ଗିରଫ ହେଲେ ଟୁଟୁ ନାୟକ, ମନୋଜଙ୍କ ନାଁ ପୋଷ୍ଟର ଚିରା ଅଭିଯୋଗ

ଭୁବନେଶ୍ୱର : ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶନିବାର ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପକ୍ଷରୁ ଦେବସ୍ମିତାଙ୍କ ଏତଲା ଆଧାରରେ ଗିରଫ କରାଯାଇଛି। ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଜୋନ୍-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲାଗିଥିବା ଜଣାପଡିଛି।
ଗତ ଶୁକ୍ରବାର ଓଡ଼ିଆ ଫିଲ୍ମ ‘ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହିଦିନ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ ଦେବସ୍ମିତା। ସେ ଗେଟ୍ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ ଗତକାଲି କରିଥିଲେ। ଅଭିଯୋଗକୁ ଆଧାର କରି କମିଶନରେଟ୍ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସେହିପରି ଓଡ଼ିଶା ୱିମେନ୍ ଆଣ୍ଡ ମିଡ଼ିଆର ପ୍ରତିନିଧି ଦଳ ମଧ୍ୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ।
ଅନୁରୂପ ଭାବେ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ। ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାରବେଳ ନଗର ଥାନାରେ ଟୁଟୁଙ୍କୁ ଜେରା କରାରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ କୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୋଗକାରୀଙ୍କ ୧୬୧ରେ ବୟାନ୍ ରେକର୍ଡ କରାଯାଇଥିବା ଜଣାପଡିଛି। ସେପଟେ ଅନ୍ୟ ଏକ ମାମଲାରେ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା କରାଯାଇଛି। ମନୋଜଙ୍କ ନାଁରେ ଏତଲା ଦେଇଛନ୍ତି ସଦ୍ୟ ମୁକ୍ତିଲାଭ କରିଥିବା ‘ପ୍ରଥା’ ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ। ପ୍ରଥାର ପୋଷ୍ଟର ଚିରିବା ପଛରେ ମନୋଜଙ୍କ ହାତଥିବା ଅଭିଯୋଗ ହୋଇଛି।