ପର୍ଯ୍ୟଟନ ଓ ଆତିଥ୍ୟତା ଶିଳ୍ପର ପ୍ରଶିକ୍ଷଣ ନେଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ରାଜଧାନୀ କଲେଜ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା(ପର୍ଯ୍ୟଟନ ଓ ଆତିଥ୍ୟତା) ପକ୍ଷରୁ ହୋଟେଲ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ କଲେଜ ପ୍ରିନ୍ସିପାଲ ମିନତୀ ମିଶ୍ର, ଓସେପା ଏବଂ ଇନଡ଼ସ ଏଡୁଟ୍ରେନ ପ୍ରାଇଭେଟ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ହୋଟେଲ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବାସ୍ତବିକ ଜ୍ଞାନ ବିକାଶ ପାଇଁ ସହାୟକ ହୋଇଥିଲା । ପୁସ୍ତକରେ ପଢ଼ୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ରଛାତ୍ରୀଙ୍କୁ ଖୁବ ଉତ୍ସାହିତ କରିବା ସହ ସେମାନଙ୍କ ବାହ୍ୟ ଜ୍ଞାନ ର ବିକାଶ କରିଥିଲା । ରାଜଧାନୀ କଲେଜ ପର୍ଯ୍ୟଟନ ଏବଂ ଆତିଥ୍ୟତା ଧନ୍ଦାମୂଳକ ଶିକ୍ଷୟିତ୍ରୀ ବନ୍ଦନା ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର, ନୟାପଲ୍ଲୀ ସ୍ଥିତ ତାରକା ହୋଟେଲ “ଦ ପ୍ରେସିଡେନ୍ସି” କୁ ପରିଭ୍ରମଣ ପାଇଁ ନେଇଥିଲେ । ସେଠାରେ ହୋଟେଲ ର ବିଭିନ୍ନ ବିଭାଗର ମ୍ୟାନେଜର ଜ୍ଞାନରଞ୍ଜନ ସାହୁ, ଜିତେନ୍ଦ୍ର ସ୍ୱାଇଁ, ସୁରେଶ କୁମାର ସାହୁ ଏବଂ ଅନ୍ୟ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଗ୍ରାହକ ମାନଙ୍କୁ କିପରି ସ୍ୱାଗତ କରାଯାଏ ସେମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେହିପରି ଗ୍ରାହକଙ୍କୁ ରୁମ ସେବା କିପରି ଦିଆଯାଏ ଏବଂ ସେମାନଙ୍କ ଅଭିଯୋଗ କିପରି ସମାଧାନ କରାଯାଏ ତାହା ବୁଝାଇ ଥିଲେ । ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଖୁବ୍ ଆଗ୍ରହର ସହ ହୋଟେଲର ଉଚ୍ଚପଦସ୍ତ ଅଧିକାରୀ ପ୍ରଦାନ କରିଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ ଧନ୍ଦାମୂଳକ ଶିକ୍ଷାର ଉନ୍ନତି କରଣ ଏବଂ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବାପାଇଁ ପାଠ୍ୟକ୍ରମ ସହ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହା ଛାତ୍ରଛାତ୍ରୀଙ୍କ ବସ୍ତାବିକ ଜ୍ଞାନ ଉନ୍ନତିରେ ସହାୟକ ହେବାସହ ନିଜ କ୍ୟାରିୟର ଚୟନ କରିବାରେ ସହାୟକ ହେବା ନେଇ ସରକାର ଆଶାବାଦୀ ।