ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସବୁ ପରିସ୍ଥିତିରେ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ..

ଭୁବନେଶ୍ୱର : ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇ ସାରିଥିଲେ। ହେଲେ ହଠାତ୍ ସଂସଦର ବିଶେଷ ଅଧିବେଶନ ଡକାଯାଇଛି। କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ତେଣୁ ଆମକୁ ସଦା ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଜେଡି ପରିଚାଳନା କରୁଥିବା ଜଣେ ବ୍ୟକ୍ତି ଦଳୀୟ ନେତା ମାନଙ୍କୁ କହିଛନ୍ତି। ନବୀନ ନିବାସରେ ସୋମବାର ଅପରାହ୍ନରେ ଆୟୋଜିତ ବୈଠକରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ରାଜ୍ୟ ବୁଲା ସରିଛି। ଅଳ୍ପଦିନ ମଧ୍ୟରେ ଆସିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକମାନଙ୍କୁ କୁହାଯାଇଛି। ସମସ୍ୟା ସମାଧାନ ହେବା ପରେ ତାହାକୁ ସ୍ଥାନୀୟସ୍ତରରେ ପ୍ରଚାର କରି ରାଜନୈତିକ ଫାଇଦା ନେବାକୁ କୁହାଯାଇଛି।

ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ସହ-ପର୍ଯ୍ୟବେକ୍ଷକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ହେଲେ ବୈଠକରେ ଅବିଭକ୍ତ ଗଞ୍ଜାମ, ପୁରୀ, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା। ମିଶନ୍ ଶକ୍ତିକୁ ସଶକ୍ତ କରିବାକୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେତେକ ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିପାରେ। ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ନିର୍ବାଚନ ସମୟରେ ରାଜଧାନୀରେ ଏକ ଗ୍ରୁପ୍ କାର୍ଯ୍ୟ କରିବ। ଏହି ଗ୍ରୁପ୍ ନିର୍ବାଚନ ବେଳେ ଗଣମାଧ୍ୟମ ଏବଂ ନିର୍ବାଚନ କମିସନ କାର୍ଯ୍ୟାଳୟ ସମ୍ପର୍କିତ କାର୍ଯ୍ୟ ଦେଖିବ ବୋଲି ଜଣାପଡିଛି।

ଦଳର ଛୋଟ ଛୋଟ ବିଶୃଙ୍ଖଳାକୁ ଆରମ୍ଭରୁ ସମାଧାନ ପାଇଁ ପ୍ରାଥମିକତା ଦିଆଯାଇଛି। କେହି ବିଶୃଙ୍ଖଳା କଲେ ତାହାକୁ ଜିଲ୍ଲା ସଭାପତି ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ହୋଇଥିଲେ ସାଙ୍ଗଠନିକ ସମ୍ପାଦକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ମାତ୍ର କେତେକ ସଦସ୍ୟ କହିଛନ୍ତି ଯେ, ଗଜପତି ଓ ପୁରୀ ଜିଲ୍ଲା ବିଜେଡିରେ ବିବାଦ ଥିଲେ ବି କାହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
