କେକେଆର୍‌କୁ ୨୦ ଓ ହାଇଦ୍ରାବାଦକୁ ୧୩ କୋଟି କିନ୍ତୁ ଜାଣନ୍ତୁ ରାଜସ୍ଥାନ ଓ ଆରସିବି କୁ କେତେ ଟଙ୍କା ମିଳିଲା…

‌ଚେନ୍ନାରେ  କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତୃତୀୟ ଥର ଆଇପିଏଲ୍‌ ଟ୍ରଫି ଜିତିବାରେ ସଫଳ ହୋଇଛି । ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେ‌ଆର୍ ୧୦ ବ‌ର୍ଷ ପରେ ପୁଣି ଥରେ ଆଇପିଏଲର ମୁକୁଟ ନିଜ ମୁଣ୍ଡରେ ପିନ୍ଧିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ କଲିକତା ବାଜି ମାରିବାରେ ସଫଳ ହୋଇଛି । ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା।


ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ଉପବିଜେତା ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଆଇପିଏଲରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳ ମାନଙ୍କୁ ମଧ୍ୟ ମୋଟା ଅଙ୍କର ଟଙ୍କା ପ୍ରଦାନ କରାଯାଇ ଥାଏ । ତେବେ ସବୁ ସିଜିନ ପରି ଏ ସିଜନରେ ମଧ୍ୟ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦୁଇ ଦଳ ରାଜସ୍ଥାନ ଓ ବେଙ୍ଗାଲୁରୁକୁ ଅର୍ଥ ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ୩ୟ ରେ ଥିବା ରାଜସ୍ଥାନକୁ ୭ କୋଟି ମିଳିଥିବା ବେଳେ ୪ର୍ଥ ଦଳ ଭାବେ ଆରସିବିକୁ ୬.୫ କୋଟିର ପୁରସ୍କାର ଦିଆଯାଇଛି ।


ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍‌, ୭୪୧ ରନ୍‌) ନାରଙ୍ଗୀ ଟୋପି ଓ ସର୍ବାଧିକ ୱିକେଟ୍‌ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍‌ (୧୪ମ୍ୟାଚ୍, ୨୪ ୱିକେଟ୍‌) ବାଇଗଣୀ ଟୋପି ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

Leave a Reply

Your email address will not be published. Required fields are marked *