ଗୋପବନ୍ଧୁ, ସିଦ୍ଧାନ୍ତ ଗଲେ ଫସର ଫାଟି, ବିକ୍ରମ ଆସିବେ ଗୋପାଳପୁର ବିଜେଡି ବେସର ବାଟି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତି ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱନ କରୁଛନ୍ତି। ଓଡ଼ିଶାର ଏକମାତ୍ର ଜିଲ୍ଲା ଯେଉଁଠି ଦୁଇଟି ଲୋକସଭା ରହିଛି। ଏହି ଜିଲ୍ଲାରେ ବିଜେଡ଼ି କ୍ଲିନ୍ ସୁଇପ୍ କରିଥାଏ। ମାତ୍ର ବିଗତ ଦିନରେ ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ କେତେକ ପ୍ରମୁଖ ନେତାଙ୍କ ଦଳରୁ ଦୂରେଇବା ସମୀକରଣକୁ ଗୋଳମାଳ କରୁଛି। ତେଣୁ ଗଞ୍ଜାମ ରୂପୀ ବିଜେଡି ଗଡ଼ ରକ୍ଷା ଦିଗରେ ଶାସକ ଦଳ ଜୋରଦାର୍ ଉଦ୍ୟମ କରୁଛି। ଦଳ ଚିନ୍ତାର ପ୍ରଥମ କାରଣ ହେଉଛି- ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ।
କରୋନା ପୂର୍ବରୁ ଏହି ଜିଲ୍ଲାର ବିଜେଡି ମୁଣ୍ଡ କହିଲେ ପ୍ରଦୀପ ପାଣିଗ୍ରାହୀଙ୍କୁ ବୁଝା ଯାଉଥିଲା। ମାତ୍ର ତୃତୀୟ ମହଲା ସହ କଳି ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ କ୍ୟାରିୟରଙ୍କୁ ଭିନ୍ନ ଆଡକୁ ନେଇଯାଇଛି। ଏକଦା ଜିଲାରେ ପ୍ରଚୁର କ୍ଷମତାର ଅଧିକାରୀ ହୋଇଥିବା ପ୍ରଦୀପ କୁମାର ପାଣିଗ୍ରାହୀ ବର୍ତ୍ତମାନ ଦଳରୁ ବହିଷ୍କୃତ। ସେ ବିଦା ହେବା ପରେ ତାଙ୍କ ଉତ୍ତରାଧିକ ଚୟନର ଯେଉଁ ଅଭିଯାନ ବିଜେଡି ପକ୍ଷରୁ ଗତ ତିନି ବର୍ଷ ହେଲା ଚାଲିଛି, ତାହା ଶେଷ ହୋଇପାରୁ ନାହିଁ । କେତେବେଳେ ଗୋପବନ୍ଧୁ ଦାଶ, କେତେବେଳେ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନେଇ ଚର୍ଚ୍ଚା ହେଲାଣି। କେତେବେଳେ ମୁଖିଆ ନୂଆ ମହିଳା ମୁହଁ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ହେଲେ ସାମ୍ପ୍ରତିକ ପରିସ୍ଥିତିରେ ନାନା ଦ୍ୱନ୍ଦ୍ୱ ଭିତରେ ବର୍ତ୍ତମାନ ଗୋପାଳପୁର ଦାୟିତ୍ୱ ବ୍ରହ୍ମପୁରର ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ କାନ୍ଧରେ ଦିଆଯାଇଛି। ଗତ ବୁଧବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡ଼ି ବନ୍ଧୁ ମିଳନରେ ଏକଥା ଆପାତଃ ସ୍ଥିର ହୋଇଯାଇଥିବା ଜଣାପଡିଛି । ମଞ୍ଚ ଉପରେ ବରିଷ୍ଠ ନେତାଙ୍କ ଭାଷଣରେ “ଗୋପାଳପୁର ଦାୟିତ୍ୱ ନେବେ ବିକ୍ରମ” ଶୁଣିବାକୁ ମିଳିବା ପରେ ଏହାକୁ ନେଇ ଗୋପାଳପୁର ଛକ ବଜାରରେ ଚର୍ଚ୍ଚା ଜୋର୍ ଧରିଛି ।
ବିଜେଡ଼ିରୁ ବହିଷ୍କୃତ ହେବା ପରେ ପ୍ରଦୀପ ଅନ୍ୟ କୌଣସି ଦଳର ଶରଣ ନେଇନାହାନ୍ତି । କିନ୍ତୁ ସେ ବିଜେପିରେ ସାମିଲ ହେବାକୁ ଯାଉଥିବା ନେଇ ମଝିରେ ମଝିରେ ଚର୍ଚ୍ଚା ହେଉଛି । ଏଣୁ ବିଜେଡ଼ି ଟିକେଟରେ ଲଢ଼ି ଗୋପାଳପୁରରୁ ତିନି ଥର ବିଧାୟକ ହୋଇଥିବା ପ୍ରଦୀପଙ୍କୁ ଚ୍ୟାଲେଞ୍ଜ ଦେଲା ଭଳିଆ ଜଣେ ନେତାଙ୍କୁ ଖୋଜୁଛି ଶଙ୍ଖ ଦଳ । ପୂର୍ବରୁ କେତେ ଜଣ ନେତାଙ୍କୁ ପରୀକ୍ଷାମୂଳକ ଭାବେ ନିର୍ବାଚନ ମଣ୍ଡଳୀରେ ବୁଲାବୁଲି କରିବାକୁ ଛଡ଼ାଯାଇଥିଲେ ମଧ୍ୟ ସେମାନେ କର୍ମୀଙ୍କ ମନ ଜିଣିବାରେ ବିଫଳ ହୋଇଥିବା ଶୀର୍ଷ ନେତୃତ୍ୱ ସ୍ପଷ୍ଟ ହେଲେଣି । ଏଭଳି ସମୟରେ ଗୋପାଳପୁର ଦାୟିତ୍ୱ ବିକ୍ରମକୁ ପ୍ରଦାନ କରିବାକୁ ଦଳ ଯୋଜନା କରୁଛି । ଗତ କିଛି ମାସ ହେଲା ବିକ୍ରମ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବାରେ ଲାଗିଛନ୍ତି। ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ସଫଳ ରୂପାୟନ ପାଇଁ କର୍ମୀଙ୍କୁ ନେଇ ପ୍ରସ୍ତୁତ ବୈଠକ ଠାରୁ ଆରମ୍ଭ କରି ଗଣେଶ ପୂଜା ସମୟରେ ଗାଁ ଗାଁ ଯାଇ ଅଗ୍ରପୂଜ୍ୟଙ୍କ ଦର୍ଶନ କରିଥିଲେ ବିକ୍ରମ । ବହୁ ନେତା ଓ କର୍ମୀ ମଧ୍ୟ ତାଙ୍କ ସହ ବୁଲୁଛନ୍ତି । ଗୋପାଳପୁରରେ ସାଂଗଠନିକ ବୈଠକଗୁଡ଼ିକରେ ବିକ୍ରମଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି । ସୁବିଧା ଅସୁବିଧା ସଂପର୍କରେ କର୍ମୀମାନେ ତାଙ୍କୁ ଯୋଗାଯୋଗ କରୁଛନ୍ତି । ଏପରିକି ଗଞ୍ଜାମ ଜିଲାର କେତେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ବିକ୍ରମ ଗୋପାଳପୁରରୁ ଲଢ଼ିବେ ବୋଲି କହିବା ଆରମ୍ଭ କରିସାରିଲେଣି।
ଅପରପକ୍ଷେ ବିକ୍ରମ ଯଦି ଗୋପାଳପୁରରୁ ପ୍ରାର୍ଥୀ ହୁଅନ୍ତି, ତେବେ ବ୍ରହ୍ମପୁର ପାଇଁ ଦଳ କାହାକୁ ଭରସା କରିବ, ତାହାକୁ ନେଇ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦଳ ମହିଳା କାର୍ଡ ଖେଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କାରଣ ୧୯୭୭ ମସିହାରେ ସ୍ୱାଧୀନ ପ୍ରାର୍ଥିନୀ ରତ୍ନ ମଞ୍ଜରୀ ଦେବୀଙ୍କ ବ୍ୟତୀତ ବ୍ରହ୍ମପୁରରୁ ଆଉ କେହି ମହିଳା ବିଧାୟକ ନିର୍ବାଚିତ ହୋଇନାହାନ୍ତି ।