ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଗଲା। ପଛୁଆବର୍ଗ(ଓବିସି, ଏସଇବିସି)ଙ୍କ ଅବସ୍ଥା ଜାଣିବା ସହ କାହାକୁ କେଉଁ ବର୍ଗରେ ଅନ୍ତର୍ଭୁକ୍ତ କରାଯିବ, ସେ ନେଇ କମିସନକୁ ପୁର୍ନଗଠନ କରାଗଲା। କରୋନା ପରେ ରାଜ୍ୟ ସରକାର ସର୍ଭେକ୍ଷଣ ଆରମ୍ଭ କଲେ। ସର୍ଭେକ୍ଷଣକାରୀଙ୍କ ନିକଟକୁ ଆସି କିଛିଜଣ ନିଜ ତଥ୍ୟ ପ୍ରକାଶ କଲେ। କେତେକ କଲେ ନାହିଁ। ମାତ୍ର ସର୍ଭେକ୍ଷଣ ସରିଥିବା କମିସନଙ୍କ ପକ୍ଷରୁ କୁହାଗଲା। କମିସନଙ୍କ ପକ୍ଷରୁ ରିପୋର୍ଟ ରାଜ୍ୟ ସରକାରଙ୍କ ପ୍ରଦାନ କରାଯାଇଥିବା ଦୁଇଟି ପ୍ରମୁଖ ଛାପା ଗଣମାଧ୍ୟମରେ ପ୍ରକାଶ ପାଇଲା। ହେଲେ ଏହି ରିପୋର୍ଟକୁ ସରକାର ଏଯାଏଁ ସାର୍ବଜନୀନ କରିନାହାନ୍ତି। ଯାହାକୁ ନେଇ ସରକାରଙ୍କ ପଛୁଆବର୍ଗ ପ୍ରୀତି ପଦାରେ ପଡିଛି।
ଗଣମାଧ୍ୟମରେ ପଛୁଆବର୍ଗଙ୍କ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇ ଖବର ପରିବେଷଣ କରାଗଲା। ହେଲେ ସେମାନଙ୍କ ଅବସ୍ଥାକୁ ନେଇ ଆସିଥିବା ରିପୋର୍ଟ ପ୍ରକାଶ କରାଗଲା ନାହିଁ। ଏହାକୁ ନେଇ ସମାଜ ବିଜ୍ଞାନୀ କିଷାନ୍ ସୁବୁଦ୍ଧି କୁହନ୍ତି ଯେ, ରାଜ୍ୟରେ ମୋଟ ସରକାର ଚାକିରୀ କେତେ ରହିଛି। ତାହାର କେତେ ପ୍ରତିଶତ କେଉଁ ବର୍ଗର ଅଛନ୍ତି। ଓଡ଼ିଶା ଏକ ଖଣିଜ ସମ୍ପଦ ରାଜ୍ୟ। ଏହି ରାଜ୍ୟର ଖଣିଜ ସମ୍ପଦ ଯେଉଁମାନେ ଲିଜ୍ ରେ ନେଇଛନ୍ତି, ସେମାନେ ସବୁ କେଉଁ ବର୍ଗର। ସେହିପରି ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ମାଲିକ ଏବଂ ପରିଚାଳନା ମୁଖ୍ୟ କେଉଁ ବର୍ଗର। ସେହିପରି ରାଜ୍ୟର ବେସରକାରୀ ଭାବେ ଥିବା ଜମି ମଧ୍ୟରୁ କାହା ଭାଗରେ କେତେ ଜମି ରହିଛି। ଏହି ତଥ୍ୟ ଯଦି ସାର୍ବଜନୀନ କରାଯାଇପାରନ୍ତା, ତେବେ ରାଜ୍ୟର ପ୍ରକୃତ ଅବସ୍ଥା ଜଣାପଡନ୍ତା ବୋଲି ଶ୍ରୀସୁବୁଦ୍ଧି କହିଛନ୍ତି।