ସ୍ବତନ୍ତ୍ର ବିଧାନସଭା ଅଧିବେଶନ;ଆଜି ୪୫ ଜଣ ବିଧାୟକ ନେବେ ଶପଥ…

ଭୁବନେଶ୍ବର :୩ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଗତକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ଦିନରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମିଶାଇ ୧୦୨ଜଣ ନବନିର୍ବାଚିତ ବିଧାୟକ ବିଧାନସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି (ବୁଧବାର) ଅବଶିଷ୍ଟ ୪୫ଜଣ ନବ ନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହି ପଦ ପାଇଁ କେଉଁମାନେ ନାମାଙ୍କନପତ୍ର ଦାଖଲ କରିବେ ତାହା ସ୍ପଷ୍ଟ ହୋଇନାହିଁ। ବିରୋଧୀ ପ୍ରାୟତଃ ଏହି ପଦ ପାଇଁ ପ୍ରାର୍ଥୀ ଦେଇ ନପାରନ୍ତି। ବିଜେପିରୁ କିଏ ନାମାଙ୍କନ ଦାଖଲ କରିବେ ତାହା ଦେଖିବାର ରହିଛି। ରଣପୁର ବିଧାୟକ ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଅସ୍ଥାୟୀ ବାଚସ୍ପତି ନିର୍ବାଚନ ପରିଚାଳନା ଦାୟିତ୍ବ ତୁଲାଇବେ। ତେବେ ଚଳିତ ବିଧାନସଭାକୁ ରେକର୍ଡ ସଂଖ୍ୟକ ୮୪ଜଣ ନୂଆ ମୁହଁ ଆସିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ଶପଥ ନେଇଥିବାବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଆସନରେ ଦେଖିବାକୁ ମିଳିଥିଲା। ସେ ହିଞ୍ଜିଳି ବିଧାୟକଭାବେ ଶପଥ ନେଇଥିଲେ।

Leave a Reply

Your email address will not be published. Required fields are marked *