ଧାମରା ପରେ ଗୋପାଳପୁର ବନ୍ଦରକୁ ନିଜ ନାମରେ କରିବେ କି ଆଦାନି ?

ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଥିବା ଭାରତର ବ୍ୟବସାୟୀ  ଗୌତମ ଆଦାନି ଗ୍ରୁପ୍ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଗ୍ରୁପର ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ଓଡ଼ିଶାର ଗୋପାଳପୁରସ୍ଥିତ ଶାପୁରଜୀ ପାଲୋଞ୍ଜି ଗ୍ରୁପର ଗୋପାଳପୁର ବନ୍ଦରକୁ ୧୧୦୦ରୁ ୧୨୦୦ କୋଟି ଟଙ୍କାରେ କିଣିବାର ପ୍ରସ୍ତାବ ଦେଇଛି । ଆଦାନୀ ପୋର୍ଟସ ହେଉଛି ଭାରତର ସବୁଠାରୁ ବଡ ସାମୁଦ୍ରିକ କମ୍ପାନୀ । ଆଦାନୀ ପୋର୍ଟସର ବଜାର ସୀମା ୨.୨୩ ଲକ୍ଷ କୋଟି ଟଙ୍କା ରହିଛି। ଗୁରୁବାର ଷ୍ଟକ ବଜାରର ଦୁର୍ବଳତା ସମୟରେ ମଧ୍ୟ ଆଦାନୀ ପୋର୍ଟସର ସେୟାର ୧.୬୩ ପ୍ରତିଶତ ବୃଦ୍ଧି ପାଇ ୧୭ ଟଙ୍କା ବୃଦ୍ଧି ପାଇ ୧୦୩୪ ଟଙ୍କାରେ କାରବାର କରୁଥିଲା ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦରକୁ ଆଦାନିଙ୍କ କଂପାନି କିଣିବା ଲାଗି କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଯଦି ଏହି ଡିଲ୍ ସଫଳ ହେବ ତେବେ ରାଜ୍ୟର ଦୁଇଟି ବନ୍ଦର ଆଦାନିଙ୍କ ମାଲିକାନାରେ ରହିବ। ପୂର୍ବରୁ ଧାମରା ବନ୍ଦର ଆଦାନି ଗ୍ରୁପ୍ ଦ୍ବାରା ପରିଚାଳିତ ହେଉଛି। ଗୋପାଳପୁର ବନ୍ଦରରେ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ୫୬ ପ୍ରତିଶତ ଅଂଶଧନ ରହିଛି। ଏହା ଋଣ ବୋଝ କମ୍ କରିବା ଲାଗି ଅଣ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟରୁ ଓହରିବାକୁ ଚାହୁଛି। ସେହି ପ୍ରକ୍ରିୟାରେ ଗୋପାଳପୁର ବନ୍ଦର ଅଂଶଧନ ବିକ୍ରି କରିବା ଲାଗି ଗ୍ରାହକ ଖୋଜୁଛି। କିଛି ଦିନ ପୂର୍ବେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲୁ ଗ୍ରୁପ୍ ଗୋପାଳପୁର ବନ୍ଦରକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା। ତେବେ ଦାମ୍‌କୁ ନେଇ ମୁଲଚାଲ ଠିକ୍ ନରହିବାରୁ କଥାବାର୍ତ୍ତା ଆଗକୁ ବଢ଼ିପାରିନଥିଲା।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *