୫୮ତମ କ୍ରିକେଟର ଭାବେ ସାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର : ଜାଣନ୍ତୁ ପ୍ରଥମେ କାହାକୁ ମିଳିଥିଲା ଏହି ପୁରସ୍କାର …

ଭାରତୀୟ କ୍ରିକେଟର ମହମ୍ମଦ ସାମି ୫୮ତମ କ୍ରିକେଟର ଭାବେ ଅର୍ଜୁନ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଆଜି (ଜାନୁଆରୀ ୯) ତାଙ୍କୁ ଖେଳର ଏହି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ ଦୁନିଆରେ ସଲିମ୍ ଦୁରାନୀ ଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଥିଲା । ଶେଷ ଥର ପାଇଁ ଶିଖର ଧାୱନ ଏହି ପୁରସ୍କାର ପାଇଥିଲେ। ୨୦୨୧ରେ ଶିଖରଙ୍କୁ ଏହି ସମ୍ମାନ ମିଳିଥିଲା। ଗତବର୍ଷ ଏହି ପୁରସ୍କାର ପାଇଁ କୌଣସି କ୍ରିକେଟରମନୋନୀତ ହୋଇନଥିଲେ ମଧ୍ୟ ଏଥର ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସାମିଙ୍କ ସହ ଅନ୍ୟ ୨୩ ଜଣ ଖେଳାଳିଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
୩୩ ବର୍ଷୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପାଇଁ ୨୦୨୩ ବର୍ଷ ଚମତ୍କାର ଥିଲା। ବର୍ଷ ଶେଷରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ଟି ମ୍ୟାଚ୍ ଖେଳିନଥିଲେ ମଧ୍ୟ ସାମି ୨୪ଟି ୱିକେଟ୍ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ। ବିଶ୍ୱକପର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଛି ।