ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ କଟକ ଜିଲ୍ଲାପାଳଙ୍କ ଅଫିସରୁ ପତ୍ର ସଂଖ୍ୟା (୧୦୭୦/ଜିପି) ରେ କରଯାଇଥିଲା । ଏହି ଚିଠି କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କି, କଟକ-ସଦର ଓ ଆଠଗଡ ଉପଖଣ୍ଡର ଉପଜିଲ୍ଲାପାଳମାନଙ୍କୁ କରଯାଇଥିଲା । କାରଣ ଏହି ଉପଖଣ୍ଡର ବ୍ଲକ ଅଧ୍ୟକ୍ଷମାନେ ବିଭିନ୍ନ ବିଲ ଉପରେ କାଉଣ୍ଟର ଦସ୍ତଖତ କରାଉନାହାନ୍ତି ଯାହା ଫଳରେ ବିଲ ଗୁଡିକ ନିର୍ଦ୍ଧିଷ୍ଟ ଅବଧି ପରେ ବାତିଲ ହୋଇଯାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏହାଦ୍ବାରା ପଞ୍ଚାୟତ ସମିତି ଅଧୀନରେ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ତେଣୁ ସମସ୍ତ ବିଲ ଗୁଡିକୁ ଉପ-ଜିଲ୍ଲାପାଳମାନେ ସାତ ଦିନ ମଧ୍ୟରେ କାଉଣ୍ଟର ଦସ୍ତଖତ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଏହାର ଅର୍ଥ ଓଡିଶା ପଞ୍ଚାୟତ ସମିତି ହିସାବ ପଦ୍ଧତି ନିୟମ ୨୦୦୨ର ନିୟମ ୧୬(୨) ର ଖିଲାପ ହୋଇଛି। ହିନ୍ଦୋଳର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କର ଅଣତାରକା ପ୍ରଶ୍ନ ସଂଖ୍ୟା ୯୭୬ ରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଗତ ଫେବୃୟାରି ୧୮ ତାରିଖରେ ବିଧାନସଭାର ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ “ଓଡିଶା ପଞ୍ଚାୟତ ସମିତି ହିସାବ ପଦ୍ଧତି ନିୟମ, ୨୦୦୨ ର ନିୟମ ୧୬ (୨) ଅନୁଯାୟୀ ସମିତି ଅଧ୍ୟକ୍ଷ ୭ (ସାତ) ଦିନ ମଧ୍ୟରେ ପଞ୍ଚାୟତ ସମିତି ବିଲ ଗୁଡିକରେ କାଉଣ୍ଟର ଦସ୍ତଖତ କରିବାର ବିଧି ବ୍ୟବସ୍ଥା ଅଛି । ସମୟ ସୀମା ମଧ୍ୟରେ କାଉଣ୍ଟର ଦସ୍ତଖତ ନ ଦେଲେ ଉକ୍ତ ବିଲ କାଉଣ୍ଟର ଦସ୍ତଖତ ପାଇଁ ଉପଜିଲ୍ଲାପାଳ ଙ୍କ ପାଖକୁ ପ୍ରେରଣ କରାଯାଏ । ସମିତି ଅଧ୍ୟକ୍ଷଙ୍କ ପରିବର୍ତ୍ତେ ଉପ-ଜିଲ୍ଲାପାଳ ମାନେ ପ୍ରକଳ୍ପ ବିଲ ପାଇଁ କାଉଣ୍ଟର ଦସ୍ତଖତ କରିବାକୁ ଜିଲ୍ଲାପାଳମାନଙ୍କ ଦ୍ଵାରା ନିର୍ଦ୍ଦେଶ ଦିଆଯିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ” ବୋଲି ଦର୍ଶାଇଛନ୍ତି। ଏହି ଘଟଣା ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି, ସାରା ରାଜ୍ୟରେ କି ଅବସ୍ଥା ଏଥିରୁ ସହଜରେ ଅନୁମେୟ l

Leave a Reply

Your email address will not be published. Required fields are marked *