ଲକ୍ଷ ଲକ୍ଷ ଟଙ୍କା ଦେଇ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଆସିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମ୍ମଦାବାଦ : ନିକଟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚରେ ଜଣେ ଜଣେ ଶିଳ୍ପପତି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାଚ ଦେଖିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଜେଏସ୍ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍ର ଅଂଶୁମାନ ରୁଇଆ, ଆର୍ପି-ସଂଜୀବ ଗୋଏଙ୍କା ଗ୍ରୁପ୍ର ସଂଜୀବ ଗୋଏଙ୍କା, ଏମ୍ଆର୍ଏଫ୍ର କେଏମ୍ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ଅନ୍ୟତମ। ଦେଶର ଏକାଧିକ ଛୋଟ ବଡ଼ ଷ୍ଟାର୍ଟଅପ୍ ସଂସ୍ଥାର ସିଇଓ ଏବଂ ଶିଳ୍ପପତି ଘରୋଇ ବିମାନ ବୁକ୍ କରି ମ୍ୟାଚ୍ ଦେଖିବାକୁ ଆସିଥିଲେ। ମିଳିଥିବା ସବଚନା ଅନୁଯାୟୀ ପ୍ରାୟ ୧୫ ଆସନ ବିଶିଷ୍ଟ ଏକ ଜେଟ୍ର ଭଡ଼ା ୨୫ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି।
ଏହି ହାଇ ପ୍ରୋଫାଇଲ୍ ମ୍ୟାଚ୍ ପାଇଁ ଅହମଦାବାଦ ସହର କେବଳ ଗହଳି ହୋଇ ନ ଥିଲା। ସ୍ଥାନୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ସଂଖ୍ୟା ପ୍ରାୟ ୪ ଗୁଣା ବଢିଯାଇଥିଲା। ଦେଶର ଚାରି ପ୍ରମୁଖ ସହର ଯଥା- ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ସେହିଦିନ ଅହମଦାବାଦକୁ ପ୍ରାୟ ୧୦୦ଟି ପ୍ରାଇଭେଟ ଜେଟ୍ ଆସିଥିଲା। ୪ରୁ୬, ୬ରୁ ୮ ଏବଂ ୮ରୁ ୧୩ ଆସନ ବିଶିଷ୍ଟ ବିମାନ ଅଧିକ ସଂଖ୍ୟାରେ ଆସିଥିଲା। ସାଧାରଣ ବିମାନ ପିଛା ଭଡ଼ା ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଏମିତି ବ୍ୟୟବହୁଳ ଗସ୍ତ ତଥା ବିମାନ ଭଡ଼ା ଅନ୍ୟ କୌଣସି ମ୍ୟାଚରେ ଦେଖିବାକୁ ମିଳି ନ ଥିଲା।