ଓଡ଼ିଶାର ରାଜନୈତିକ ପରିସ୍ଥିତି ନେଇ ଖୁବ୍ ଶୀଘ୍ର ଶରଦ ପାଓ୍ୱାର-ରାହୁଲ ଗାନ୍ଧୀ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସ ସ୍ଥିତି ଭଲ ନାହିଁ। ବାମ ଦଳ ଗୁଡିକର ନିଜ ଅସ୍ତିତ୍ୱ ହରାଇଲେଣି। ଏକଥା ସତ। ମାତ୍ର ଜାତୀୟସ୍ତରରେ ଇଣ୍ଡିଆ ପରି ଓଡ଼ିଶାରେ ମେଣ୍ଟ ସମ୍ପୂର୍ଣ୍ଣ ଅସଫଳ ହେବ ନାହିଁ। ଏନଡିଏର ମୁଖ୍ୟ ଦଳ ବିଜେପି ଓଡ଼ିଶାରେ ଆଠ ଲୋକସଭା ସହ ୨୨ ବିଧାନସଭା ଆସନ ଜିତିପାରିଛି। ତେଣୁ ଇଣ୍ଡିଆ ମେଣ୍ଟର ସାମାନ୍ୟ ସକ୍ରିୟତା ବିଜେପିର ଉଭୟ ଲୋକସଭା ଏବଂ ବିଧାନସଭା ଆସନ ହ୍ରାସ କରିପାରିବ। ବିଭିନ୍ନ ରାଜ୍ୟରେ ବିଜେପିର ଲୋକସଭା ଆସନ ହ୍ରାସ ହିଁ ପରୋକ୍ଷରେ ଇଣ୍ଡିଆ ପାଇଁ ଲାଭ ଦାୟକ ହେବ। ତେଣୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା ଠିକ୍ ନୁହେଁ ବୋଲି ରାହୁଲ ଗାନ୍ଧୀଙ୍କ ରିସର୍ଚ୍ଚ ଟିମ୍ ନିକଟରେ ଏକ ରିପୋର୍ଟ ପ୍ରଦାନ କରିଛି।

ବିରୋଧି ମେଣ୍ଟ ଇଣ୍ଡିଆର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଏହା ସର୍ବନିମ୍ନ ଦୁଇ ଦିନ ତଥା ସର୍ବାଧିକ ତିନି ଦିନ ହେବ। ଏହି ବୈଠକ ପରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ନେଇ ସ୍ୱତନ୍ତ୍ର ଆଲୋଚନା ହେବ। ଏନସିପି ମୁଖ୍ୟ ଶରଦ ପା୍ୱାର ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏନେଇ ଆଲୋଚନା ହେବ ବୋଲି ଜଣାପଡିଛି। ଅଣ ବିଜେପି-ଅଣ ବିଜେଡି ମେଣ୍ଟ ଓଡ଼ିଶାରେ କିପରି କାର୍ଯ୍ୟ କରିବ, ତାହାର ଏକ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

ସେହିପରି ରାଜ୍ୟରେ କଂଗ୍ରେସ ଆବାହକତ୍ୱରେ ଇଣ୍ଡିଆ ମେଣ୍ଟର ଦୁଇଟି ବୈଠକ ପରେ ଗତକାଲି ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ମିଳିତ ଭାବେ ରାଜ୍ୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି। ଗତ ସମ୍ମିଳନୀରେ ଦେଶ ତଥା ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଯଥା ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳା ନିର୍ଯ୍ୟାତନା, ସାମାଜିକ ନ୍ୟାୟ, ଚିଟଫଣ୍ଡ, ଖଣି, ପାଣି ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ଦୁର୍ନୀତି ଓ ଟାଟାପାୱାରର ଖାଉଟି ଶୋଷଣ ନୀତି ସଂକ୍ରାନ୍ତରେ ୧୭ ଗୋଟି ବିରୋଧି ଦଳ ମିଳିତ ଭାବରେ ରାଜ୍ୟର ସମସ୍ତ ପ୍ରାନ୍ତ ତଥା ଜିଲ୍ଲା ମାନଙ୍କରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।