Whatsup University ରୁ ଯାହା ଆସିଲା ତାହା ଖବର, ଅନୁସନ୍ଧାନ କି ଦରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)-ଶ୍ୟାମ ବେନେଗଲଙ୍ଗ ନିର୍ଦ୍ଦେଶିତ ଏକ ବ୍ୟଙ୍ଗାତ୍ମକ ଓ ମନୋରଞ୍ଜନଧର୍ମୀ ଚଳଚିତ୍ର ଆସିଥିଲା।
ଚଳଚ୍ଚିତ୍ରର ନାଁ ହେଉଛି ଓ୍ବେଲଡନ୍ ଆବା ।
ଏହି ଫିଲ୍ମରେ ଦେଖା ଯାଇଛି ଗୋଟିଏ କୁଅ ଚୋରି ହୋଇ ଯାଇଛି।
ହଁ ଆଜ୍ଞା, ପାଣି କୁଅ ।
ଏକଥା ମନେ ପଡିଗଲା କାହିଁକି ନା, ସମ୍ବାଦରେ ପ୍ରକାଶ ପାଇଛି, କେଜରିୱାଲ ଯେଉଁ ଘର ଖାଲି କଲେ ସେ ଘରୁ ଗୋଟିଏ ପାଇଖାନା ଚୋରି ହୋଇ ଯାଇଛି। ‘କେଜରିଓ୍ବାଲଙ୍କ ପୁରୁଣା ଘରୁ ୧୨ ଲକ୍ଷର ପାଇଖାନା ଗାଏବ ।
ଆପଣ ପଚାରିବେ ପାଇଖାନା କେମିତି ଗାଏବ ହୋଇଗଲା ? ବାଲ୍ଟି କିମ୍ବା ମଗ୍ ଗାଏବ ହୋଇଥିଲେ ଆମେ ଭାବିଥାନ୍ତୁ କେଜରିୱାଲ ଘର ଛାଡ଼ିବା ବେଳକୁ ସେସବୁ ନେଇ ଯାଇଛନ୍ତି। କିନ୍ତୁ ପାଇଖାନା କ’ଣ ସେ ନେଇକି ପଳେଇଗଲେ ?
ଆଜ୍ଞା ସବୁକିଛି ସମ୍ଭବ ।
ପୁରୁଣା ଡିଟେକ୍ଟିଭ୍ ବହିରେ ଆପଣ ପଢିଥିବେ
ଗୋଟିଏ ଗୋଷ୍ଠି ଜଣକୁ ବାନ୍ଧି ଆଣି ତା ଉପରେ ଅତ୍ୟଧିକ ଆଲୁଅ ପକାନ୍ତି କିମ୍ବା ତା କାନ ପାଖରେ ବହୁତ ଜୋରରେ ଶବ୍ଦ କରନ୍ତି।
ଏବେ ସେମିତି, ଯାହା ପାଖରେ ଲାଇଟ୍ ଓ ସାଉଣ୍ଡ ରହିଛି, ସେ ଅଧିକାଂଶ ଲୋକଙ୍କ ଭିତରୁ ସ୍ବାଭାବିକ ସର୍ବନିମ୍ନ ଚେତନା ବାହାର କରିଦେବ । ତାପରେ ତାକୁ ଯାହା କୁହାଯିବ ସେ ଗ୍ରହଣ କରି ନେବ ।
ଲୋକେ କହୁଛନ୍ତି ବିଜେଡି ଅମୁକ ପାଇଁ ହାରିଲା ସମୁକ ପାଇଁ ହାରିଲା ।
ମୁଁ କହୁଛି ନା ।
ଯାହା ପାଖରେ ଲାଇଟ୍ ସାଉଣ୍ଡ ରହିଲା
ସେ କିଛି ବି କହି କାହାକୁ ବି ହରେଇ ଦେବ ।
ତେବେ ସେ ଯାହା ହେଉ,
ବିଜେପି ସେ ଘରକୁ ଶିଶମହଲ କହୁଛି । ସମ୍ବାଦ ବି ଶିଶମହଲ କହୁଛି। ବିଜେପି ବିରୋଧୀ ଦଳ । ସେ କହିଲା ଚଳିବ । କିନ୍ତୁ ସମ୍ବାଦ କେମିତି କହିବ ? ସେମିତି ବିଜେପି ଠାରୁ ଶିଖି ଅଧିକାଂଶ ଗଣମାଧ୍ୟମ କହୁଛନ୍ତି ଇଣ୍ଡି ଗଠବନ୍ଧନ।
ତାଛଡା ପ୍ରମେୟ ଯେଉଁ ଘରର ଫଟୋ ଛାପିଛି, ତାହା କେଜରିୱାଲଙ୍କ ପୁରୁଣା ବାସଭବନ ଭଳି ଦେଖା ଯାଉନି । କାରଣ ଗତବର୍ଷ ହିଁ ମୁଁ ତାଙ୍କ ପୁରୁଣା ବାସଭବନକୁ ଯାଇଛି। ତେଣୁ ପ୍ରମେୟ ପାଖକୁ ସେ ଚିତ୍ର କେଉଁ ହ୍ବାଟସପ୍ ଗୃଫରୁ ଆସିଲା ?
କେଜରିୱାଲ ଘର ଛାଡ଼ିବା ପରେ ସେ ଘରୁ ନୂଆ ମୂଖ୍ୟମନ୍ତ୍ରୀ ଆତିଶିଙ୍କର ଆସବାସ ପତ୍ର ରଖେଇ ଦେଲେ ନାହିଁ। କହିଲେ ଇନଭେଣ୍ଟ୍ରି ନିଆ ଯିବ ।
ଭଲ କଥା।
କିନ୍ତୁ ଖାଲି ଘରର ଭିଡିଓଗ୍ରାଫି ତ କରି ଛଡା ଯାଇ ପାରିଥାନ୍ତା ନା ? ଏ ପର୍ଯ୍ୟନ୍ତ ସେମିତି କିଛି ଭିଡିଓ ଦେଖିବାକୁ ମିଳି ନାହିଁ। ଯେଉଁ ଦାମି ଦାମି ଜିନିଷ କେଜରିୱାଲ ଲଗେଇଛନ୍ତି ବୋଲି କୁହା ଯାଉଛି, ସେଥିରୁ ଗୋଟିକର ବି ବିଲ୍ ସାମନାକୁ ଆସିନାହିଁ।
କୁହା ଯାଉଛି କେଜରିୱାଲ ତାଙ୍କ ବାସଭବନରେ ୧୬ ଟି ଏସି ଲଗେଇ ଥିଲେ ।
ସତରେ, ଏ ଲାଇଟ୍ ସାଉଣ୍ଡ ମିଡ଼ିଆ ବାଲା ଆମ ଭିତରୁ କମନ୍ ସେନ୍ସ ଟିକକ ବାହାର କରି ସାରିଲେଣି।
ଆଜ୍ଞା, ଏତିକି ତ ପଚାରି ପାରିବା,
କେଜରିୱାଲ ପରିବାର ୬ ଜଣ,
ସେମାନେ ୧୬ଟି ଏସି କାହିଁକି ଲଗେଇବେ ?
ଯଦି ଲଗେଇଛନ୍ତି ତାହାର ତ କିଛି କାରଣ ଥିବ ନା ?
କେଜରିୱାଲ ପୁରୁଣା ଘର ସହିତ ଗୋଟିଏ ହଲ୍ ରହିଛି, ଯେଉଁଠି ବିଭିନ୍ନ ଆଗନ୍ତୁକମାନଙ୍କ ସଭା ହୁଏ । ଆମେ ଓଡ଼ିଶାରୁ ଯେଉଁମାନେ ଯାଇଥିଲୁ ସେହି ହଲ୍ ରେ ବସିଥିଲୁ । ସେ ଘରେ ୬ଟି ଏସି ଲାଗିଛି ।
କେଜରିୱାଲଙ୍କ ପୁରୁଣା ବାସ ଭବନରେ ଷ୍ଟାଫ୍ କ୍ୱାର୍ଟର ନଥିଲା। ଏବେ ସେସବୁ ତିଆରି ହୋଇଛି।
ସେମାନଙ୍କ ଘରେ ମଧ୍ୟ ଏସି ଲାଗିଥିବ ।
ତେଣୁ ମୁଁ ଏସବୁ ନଇକୂଳିଆ ଝାଡା ଯିବା ଓ ଗୁଡାଖୁ ଘଷିବା ସମୟର ଗପ ବିଷୟରେ ଆଉ କହିବାକୁ ଚାହୁଁ ନାହିଁ। ତଥାକଥିତ ମଦ ଦୁର୍ନୀତି ବିଷୟରେ ଏମାନଙ୍କ ପାଖରେ ପକ୍କା ପ୍ରମାଣ ଥିଲା। କିନ୍ତୁ ଏବେ କୋର୍ଟ କହିଲା ଇଡି ପକ୍ଷ କେଶ୍ ବିଚାର ଆରମ୍ଭ କରିବା ପାଇଁ ଚାହୁଁ ନାହିଁ ଓ ସିବିଆଇ ହେଉଛି ପଞ୍ଜୁରୀ ଭିତର ଶୁଆ ।ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ୪୨୦ କଏଦୀ କେଜରିୱାଲଙ୍କ ବିରୁଦ୍ଧରେ ବଦନାମ କରି ଚିଠି ଲେଖେ । ସେ ଚିଠି କେଜରିୱାଲଙ୍କ ପାଖରେ ପହଞ୍ଚେ ନାହିଁ। କିନ୍ତୁ ପ୍ରମେୟ ଅଫିସ୍ ପହଞ୍ଚି ଯାଏ ।
ଏମାନଙ୍କ ସହିତ ଅଛନ୍ତି ଆମ ଲୋହିଆ ଏକାଡେମି ବିପ୍ଳବୀମାନେ । ଏମାନେ ଦିଲ୍ଲୀରେ ମଦ ଦୋକାନ ଦେଖିକି ଆସିଛନ୍ତି ଓ ଚାଖିକି ଆସିଛନ୍ତି ମଧ୍ୟ।
ପଅରିଦିନ ଶୁଣିବାକୁ ପାଇଲି,କୁଆଡେ ମୂଖ୍ୟମନ୍ତ୍ରୀଙ୍କ ଯାତାୟାତ ଯୋଗୁଁ ଭୁବନେଶ୍ୱର ଓ କଟକ ରୋଡ୍ ୪ ଘଣ୍ଟା କାଳ ଜାମ୍ ହୋଇ ଯାଇଥିଲା। ଜଣେ ପୂର୍ବତନ ବିଧାୟକ କହିଲେ, ସେ ଖବର ପାଇଛନ୍ତି, ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଦିଲ୍ଲୀ ଭିତରେ ଯିବା ଆସିବା ବେଳେ ତାଙ୍କ ସହିତ ଦୁଇଟି ଗାଡ଼ି ଯାଉଛି।
ମୁଁ କହିଲି, ସେହି କଥା ଆପଣ ଲୋହିଆ ଏକାଡେମିରେ କୁହନ୍ତୁ। ମୋତେ ସିନା ବାହାର କରିଦେଲେ । ଆପଣଙ୍କୁ ବାହାର କରିବେ ନାହିଁ।
ଏ ବିଷୟଟି ଏତେ ତୁଚ୍ଛ, ମୁଁ ଏ ବିଷୟରେ ପ୍ରତିକ୍ରିୟା ଦେବାକୁ ଚାହୁଁ ନଥିଲି ।