ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କଲା ଚୀନ୍, ଏବେ କଣ କରିବେ ଟ୍ରମ୍ପ ?

Us china trade war: ଚୀନ୍ ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୦ ରୁ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଏହି ଶୁଳ୍କ ମାର୍ଚ୍ଚ ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଚୀନ୍ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଶୁଳ୍କଗୁଡ଼ିକ ଚିକେନ୍, ଗହମ, ମକା ଏବଂ କପା ସମେତ ପ୍ରମୁଖ ଆମେରିକୀୟ ରପ୍ତାନି ଉପରେ ଲଗୁ ହେବ। ଏହି ନିଷ୍ପତ୍ତି ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିବ। ଚୀନ୍ ଉତ୍ପାଦର ଆମଦାନୀ ଉପରେ ଶୁଳ୍କ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଚୀନ୍ ଏହି ନିଷ୍ପତ୍ତି ନେଇଛି। ଚୀନର ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଆମେରିକାରେ ଉତ୍ପାଦିତ କୁକୁଡ଼ା, ଗହମ, ମକା ଏବଂ କପା ଆମଦାନୀ ଉପରେ ଅତିରିକ୍ତ ୧୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ବାଜରା, ସୋୟାବିନ୍, ଘୁଷୁରୀ ମାଂସ, ଗୋମାଂସ, ସାମୁଦ୍ରିକ ଖାଦ୍ୟ, ଫଳ, ପନିପରିବା ଏବଂ କ୍ଷୀରଜାତ ଦ୍ରବ୍ୟ ଉପରେ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରାଯିବ।
ମଙ୍ଗଳବାରଠାରୁ ଆମେରିକା କାନାଡା,ମେକ୍ସିକୋ ଏବଂ ଚୀନରୁ ଆମଦାନୀ ଉପରେ ବ୍ୟାପକ ଶୁଳ୍କ ଲାଗୁ କରିଛି। ଏହି ନୂତନ ଶୁଳ୍କଗୁଡ଼ିକ ଆମେରିକାର ଶୁଳ୍କକୁ ଐତିହାସିକ ସ୍ତରକୁ ନେଇଯାଇଛି, ଯାହା ବ୍ୟବସାୟ ଏବଂ ବିଦେଶୀ ସରକାରଙ୍କୁ ଚିନ୍ତାରେ ପକାଇଛି। ଆଜିଠାରୁ, କାନାଡା ଏବଂ ମେକ୍ସିକୋରୁ ସମସ୍ତ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ସେପଟେ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ଦୁଇଗୁଣ ବୃଦ୍ଧି କରାଯାଇଛି। ଟ୍ରମ୍ପ ବିଶ୍ୱାସ କରନ୍ତି ଯେ ଶୁଳ୍କ ଦେଶର ସମସ୍ୟାର ସମାଧାନ କରିପାରିବ। ସୋମବାର ଦିନ ହ୍ୱାଇଟ୍ ହାଉସରେ ଟ୍ରମ୍ପ୍ କହିଥିଲେ, “ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ରାଜନେତାମାନେ ବ୍ୟବହାର କରିନାହାଁନ୍ତି କାରଣ ସେମାନେ ବେଇମାନ ଥିଲେ, ସେମାନେ ମୂର୍ଖ ଥିଲେ କିମ୍ବା ସେମାନେ ଅନ୍ୟ କୌଣସି ଉପାୟରେ ଟଙ୍କା ରୋଜଗାର କରିଥିଲେ।”