଧକକୁ ପାର କରି ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମଧୁସ୍ମିତା । ଅଚିହ୍ନା ଶବଗୁଡ଼ିକୁ ଉଦ୍ଧାର କରି ତାହାର ସତ୍କାର କରି ସମାଜ ପରିବର୍ତ୍ତନର ମଙ୍ଗ ଧରିଛନ୍ତି ।
ଏମିତି ଜଣେ ମହିଳା ହେଉଛନ୍ତି ଭୁବନେଶ୍ୱରର ମଧୁସ୍ମିତା ପୃଷ୍ଟି । ଯିଏ ପ୍ରଥମେ ପେଶାରେ ଜଣେ ଶିଶୁ ବିଭାଗର ନର୍ସ ଭାବେ କାର୍ଯ୍ୟରତ ଥିଲେ । ପରେ ସ୍ବାମୀଙ୍କଠାରୁ ପ୍ରେରଣା ପାଇ ସେ ଏହି କାମରେ ନିୟୋଜିତ ହେଲେ । ସେ ରେଳ ଟ୍ରାକ୍ ହେଉ ଅବା ଗାଡିଆ, ଯେଉଁଠିକୁ ମୃତଲୋକର ସମ୍ପର୍କୀୟମାନେ କିମ୍ବା ପରିବାର ଲୋକେ ଯିବାକୁ ପଛଘୁଞ୍ଚା ଦିଅନ୍ତି, ସେଠି ମଧୁସ୍ମିତା ଓ ତାଙ୍କ ସହଯୋଗୀମାନେ ସେ ସ୍ଥାନକୁ ଯାଇ ବିନା ଦ୍ବନ୍ଦରେ ସତ୍କାର କର୍ମକୁ ସୁଚାରୁ ରୂପେ ତୁଲାଇ ଥାଆନ୍ତି । ଏ ପର୍ଯ୍ୟନ୍ତ ସେ ପାଖାପାଖି ପନ୍ଧର ଶହ ଶବ ଦାହ କରିସାରିଛନ୍ତି ।


ସାଧାରଣ ଦିନ ହେଉ ଅବା କରୋନା ମହାମାରୀ ସମୟ, ସେ ସବୁ ସମୟରେ ଶହ ଶହ ଅଚିହ୍ନା ଶବର ପାଲଟିଛନ୍ତି ସାଥୀ । କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ବିଶ୍ବ ଘରେ ବନ୍ଦୀ ଭାବେ ଜୀବନ ବିତାଉଥିଲେ ସେତେବେଳେ ମଧୁସ୍ମିତା ଅନେକ ଅସହ୍ୟ ମୃତ ବ୍ୟକ୍ତିଙ୍କର ବିପଦ ବେଳର ବନ୍ଧୁ ସାଜିଥିଲେ । ଯେତେବେଳେ ମୃତ ଶରୀରକୁ ନିଜ ସମ୍ପର୍କୀୟ ନିଜ କାନ୍ଧରେ ବୋହିବାକୁ ଅନିଛା ପ୍ରକାଶ କରୁଥିଲେ, ସେତେବେଳେ ମଧୁସ୍ମିତା ଶବଗୁଡ଼ିକ ମୁହଁରେ ମୁଖାଅଗ୍ନି ଦେଉଥିଲେ ।
ସେହିପରି ନିକଟରେ ବାଲେଶ୍ଵର ବାହାନଗାଠାରେ ଘଟିଥିବା କରମଣ୍ଡଳ ଟ୍ରେନର ଲୋମହର୍ଷଣକାରୀ ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା, ସେହି ସମୟରେ ମଧ୍ୟ ମଧୁସ୍ମିତା ଓ ତାଙ୍କ ସହଯୋଗୀମାନେ ଉକ୍ତ ସ୍ଥାନକୁ ଯାଇ ଶବ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଯାହାଦ୍ଵାରା ଟ୍ରେନ ତଳେ ଚାପି ହୋଇ ରହିଥିବା ଅନେକ ମୃତଦେହ ଉଦ୍ଧାର ହୋଇପାରିଥିଲା ।


୫ବର୍ଷ ଧରି ଅଚିହ୍ନା ଶବର ସତ୍କାର କରିବାର ଏହି ଯାତ୍ରାରେ ଅନେକ ବାଧକ ସୃଷ୍ଟି ହୋଇଥିବା ସତ୍ତ୍ଵେ ମଧୁସ୍ମିତା କେବେ ପଛେଇ ନାହାନ୍ତି । ନିଜ ସ୍ଵାମୀ ପ୍ରଦୀପଙ୍କ ସହ ମିଶି “ପ୍ରଦୀପ ସେବା ଟ୍ରଷ୍ଟର” ସମ୍ପାଦିକା ଭାବେ କାର୍ଯ୍ୟଭାର ନେବା ସହ ଧୀରେ ଧୀରେ ଏହି କାର୍ଯ୍ୟ ପ୍ରତି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ସେ । ନିଜର ଦୃଢ଼ ଆତ୍ମବିଶ୍ଵାସ ଓ ସମାଜକୁ ଦେଖିବାର ଭିନ୍ନ ଦୃଷ୍ଟି ପାଇଁ ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ହରିଶ୍ଚନ୍ଦ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହା ସହିତ ସେ କେବଳ ଓଡ଼ିଶାରେ ନୁହେଁ ବରଂ ଅନେକ ରାଜ୍ୟରେ ନିଜ କାର୍ଯ୍ୟଦ୍ଵାରା ପ୍ରଶଂସିତ ହୋଇପାରିଛନ୍ତି ।
ଏହି ସମ୍ପର୍କରେ ମଧୁସ୍ମିତା କୁହନ୍ତି ଯେ “ବର୍ତ୍ତମାନ ସମାଜରେ ପୁରୁଷ ଓ ମହିଳା ସମସ୍ତେ ସମାନ । କୌଣସି କାମକୁ ଛୋଟ ନ ଭାବି ଲୋକମାନଙ୍କ ସେବା କ୍ଷେତ୍ରରେ ମୁଁ ନିଜକୁ ଉତ୍ସର୍ଗ କରିଛି । ଏ ଜୀବନ ଥିବା ଯାଏ ଅଚିହ୍ନା ଶବ ସତ୍କାର କରିବି । ଯାହାର କେହି ନଥିବେ, ତାର ହୋଇ ଠିଆ ହେବି । ଏହି କାମ କରିବା ସମୟରେ ମତେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଛି । କିନ୍ତୁ ମନରେ ଭୟ କିମ୍ବା ଦ୍ୱିଧା ନ ଆଣି ମୁଁ ମୋ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି ଏବଂ ଆଗକୁ ମଧ୍ୟ ଆଗେଇ ଚାଲିଥିବି” ।

Leave a Reply

Your email address will not be published. Required fields are marked *