ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ସଚେତନତା ଅଭିଯାନ ଆରମ୍ଭ

— ଛାତ ଉପରେ ସୌର ପ୍ୟାନେଲ ସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ବିଭିନ୍ନ ସୁବିଧା ପ୍ରଦାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ

— ସୌର ଶକ୍ତି ଆପଣାଇଥିବା ଗ୍ରୀନ୍ ଚାମ୍ପିଅନମାନଙ୍କୁ ସମ୍ବର୍ଦ୍ଧନା


ବ୍ରହ୍ମପୁର, ୩ ସେପ୍ଟେମ୍ବର ୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମଗ୍ର ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଦକ୍ଷିଣ ଓଡ଼ିଶାର ପ୍ରଚୁର ସୌର ସମ୍ପଦକୁ ଉପଯୋଗ କରିବା ସହ ସୌର ଶକ୍ତିକୁ ଆପଣାଇବା ନେଇ ଲକ୍ଷ୍ୟ ରହିଛି। ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ଆଧାରରେ ନିଆଯାଇଥିବା ଏହି ପଦକ୍ଷେପ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ଶକ୍ତି ସମାଧାନ ଦିଗରେ ଟାଟା ପାୱାରର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।


ଏହି ଅଭିଯାନ ଜନ ସାଧାରଣ ଏବଂ ବାଣିଜ୍ୟିକ ଓ ଶିଳ୍ପ (ସି ଆଣ୍ଡ ଆଇ) ଗ୍ରାହକମାନଙ୍କୁ ସୌର ଶକ୍ତିର ଲାଭ ଏବଂ ଉପଲବ୍ଧ ସବସିଡି ବିଷୟରେ ଜଣାଇବାକୁ ପ୍ରୟାସ କରୁଛି। ଏହି ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ପାଇଁ ବ୍ୟବସ୍ଥା ରହିଛି, ଯାହା ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ଉପରେ ୪୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରେ । ୧ କିଲୋୱାଟ୍ ରୁ ୨ କିଲୋୱାଟ୍ ସିଷ୍ଟମ ପାଇଁ ୩୦ ହଜାର ଟଙ୍କା, ୩ କିଲୋୱାଟ୍ ସିଷ୍ଟମ ପାଇଁ ୭୮ ହଜାର ଟଙ୍କା ଏବଂ ୩ କିଲୋୱାଟରୁ ଅଧିକ ସିଷ୍ଟମ ପାଇଁ ନିର୍ଦ୍ଧାରିତ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ରାଶି ରହିଛି। ଏହି ଅଭିଯାନ ଆବେଦନ ପ୍ରକ୍ରିୟା ଏବଂ ବୈଷୟିକ ମୂଲ୍ୟାଙ୍କନ ସହ ସହାୟତା ପ୍ରଦାନ କରେ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଟାଟା ପାୱାର ଅକ୍ଷୟ ଶକ୍ତିର ଜାତୀୟ ମୁଖ୍ୟ ଶ୍ରୀ କୌଶିକ ସାନ୍ୟାଲ ଏହି ଅଭିଯାନକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।  ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିବା ପାଇଁ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଦିଗରେ ଏହା ଏକ ରାଜ୍ୟବ୍ୟାପୀ ଅଭିଯାନର ଆରମ୍ଭ। ଏହି ପଦକ୍ଷେପ ଅଧିନରେ ସୌର ଶକ୍ତିକୁ ଆପଣାଇ ନିରନ୍ତର ବିକାଶ ଏବଂ ପରିବେଶ ଅନୁକୂଳ ଅଭ୍ୟାସରେ ଯୋଗଦାନ ଦେଇଥିବା ଉପଭୋକ୍ତାଙ୍କୁ “ଗ୍ରୀନ ଚାମ୍ପିୟନ” ଭାବେ ସମ୍ମାନିତ କରାଯାଇଛି।


ବାର୍ଷିକ ୨୮୦ ରୁ ୩୦୦ ଖରା ଦିନ ଅନୁଭୂତ ହେଉଥିବା ଯୋଗୁଁ ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ପାଇଁ ବିପୁଳ ସମ୍ଭାବନା ରହିଛି। ଶିଳ୍ପ ଓ ଖଣି ବର୍ଜ୍ୟ ଜମି ସମେତ ରାଜ୍ୟର ବିସ୍ତୃତ ଭୂ-ସମ୍ପଦ ଏବଂ ଜଳଭଣ୍ଡାର ସୌର ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଏହାର ବିବିଧ ପ୍ରାକୃତିକ ବୈଶିଷ୍ଟ୍ୟ ଯୋଗୁଁ ସୌର ଶକ୍ତି ଭିତ୍ତିଭୂମି ପାଇଁ ଏକ ଉପଯୁକ୍ତ ସ୍ଥାନ।



ଏହି ପଦକ୍ଷେପର ଗୁରୁତ୍ୱ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଦକ୍ଷିଣ ଓଡ଼ିଶାରେ ଆମର ସୌର ସଚେତନତା ଅଭିଯାନ ଏହି ଅଞ୍ଚଳର ସୌର ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ପ୍ରଚାର ପ୍ରସାର ମାଧ୍ୟମରେ ଆମର ୨୩ ଲକ୍ଷ ଉପଭୋକ୍ତାଙ୍କ ପାଇଁ ସହଜରେ ସୁଲଭ ମୂଲ୍ୟରେ ସୌର ଶକ୍ତି ଉପଲବ୍ଧ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ। ଏହା ସହ ଆମେ ଭରସାଯୋଗ୍ୟ ଓ କମ୍ ଖର୍ଚ୍ଚ ହେଉଥିବା ସ୍ୱଚ୍ଛ ଶକ୍ତି ସମାଧାନ ଯୋଗାଇ ଗୋଷ୍ଠୀ ସଶକ୍ତିକରଣ କରୁଛୁ। ଏହି ପଦକ୍ଷେପ ଟିପିଏସ୍ଓଡିଏଲର ଏକ ସବୁଜ, ଆତ୍ମନିର୍ଭରଶୀଳ ଭାରତ ପରିକଳ୍ପନା ସହିତ ସଂପୂର୍ଣ୍ଣ ଭାବେ ସମନ୍ୱିତ।”

ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୪୬୦ ମେଗାୱାଟ୍ ସୌର ଶକ୍ତି ଥିବା ବେଳେ ଏହାକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି। ଅକ୍ଷୟ ଶକ୍ତି ନୀତି ୨୦୨୨ରେ ୨୦୩୦ ସୁଦ୍ଧା ୧୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସୌର ଶକ୍ତି କ୍ଷେତ୍ରକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ରାଜ୍ୟର ଯଥେଷ୍ଟ ସୌର ଶକ୍ତି କ୍ଷମତା ଏବଂ ସହାୟକ ନୀତିକୁ ଉପଯୋଗ କରିବା ସହ ଜନ ସାଧାରଣ ଓ ବ୍ୟବସାୟୀମାନଙ୍କୁ ସୌର ଶକ୍ତିରେ ନିବେଶ କରିବା, ସେମାନଙ୍କର କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଏବଂ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ।


ଏହି ଅଭିଯାନ ମାଧ୍ୟମରେ ଟିପିଏସ୍ଓଡିଏଲ୍ ସୋଲାର ରୁଫ ଟପ୍ ବ୍ୟବହାରର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଟାଟା ପାୱାର ସୋଲାର ଦ୍ଵାରା ଏହା ସୁବିଧାରେ ଉପଲବ୍ଧ ବୋଲି ଉପଭୋକ୍ତାଙ୍କୁ ଜଣାଇବା ପାଇଁ ପ୍ରୟାସ କରୁଛି। ୨ ଗିଗାୱାଟରୁ ଅଧିକ ସୌର ଶକ୍ତି କ୍ଷମତା ସ୍ଥାପନ କରି ସାରିଥିବା ଟାଟା ପାୱାର ସୋଲାର ନିକଟରେ ଏହି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି। କମ୍ପାନୀର ୧୩ ପ୍ରତିଶତ ମାର୍କେଟ ସେୟାର ଥିବା ବେଳେ ଲଗାତାର ୯ ବର୍ଷ ଧରି ରୁଫ୍ ଟପ୍ ସୋଲାର ବ୍ୟବସାୟରେ ଏକ ନମ୍ବର କମ୍ପାନୀ ରହିଆସିଛି। ପ୍ରତ୍ୟେକ ଘରେ ଭରସାଯୋଗ୍ୟ, ସୁଲଭ ଏବଂ ସ୍ଥାୟୀ ସୌର ଶକ୍ତି ଯୋଗାଇବା ପାଇଁ ଟାଟା ପାୱାର ଏହାର ମିଶନ ଜାରି ରଖିଛି।


ଉପଭୋକ୍ତା ନିମ୍ନ ୱେବସାଇଟରେ ଆବେଦନ କରି ଏହି ଯୋଜନାର ଲାଭ ପାଇ ପାରିବେ : https://www.pmsuryaghar.gov.in/

Leave a Reply

Your email address will not be published. Required fields are marked *