ସାଧାରଣ ନିର୍ବାଚନ ପରେ ବଢ଼ିବ ଟେଲିକମ ଶୁଳ୍କ…

ବର୍ତ୍ତମାନ ଆଧୁନିକ ଟେକନୋଲୋଜିର ଯୁଗରେ ପ୍ରତ୍ୟେକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ମୋବାଇଲ୍ ଫୋନ୍ । ଯାହା ମାଧ୍ୟମରେ ପିଲା ଠୁ ବୟସ୍କ ମନୋରଞ୍ଜନଠାରୁ ଆରମ୍ଭ କରି ପେମେଣ୍ଟ କରିବା ଆଦି ଅନେକ ସୁବିଧା ପାଇପାରୁଛନ୍ତି । କିନ୍ତୁ ନିର୍ବାଚନ ଶେଷ ହେବା ପରେ ସେହି ସେବା ହାସଲ ଲାଗି ଲୋକମାନଙ୍କୁ ପକେଟ୍ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । କାରଣ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ନିର୍ବାଚନ ପରେ ଟେଲିକମ୍ ଶୁଳ୍କରେ ୧୫-୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ ଏବଂ ଜୁନ୍ ୪ରେ ଫଳାଫଳ ଘୋଷଣା ହେବ । ଏହାପରେ ଟେଲିକମ୍ ଶୁଳ୍କରେ ବୃଦ୍ଧି ହେବାର ଆଶଙ୍କା ରହିଛି । ଆଣ୍ଟିକ୍ ଷ୍ଟକ୍ ବ୍ରୋକିଂ ପକ୍ଷରୁ ଆକଳନ କରାଯାଇଛି ଯେ, ନିର୍ବାଚନ ପରେ ଟେଲିକମ୍ ଶୁଳ୍କରେ ୧୫-୧୭ ପ୍ରତିଶତ ବୃଦ୍ଧି ଘଟିବ। ଏହାର ସର୍ବାଧିକ ଲାଭ ସୁନିଲ ମିତ୍ତଲଙ୍କ କମ୍ପାନି ଏୟାରଟେଲ୍କୁ ମିଳିବ ।
ଶେଷ ଥର ପାଇଁ ୨୦୨୧ ଡିସେମ୍ବରରେ ଟେଲିକମ୍ ଶୁଳ୍ପରେ ୨୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଏୟାରଟେଲ୍ର ଗ୍ରାହକ ପିଛା ରାଜସ୍ବ ଏବେ ୨୦୮ ଟଙ୍କା ରହିଛି। ୨୦୨୬-୨୭ ସୁଦ୍ଧା ତାହା ୨୮୬ ଟଙ୍କାକୁ ବୃଦ୍ଧି ପାଇବ। ଶୁଳ୍କରେ ବୃଦ୍ଧି ପାଇଁ କମ୍ପାନିର ଗ୍ରାହକ ପିଛା ରାଜସ୍ବ ୫୫ ଟଙ୍କା, ୨ଜିରୁ ୪ଜିକୁ ଅପ୍ଗ୍ରେଡ୍ ପାଇଁ ୧୦ ଟଙ୍କା, ଉଚ୍ଚ ଡାଟା ପ୍ଲାନ୍ ନେଉଥିବା ଗ୍ରାହକଙ୍କ ଓ ପୋଷ୍ଟପେଡ୍ ପାଇଁ ୧୪ ଟଙ୍କା ବଢ଼ିବ।