ବ୍ୟାଙ୍କକ୍ ଠାରେ ଉନ୍ମୋଚନ ହେଲା ଏନ୍. ଏ. ଶାହ ଅନସାରୀଙ୍କ ପୁସ୍ତକ Community Radio: 100 Answers to make waves

ବ୍ୟାଙ୍କକ୍: ଆଜି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଆମାସାଟ ବିଶ୍ଵ ବିଦ୍ୟାଳୟ ପରିସର ରେ ଆୟୋଜିତ ହେଉଥିବା ଏସୀଆ- ପ୍ରଶାନ୍ତ ମହଦେଶୀୟ ଗୋଷ୍ଠୀ ବେତାର ମହା ସମ୍ମିଳନୀ ଅବସରରେ ବିଶିଷ୍ଟ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀଙ୍କ ଲିଖିତ ପୁସ୍ତକ Community Radio: 100 Answers to make wave ଉନ୍ମୋଚିତ ହୋଇଯାଇଛି l
ଏହି ମହା ସମ୍ମିଳନୀ ରେ ୩୩ଟି ଦେଶର ୫୦୦ରୁ ଉର୍ଦ୍ଧ୍ବ ଗୋଷ୍ଠୀ ବେତାର ପ୍ରସାରକ ଯୋଗଦେଇଥିବା ବେଳେ ସମସ୍ତ ଦେଶର ପ୍ରତିନିଧି ମଣ୍ଡଳୀ ଏହି ପୁସ୍ତକକୁ ନେଇ ଏକ ସମ୍ପର୍କରେ ଆଲୋଚନା କରିବା ସହ ଏହା ପ୍ରତି ଗୋଷ୍ଠୀ ବେତାର କେନ୍ଦ୍ର ଓ ଏହାର କର୍ମକର୍ତ୍ତା ମାନଙ୍କ ନିମନ୍ତେ ଖୁବ୍ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ l
ଏହି ଅବସରରେ ମତପ୍ରକାଶ କରି ଲେଖକ ଏନ୍. ଏ. ଶାହ ଅନସାରୀ କହିଥିଲେ ଯେ ଏହି ପୁସ୍ତକ ଅନେକ ବ୍ୟକ୍ତିଙ୍କ ସହଭାଗିତାରେ ଲେଖାଯାଇଅଛି l ବିଭିନ୍ନ ଦେଶର ଗୋଷ୍ଠୀ ବେତାରକେନ୍ଦ୍ର ପ୍ରସାରକ ମାନଙ୍କଠାରୁ ଗୋଷ୍ଠୀ ବେତାର କେନ୍ଦ୍ରର ସ୍ଥାପନା,ପରିଚାଳନା, ସ୍ୱାବଲମ୍ବନଶିଳତା ସମ୍ପର୍କୀୟ ପ୍ରଶ୍ନ ଆହ୍ଵାନ କରିବା ପରେ ଉପଯୋଗୀ ୧୦୦ଟି ପ୍ରଶ୍ନର ଉତ୍ତର ଏହି ପୁସ୍ତକରେ ସ୍ଥାନିତ ହୋଇଛି lଏହି ଅବସରରେ ବିଶ୍ୱ ଗୋଷ୍ଠୀ ବେତାର ମହାସଂଘର ଏସୀୟ ସଭାପତି ଡକ୍ଟର ରାମନାଥ ଭଟ୍ଟ, ଥାଇଲାଣ୍ଡ ଜାତୀୟ ପ୍ରସାରଣ ଓ ଟେଲି ଯୋଗାଯୋଗ ଆୟୁକ୍ତ ଥାନାପାନ୍ତ ରାଇ ଚାରୋନ୍ , କେନିଆ ଗୋଷ୍ଠୀ ବେତାର ମହାସଂଘର ମୁଖ୍ୟ ନଯୁକି ଗିଥେତ୍ୱା, ରେଡ଼ିଓ ବିଶେଷଜ୍ଞ ଡ.ଉଆଜିତ ଭିରୋଜ ତ୍ରାଇରାତ୍, ଡକ୍ଟର ମନମୋହନ ସିଂ , ସୁମନ ବାସନେଟ ପ୍ରମୁଖ ଉପସ୍ଥିତି ଥାଇ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଜନ ସହଭାଗିତାରେ ଏତାଦୃଶ ପ୍ରଭାବଶାଳୀ ଓ ସହଭାଗୀ ଶୈଳୀରେ ପୁସ୍ତକ ରଚନା ଅଭିନବ ବୋଲି ପ୍ରକାଶ କରିଥିଲେ l
ସୂଚନାଯୋଗ୍ୟ ଯେ ଜଣେ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଭାବରେ ଏସୀୟ ଦେଶ ମାନଙ୍କରେ ଅନସାରୀଙ୍କର ପରିଚିତି ରହିଛି । ୨୦୧୦ ମସିହାରେ କୋଣାର୍କ ଠାରେ ରାଜ୍ୟର ପ୍ରଥମ କମ୍ୟୁନିଟି ରେଡ଼ିଓ ରେଡ଼ିଓ ନମସ୍କାର ପ୍ରତିଷ୍ଠା କରିଥିବା ଅନସାରୀ ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ରହିଥିଲେ । କମ୍ୟୁନିଟି ରେଡ଼ିଓ ଫର୍ ଚେଞ୍ଜ ନାମକ ୨ଟି ପୁସ୍ତକ ସମ୍ପାଦନା କରିଥିବା ବେଳେ ସେ ବିଶ୍ୱର ୧୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ପ୍ରସିଦ୍ଧ ସାମ୍ବାଦିକତା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କରିଛନ୍ତି ।