ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି …
ଭୁବନେଶ୍ବର ; ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ସେହିପରି ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ ।
ସେହିପରି ଆସନ୍ତା ମେ ୧୩ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ମତଦାନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନରେ ମୋଟ୍ ୩୦ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। କଳାହାଣ୍ଡିରେ ୧୦ଜଣ, ନବରଙ୍ଗପୁରରେ ୩ଜଣ, ବ୍ରହ୍ମପୁରରେ ୮ଜଣ, କୋରାପୁଟରେ ୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।