ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ସ୍ମରଣ କରାଯିବ, ଯିଏ ଭାରତୀୟ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାଂସ୍କୃତିକ ଏକତାର ସ୍ତମ୍ଭ ବୋଲି ମଧ୍ୟ କହିଛନ୍ତି।

ସୋମବାର ସକାଳେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ଆମେରିକାରେ ରହୁଥିବା 73 ବର୍ଷୀୟ ତବଲା ବାଦକଙ୍କ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାକିରଙ୍କୁ ପ୍ରାୟ 2 ସପ୍ତାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ରବିବାର ଦିନ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାର ରଖାଯାଇଥିଲା।

ଜାକିର ହୁସେନ୍‌ଙ୍କ ଦେହାନ୍ତରେ ସମବେଦନା ଜଣାଇ ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ସେ ତବଲାକୁ ବିଶ୍ୱ ମଞ୍ଚକୁ ଆଣିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅନନ୍ୟ ତାଳରେ ଆନନ୍ଦିତ କରିଛନ୍ତି, ଏବଂ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ବିଶ୍ୱ ସଙ୍ଗୀତ ସହିତ ମିଶ୍ରଣ କରିଛନ୍ତି।

ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅବଦାନ ଅତୁଳନୀୟ । ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *