କିଏ ଏହି ମହିଳା ଯିଏ ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ? ଜାଣନ୍ତୁ

ନୂଆଦିଲ୍ଲୀ : ଦିନେ କୁହାଯାଉଥିଲା, ଝିଅ ଜନମ ପର ଘରକୁ । ଶିକ୍ଷା ବଳରେ ଆଜି ଏହି କଥା ଭୁଲ୍ ପ୍ରମାଣିତ ହେବାରେ ଲାଗିଛି । ଏବେ ଝିଅ ମାନେ ଆଉ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିନାହାନ୍ତି । ଏବେ ସେମାନେ ପାଣିରେ ବୁଡିବାଠୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁଥିରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଲେଣି। କେଉଁଠି ମହିଳା ବିଶାଳ ସେନା ବାହିନୀର ନେତୃତ୍ୱ ନେଉଛନ୍ତି। ସେହି ମହିଳାମାନଙ୍କ ଜୟଯାତ୍ରାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ମହାକାଶ ବିଜ୍ଞାନରେ ଆଉ ଜଣେ ମହିଳାଙ୍କ ନାମ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହେବାକୁ ଯାଉଛି।

ଏହି ମହିଳା ଜଣଙ୍କ ହେଉଛନ୍ତି ବୈଜ୍ଞାନିକ ଋତୁ କରିଧାଲ୍ ଶ୍ରୀବାସ୍ତବ । ଆଜି ଅପରାହ୍ଣ ୨.୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀ ହରିକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହେବାକୁ ଥିବା ଭାରତର ତୃତୀୟ ଚନ୍ଦ୍ରାଭିଯାନର ‘ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ‘ଭାରତର ରକେଟ୍ ଓମ୍ୟାନ୍’ ଭାବେ ପରିଚିତା ଋତୁ କରିଧାଲ୍ ଶ୍ରୀବାସ୍ତବ। ଓମେନ୍ ଇକୋନୋମିକ୍ ଫୋରମ୍’ (ଡବ୍ଲୁଇଏଫ୍) ରିପୋର୍ଟ ଅନୁସାରେ, ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ରେ (ଇସ୍ରୋ) ବରିଷ୍ଠ ବୈଜ୍ଞାନିକା ଥିବା ଋତୁ କରିଧାଲ୍ ଶ୍ରୀବାସ୍ତବ ‘ମାର୍ସ ଅର୍ବିଟର୍ ମିଶନ’ କୁ ବାସ୍ତବ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୧୯୯୬ରେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ‘ଏମ୍ଏସ୍ସି’ କରିବା ପରେ ବେଙ୍ଗାଲୁରୁ ସ୍ଥିତ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍’ରୁ ‘ଏମ୍ଟେକ୍’ କରିଥିଲେ। ସେ ଜଣେ ପ୍ରତିଭାବାନ ବୋଲି ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ତାଙ୍କର ଶିକ୍ଷକ ଓ ଗାଇଡ୍ମାନେ କହୁଥିଲେ।ସେ ନଭେମ୍ବର ୧୯୯୭ରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ସେ ‘ଇସ୍ରୋ’ର ଅନେକ ସମ୍ମାନଜନକ ମିଶନରେ କାର୍ଯ୍ୟ କରିଛନ୍ତି ଏବଂ ଅନେକ ଅଭିଯାନର ନିର୍ଦ୍ଦେଶକ ପଦରେ ରହି ଦାୟିତ୍ବ ବହନ କରିଛନ୍ତି । ସେହିପରି ଆଜି ତାଙ୍କ ନେତୃତ୍ବରେ ଉତ୍କ୍ଷେପଣ ହେବାକୁ ଥିବା ୬୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।