ରାଜ୍ୟ ସରକାରଙ୍କ ଆୟୋଜନରେ ହବିଶ୍ୟାଳି ଖୁସି
ଭୁବନେଶ୍ୱର : ଦୁଇଦିନ ହେବା କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ ଆଭାସୀ ମାଧ୍ୟମରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହବିଶ୍ୟାଳି ଏବଂ ସେମାନଙ୍କ ବନ୍ଧୁ ପରିଜନ ବେଶ୍ ପ୍ରଶଂସା କରିଛନ୍ତି। ସାମଗ୍ରିକ ଭାବେ ରାଜ୍ୟ ସରକାର ଉନ୍ନତ ବ୍ୟବସ୍ଥା କରିଥିବାରୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଏକତ୍ରିତ ହୋଇଛନ୍ତି। ବ୍ରତ ପାଇଁ ହବିଶ୍ୟାଳି ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ ବୋଲି ଉଦଘଟନ ସମୟରେ ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ସେ କହିଲେ ଯେ, ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ। ମା ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ – ସବୁ ବ୍ୟବସ୍ଥା ହୋଇଛି । ଆପଣମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ ପୁରା ପ୍ରସ୍ତୁତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି। କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ। ଏହି କାର୍ଯ୍ୟକ୍ରମରେ କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧା ଦେବୀ ପଣ୍ଡା ପ୍ରମୁଖ ହବିଶ୍ୟାଳି ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ।
ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ୨୦୧୬ରୁ ହବିଶ୍ୟାଳି ଯୋଜନା ଆରମ୍ଭ କରିଛନ୍ତି।ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି। ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମା ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଶ୍ୟାଳି ମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ରେ ମଧ୍ୟ ବ୍ୟବସ୍ଥା କରାଯାଇଛି।