୧୬ ତାରିଖରେ ୨୬ଟି କୃଷକ ସଂଗଠନର ଭାରତ ବନ୍ଦ ଡାକରା…

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପଞ୍ଜାବର ବହୁ ସଂଖ୍ୟକ କୃଷକ ହରିୟାଣା ସୀମାରେ ଏକାଠି ହେଉଛନ୍ତି। ଏହା ମଧ୍ୟରେ ଭାରତୀୟ କୃଷକ ସଂଗଠନ  ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେ ସମସ୍ତ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ଏହାକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି।
୧୫ଟି ଜିଲାରେ ଧାରା ୧୪୪ ଲାଗୁ କରାଯାଇଛି। ୭ଟି ଜିଲାରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହାରି ମଧ୍ୟରେ ସୋମବାର ଅପରାହ୍ନ ୫ଟାରେ କେନ୍ଦ୍ରମନ୍ତ୍ରୀ ଓ କୃଷକ ନେତାଙ୍କ ମଧ୍ୟରେ ଚଣ୍ଡିଗଡ଼ରେ ଗୁରୁତ୍ୱପୂର୍ଣ୍ଣ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ, ନିତ୍ୟାନନ୍ଦ ରାୟଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ଏବଂ ବିଭିନ୍ନ କୃଷକ ସଂଗଠନର ୧୦ ଜଣ ପ୍ରତିନିଧି ସାମିଲ ହେବେ। ଏହାପୂର୍ବରୁ ଫେବୃଆରୀ ୮ରେ କୃଷକ ସଂଗଠନ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କିଛି ଦାବି ଗ୍ରହଣ କରାଯାଇଥିଲା କିନ୍ତୁ ଏମଏସପିକୁ ଆଇନ କରିବା ସମେତ କେତେକ ଦାବି ଉପରେ ସହମତି ପ୍ରକାଶ ପାଇ ନଥିଲା।

Leave a Reply

Your email address will not be published. Required fields are marked *