ମଣିପୁର ହିଂସା : ଦୁଇ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ
ନୂଆଦିଲ୍ଲୀ : ବିଳମ୍ବିତ ହେଲେ ବି ମଣିପୁର ହିଂସା ଏବଂ ସମ୍ପ୍ରଦାୟ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ସଂସଦର ମୋସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସେ ଖୁବ୍ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୌନଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ। ଦେଶବାସୀଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, କୌରଣସି ଦୋଷୀ ତ୍ରାହି ପାଇବେ ନାହିଁ। ସମସ୍ତ ସାମର୍ଥ୍ୟ ଲଗାଇ ଆଇନ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମଣିପୁରୀ କନ୍ୟାମାନଙ୍କ ପ୍ରତି ହୋଇଥିବା ବ୍ୟଭିଚାର କ୍ଷମଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମଣିପୁରରେ ଗୋଟିଏ ଭିଡ଼ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଘଟଣା ପରେ ଏହି ବାର୍ତ୍ତା ଆସିଛି। ଗତ ମେ ମାସ ୪ ତାରିଖ ଦିନ ମଣିପୁରର ରାଜଧାନୀ ଇମ୍ଫାଲ୍ଠାରୁ ପ୍ରାୟ ୩୫ କିଲୋମିଟର୍ ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଉପରୋକ୍ତ ଘଟଣା ଘଟିଥିବା କଥା ‘ଇଣ୍ଡିଜେନସ୍ ଟ୍ରାଇବାଲ୍ ଲିଡର୍ସ ଫୋରମ୍’ (ଆଇଟିଏଲ୍ଏଫ୍) ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି। ସେହିପରି ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଯିବା ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ। ଏ ଭିଡିଓ ଆମକୁ ଖୁବ୍ ବ୍ୟଥିତ କରିଛି। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ। ଏବେ ଏଥିରେ ସରକାର ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ଆସିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ। ଦୁଃଶ୍ଚିନ୍ତାର କାରଣ ବୋଲି ସୁପ୍ରିମକୋର୍ଟ କହିଛି।