ଦୁଇ ଖଣ୍ଡ ଟମାଟୋ ଦୁଇ ଭାଗ କରିଦେଲା ସଞ୍ଜୀବଙ୍କ ସଂସାର, ତିନି ଦିନ ହେଲା ସ୍ତ୍ରୀଙ୍କୁ ଖୋଜୁଛନ୍ତି
ଭୋପାଳ: ମନାନ୍ତର, ପରକୀୟା ପ୍ରୀତି ଏବଂ ଯୌତୁକ କାରଣରୁ ସ୍ତ୍ରୀ-ସ୍ୱାମୀଙ୍କୁ ଛାଡିଯିବା ସମସ୍ତେ ଜାଣିଥିବେ। ହେଲେ ମାତ୍ର ଦୁଇଟା ପରିବା ପାଇଁ ସୁନାର ସଂସାର ଭାଙ୍ଗିଯିବ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ପରିବା ଦରରେ ହାତ ମାରି ହେଉ ନାହିଁ। ସାଧାରଣ ଖାଉଟି ଟିଏ ପରିବା କିଣିଲେ ଶହେଥର ଭାବୁଛି। ଦିନ ଥିଲା ଟମାଟୋ ଟ୍ରକ ଟ୍ରକ ଫୋପଡା ହେଉଥିଲା। ମାତ୍ର ଆଜି ଟମୋଟୋର ଭାଉ କେତେ। ମାତ୍ର ଟଙ୍କେ-ଦିଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି କିଲୋ ପିଛା ୧୫୦ କିମ୍ବା ୧୭୦ ଟଙ୍କାରେ ବିକ୍ରି ହେଉଛି। ଆଉ ଏହି ଟମାଟୋ କାରଣରୁ ଜଣେ ସ୍ତ୍ରୀ, ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଘଟଣାଟି ମଧ୍ୟପ୍ରଦେଶର ଶହଡୋଲ୍ ଜିଲ୍ଲାରେ ଘଟିଛି। ପ୍ରସିଦ୍ଧ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ଏହି ରିପୋର୍ଟ ଟି କରାଯାଇଛି। ଘଟଣାଟି ଏହିପରି ଘରେ ଦୁଇଟି ଟମାଟୋ ରଖାଯାଇଥିଲା। ସ୍ତ୍ରୀ କୌଣସି କାମ ଯୋଗୁ ଘରେ ନ ଥିଲେ। ଏହି ସମୟରେ ନିରାମିଷ ଖାଉଥିବା ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କୁ ନ ଜଣାଇ ଟମାଟୋ ରୋଷେଇ କରିଥିଲେ। ଏହା ଘରକୁ ଆସି ଜାଣିବାକୁ ପାଇଥିଲେ ପତ୍ନୀ। ଏକଥା ଜାଣି ସ୍ତ୍ରୀ ରାଗିପାଚି ପଞ୍ଚମ ହୋଇଯାଇଥିଲେ। ‘ ଟମାୋ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା। ସ୍ୱାମୀ ସଞ୍ଜୀବ ବର୍ମନ୍ କହନ୍ତି, ବିନା ପରାମର୍ଶରେ ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ତାଙ୍କର ଭୀଷଣ ରାଗିଗଲେ। ଏହା ପରେ ପ୍ରଥମେ ମତାନ୍ତର ପରେ ମନାନ୍ତର ହେଲା। କୌଣସି ସମାଧାନ ରାସ୍ତା ବାହାରିବା ପରିବର୍ତ୍ତେ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ବର୍ମନ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ମାଗିଲେ। ସେ ତିନିଦିନ ଯାଏଁ ନିଜ ସ୍ତ୍ରୀଙ୍କୁ ଦେଖିନାହାନ୍ତି ବୋଲି ଜଣାପଡିଛି। ଟମାଟୋ କାରଣରୁ କଳି ହୋଇ ସ୍ତ୍ରୀ ଚାଲିଯିବା ନେଇ ମାମଲା ରୁଜୁ ହୋଇଥିବା ସ୍ଥାନୀୟ ପୁଲିସ୍ ଅଧିକାରୀ ମଧ୍ୟ ଘୋଷଣା କରିଛନ୍ତି।