ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ
ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ ମଧ୍ୟରେ କଥୋପକଥନ l
———————————
ବିଶ୍ୱଙ୍କ ପ୍ରଶ୍ନ :- “ପାଣ୍ଡିୟାନ ଓଡ଼ିଶାର କି କ୍ଷତି କରିଛନ୍ତି ?”
*୧. ଓଡ଼ିଶାରେ ନେତୃତ୍ୱ ସଙ୍କଟ ସୃଷ୍ଟି କରିବାରେ ନବୀନ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଥିଲେ ଓ ତାହାର ସଫଳ ରୂପାୟନ କରିଥିଲେ ପାଣ୍ଡିୟାନ। ଏକ ଅମଲା ହୋଇ ତୃଣମୂଳ ସ୍ତ୍ରରର ନେତା ଓ କର୍ମୀଙ୍କୁ ଯେପରି କୋଣଠେସା କରି ନିଷ୍କ୍ରିୟ କରିଦେଲେ, ଓଡ଼ିଶାରେ ନେତାଙ୍କ ଉତ୍ତର ପୀଢ଼ି ତିଆରି ହୋଇ ପାରିଲେ ନାହିଁ। ଏହାଠାରୁ, ଆଉ କଣ ଅଧିକ କ୍ଷତି କରି ଥାଆନ୍ତେ?*
ରଙ୍ଗାଚରଣଙ୍କ ଉତ୍ତର : ମୁଁ ହୁଏତ ଏକମତ ହୋଇପାରେ। କିନ୍ତୁ ଏସବୁ ଯାହା କଲେ ତାହା ବିଜେଡି ମଧ୍ୟରେ କଲେ। ଫଳରେ ବିଜେପି ଆସିଲା । ଯଦି ଏହା ଦ୍ବାରା ଓଡ଼ିଶାର କ୍ଷତି ହେଲା ବୋଲି ଆପଣ ଭାବୁଛନ୍ତି, ତେବେ ମୁଁ କିଛି କହିବନି। 😂
*ବିଶ୍ଵଙ୍କ ପ୍ରଶ୍ନ ନମ୍ବର ୨. ସେ ନା ଜଣେ ନୈତିକତା ସମ୍ପର୍ଣ୍ଣ ଅମଲା ଥିଲେ ନା ଜଣେ ନିଷ୍ଠାବାନ ନେତା। ପ୍ରଶାସକ ଥିବା ବେଳେ ଆଚରଣ ସଂହିତାର ଉଲ୍ଲଂଘନ କରି ସେ ପ୍ରତ୍ୟେକ୍ଷ ରାଜନୀତି ସହ ସଂପୃକ୍ତ ଥିଲେ। ନେତା ହେବା ପରେ ଦଳୀୟ ସ୍ବାର୍ଥକୁ ଅଣଦେଖା କରି, ନିଜ ସୁରକ୍ଷା ଓ ସ୍ବାର୍ଥ ପାଇଁ କାମ କଲେ।*
ରଙ୍ଗା ବାବୁଙ୍କ ଉତ୍ତର: ପ୍ରୋଟୋକଲ ଭାଙ୍ଗିବା ହୁଏତ ସତ ହୋଇପାରେ। କିନ୍ତୁ ଏହା ଦ୍ବାରା ଓଡ଼ିଶାର କ୍ଷତି ହେଲା ବୋଲି କହିବା ହେଉଛି ଯୁକ୍ତିକୁ ଭିଡିବା । ସେ ଜଣେ ନୈତିକତା ସମ୍ପର୍ଣ ଅମଲା ନଥିଲେ ଓ ନିଷ୍ଠାବାନ ନେତା ନଥିଲେ ବୋଲି ଆପଣ ଲେଖିଛନ୍ତି। ଦୁର୍ନୀତିଗ୍ରସ୍ତ ବୋଲି ଆପଣ ଲେଖି ନାହାନ୍ତି। ଅନେକ ଲୋକ ନବୀନବାବୁଙ୍କୁ ମଧ୍ୟ ନୈତିକତାହୀନ ଓ ନିଷ୍ଠା ନଥିବା ବ୍ୟକ୍ତି ବୋଲି କୁହନ୍ତି। ଏପରିକି ସବୁ ନେତାଙ୍କୁ ଓ ଅଧିକାଂଶ ଅମଲାଙ୍କ ବିଷୟରେ ବିଭିନ୍ନ ଲୋକ ଏଇଆ କହିଥାନ୍ତି। ଏହାକୁ ମାପିବାର କୈାଣସି ମାପକାଠି ନାହିଁ। ବିନା କୈାଣସି ତଥ୍ୟରେ ଓ ମାପକାଠିରେ ଏହା ଏକ ଧାରଣା ହୋଇପାରେ। ଆଚରଣ ସଂହିତା ଉଲଂଘନ କଥା ବିଶ୍ବାସ କରିବି ଯଦି ଏହା ବିରୁଦ୍ଧରେ ଏପର୍ଯ୍ୟନ୍ତ କୈାଣସି ଏଫଆଇଆର ହୋଇଥିବ । କାରଣ ଏହା କାନୁନର କଥା। ଏଥିରେ ଆପଣ ପୁଣି ଥରେ ଓଡ଼ିଶାର କ’ଣ କ୍ଷତି କଲେ ନ ଲେଖି ବିଜେଡିର କ’ଣ କ୍ଷତି କଲେ ଲେଖିଛନ୍ତି।
*ବିଶ୍ୱଙ୍କ ପ୍ରଶ୍ନ ୩. ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ଶିକ୍ଷାନୁଷ୍ଠାନର ପରିବେଶକୁ ଅଣଦେଖା କରିବା, ଅବହେଳା କରିବା ଓ ଉଦ୍ଦେଶ୍ୟମୂଳକ ଭାବେ ମୂଲ୍ୟ ହ୍ରାସ କରିବାରେ ସେ ଯେଉଁ ଅବଦାନ ଦେଇଛନ୍ତି, ସେଥି ପାଇଁ ଓଡ଼ିଶା ତାଙ୍କୁ କ୍ଷମା କରିବା କଥା ନୁହେଁ। “ନୂଆ ଓ” କାର୍ଯ୍ୟକ୍ରମର ଅନେକ ଭିଡ଼ିଓ ଆଜି ମଧ୍ୟ ମନେ ଥିବ।*
ଉତ୍ତର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ପରିବେଶକୁ ସେ କେମିତି ଅଣଦେଖା କଲେ ଆପଣ ତାହାର ପ୍ରମାଣ କିମ୍ବା ଉଦାହରଣ ଦେଲେ ନାହିଁ। ହୁଏତ ଏହା ଆପଣଙ୍କର ଏକ ଧାରଣା। ମୁଁ ଜାଣିବାରେ ୨୦୧୯ ପରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ବହୁତ ଉନ୍ନତି ହୋଇଛି। ତେବେ ଏହାର ଶ୍ରେୟ ମୁଁ ମୂଖ୍ୟମନ୍ତ୍ରୀଙ୍କୁ ଦେବି । ଆହୁରି ବହୁତ ହେବାର ଥିଲା। ତେବେ ଏମିତି ନୁହେଁ ଯେ ପ୍ରଥମ ଥର ବିଜେଡି ସରକାର ଆସିବା ବେଳେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ବହୁତ ଭଲ ଥିଲା ଓ ସରକାରଙ୍କ ଆର୍ଥିକ ଅବସ୍ଥା ଭଲ ଥିଲା। ଆପଣ ଲେଖିଛନ୍ତି ସେ ଉଦ୍ଦେଶ୍ୟମୂଳକ ଭାବେ ଶିକ୍ଷାନୁଷ୍ଠାନ ଗୁଡିକର ମୂଲ୍ୟ ହ୍ରାସ କରିଛନ୍ତି। ମୁଁ ଜାଣିବାକୁ ଉତ୍ସୁକ ଆଗରୁ ମୂଲ୍ୟ କେତେ ଥିଲା ଓ ହ୍ରାସ ହେବା ପରେ କେତେ ହେଲା ? କ’ଣ ତାଙ୍କର ଉଦ୍ଦେଶ୍ୟ ଥିଲା ?
*ବିଶ୍ଵଙ୍କ ପ୍ରଶ୍ନ ୪. ଓଡ଼ିଆଙ୍କ ଅର୍ଥକୁ ଖର୍ଚ୍ଚ କଲେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ। ବ୍ୟକ୍ତିଗତ ସଚିବ ଥିବା ବେଳେ ନିଜର ଛବି ତିଆରି କରିବା ପାଇଁ ଓ ପ୍ରଭାବକୁ ବୃଦ୍ଧି କରିବା ପାଇଁ ଅଭିଯୋଗ ଶୁଣାଣୀ ନାମରେ ସେ କରିଥିବା ଅର୍ଥ ଶ୍ରାଦ୍ଧ ଆପଣ ମାନଙ୍କର ମନେ ଥିବ।*
ରଙ୍ଗାଚରଣଙ୍କ ଉତ୍ତର: ମୁଁ ବିଶ୍ବାସ କରି ପାରୁନି । ସେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ କିମ୍ବା ଛବି ତିଆରି କରିବା ପାଇଁ ଯଦି କିଛି କରିଛନ୍ତି, ନୂଆ ସରକାର ଆସିବା ୯ ମାସ ହେଲା, ଏ ନେଇ ଗୋଟିଏ ବି ତଦନ୍ତ ଆରମ୍ଭ ହୋଇ ନାହିଁ କି କେହି ଏଫଆଇଆର କରି ନାହାନ୍ତି। ଯଦି ସରକାରଙ୍କ ବିଭିନ୍ନ ଜନହିତକର ପ୍ରୋଗ୍ରାମ ପାଇଁ ଖର୍ଚ୍ଚ କରିବାରେ ସେ ମୂଖ୍ୟ ଥିଲେ ଓ ଏହା ଦ୍ବାରା ତାଙ୍କର ଛବି ତିଆରି ହୋଇଯାଉଥିଲା, ତାହେଲେ ଓଡ଼ିଶାର କିଛି କ୍ଷତି ହେଲା ବୋଲି ମୁଁ ଭାବୁନାହିଁ। ଯିଏ ବି ସେ କାମ କରିଥାନ୍ତା ତାର ଛବି ତିଆରି ହୋଇଥାନ୍ତା। ସେ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା କ୍ଷମତାପ୍ରାପ୍ତ ହୋଇ ରାଜ୍ୟ ସାରା ବୁଲି ଅଭିଯୋଗ ସଂଗ୍ରହ କରିଥିଲେ। ଏହାକୁ ମୁଁ ବି ‘ପରନ୍ତୁ’ ଭିଡିଓରେ ସମାଲୋଚନା କରିଥିଲି । କିନ୍ତୁ ଏହା ଦ୍ବାରା ଓଡ଼ିଶାର କ’ଣ କ୍ଷତି ହେଲା ? ଏହି ସବୁ ଅଭିଯୋଗର ସମାଧାନ ପାଇଁ ପୂର୍ବ ସରକାର ୪୦୦୦ କୋଟି ଟଙ୍କା ବଜେଟ କରି ଥିଲେ । ନୂଆ ସରକାର ତାହାର ନାଁ ତ ବଦଳାଇଲେ, ତା ସଙ୍ଗେ ସଙ୍ଗେ ସେଥିପାଇଁ ବଜେଟ କମାଇ ୧୦୦୦ କୋଟି ଟଙ୍କା କରିଦେଲେ।
*ବିଶ୍ଵଙ୍କ ପ୍ରଶ୍ନ ୫. ଗଣତନ୍ତ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ଏକ ପ୍ରମୁଖ ଆଭିମୂଖ୍ୟ। ପାଣ୍ଡିୟାନ ପରନ୍ତୁ ଏକଛତ୍ରବାଦ ମନୋବୃତ୍ତି ନେଇ ଶାସନ କରୁଥିଲେ ( ବ୍ୟକ୍ତିଗତ ସଚିବ ଥିବା ବେଳେ) । ଜନସାଧାରଣ ଓ ନେତାଙ୍କ ମଧ୍ୟରେ ଦୂର୍ଭେଦ୍ୟ ପାଚେରୀ ହୋଇ ଠିଆ ହୋଇ ରହିଥିଲେ।*
ରଙ୍ଗାଚରଣ ଉତ୍ତର: କିଛି ଠୋସ୍ କୁହନ୍ତୁ। ସେ ଏକଛତ୍ରବାଦୀ ଥିଲେ, ଗର୍ବୀ ଥିଲେ, ଅହଙ୍କାରୀ ଥିଲେ – ଏସବୁ ହୁଏତ ଠିକ୍ ହୋଇପାରେ କିମ୍ବା ଭୁଲ୍ ହୋଇପାରେ। କିନ୍ତୁ ମୋ ପ୍ରଶ୍ନର ଉଦ୍ଦେଶ୍ୟ ତାହା ନଥିଲା । ମୁଁ ବିଶେଷ୍ୟ ଚାହୁଁଛି, ବିଶେଷଣ ନୁହେଁ।ସେ ତ ଆଉ ବିଜେପି ଏବଂ କଂଗ୍ରେସରେ ନେତା ଓ ଜନସାଧାରଣଙ୍କ ମଧ୍ୟରେ ପ୍ରାଚୀର ଠିଆ କରି ନଥିଲେ ? ଯାହା କରିଥିବେ ତାଙ୍କ ନିଜ ଦଳରେ କରିଥିବେ । ଏହା ଦ୍ବାରା ତାଙ୍କ ଦଳର କ୍ଷତି ହୋଇଥିବ । ଓଡ଼ିଶାର କ’ଣ କ୍ଷତି ହେଲା ?
*ବିଶ୍ଵଙ୍କ ପ୍ରଶ୍ନ ୬. ଓଡ଼ିଆ ଭାଷା ସାହିତ୍ୟ ବିଶ୍ଵ ସମ୍ମିଳନୀ ହେଉ ବା କାମିୟା ଯାନି, ବା ଯୁବିନ ନତୀୟାଲ, ଓଡ଼ିଆଙ୍କ ଅର୍ଥ ଶ୍ରାଦ୍ଧ କରି ଲୋକଙ୍କ ଆଖି ଝଳସାଇ ଦେଇ ଲୋକଙ୍କୁ ଜଳକା ବନେଇବାର ଧୂର୍ତ୍ତାମି କରିଥିଲେ।( Optics over Substance )। ଏହା ଏକ ପ୍ରବଞ୍ଚନା ବା ଠକାମୀ।*
ରଙ୍ଗାଚରଣଙ୍କ ଉତ୍ତର: ଏଫ୍ ଆଇ ଆର କାହିଁ ? ଏସବୁ ପୁରୁଣା ଆଇନରେ ଦଫା ୪୨୦ ରେ ଆସୁଥିଲା। ଏବେ କେଉଁ ଦଫାରେ ଆସୁଛି ମୁଁ ଜାଣିନି। ତଦନ୍ତ କାହିଁ ? କେସ୍ କାହିଁ ? ଏପରିକି ଅଭିଯୋଗଟିଏ ବି କାହିଁ ? ଆଉ ରହିଲା Optics କଥା। ଯାହାର ମିଡ଼ିଆ ବଳ ବେଶି ସେ Optics ତିଆରି କରେ ।
*ବିଶ୍ଵଙ୍କ ପ୍ରଶ୍ନ ୭. ନବୀନ ବାବୁଙ୍କ ଶାସନର ଶେଷ ପର୍ଯ୍ୟାୟରେ ଯେପରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବା ରାଜନେତାଙ୍କ ଦ୍ଵାରା ପ୍ରୋତ୍ସାହିତ ଅପରାଧ ଦେଖିବାକୁ ମିଳିଲା, ତାହା ଶାନ୍ତି ପ୍ରିୟ ଓଡ଼ିଶାର ସାମାଜିକ ଜୀବନ ପାଇଁ ଚିନ୍ତାର ବିଷୟ ଥିଲା।*
ରଙ୍ଗା ବାବୁଙ୍କ ଉତ୍ତର: ଯଦି ଆପଣଙ୍କ କଥା ସତ ହୋଇଥାଏ , ତେବେ ଏଥିପାଇଁ ଜଣେ ନିର୍ବାଚିତ ଶାସନମୂଖ୍ୟଙ୍କୁ ଦାୟୀ ନ କରି ପାଣ୍ଡିଆନଙ୍କୁ କାହିଁକି ଦାୟୀ କରାଯିବ ? ଯଦି ଅପରାଧ ହୋଇଛି ତେବେ ନିଶ୍ଚୟ ଦଣ୍ତ ମିଳୁ । ସେ ସବୁ ଅପରାଧର ତଦନ୍ତ କିମ୍ବା ଏଫଆଇଆର କିମ୍ବା ପିଆଇଏଲ୍ ହେବା ଦରକାର। ଏସବୁ ହୋଇଛି କି ?
*ବିଶ୍ଵଙ୍କ ପ୍ରଶ୍ନ ୮. ଓଡ଼ିଆ ପ୍ରଶାସକ, ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କୁ ସୁଚିନ୍ତିତ ଓ ସୁପରିକଳ୍ପିତ ଯୋଜନା ମାଧ୍ୟମରେ ଦୁର୍ବଳ କରି ଅଣ-ଓଡ଼ିଆଙ୍କ ହାତକୁ କ୍ଷମତା ବା ବେପାର ଟେକି ଦିଆ ଗଲା।*
ରଙ୍ଗା ବାବୁଙ୍କ ଉତ୍ତର : ପୁଣି ସାହିତ୍ୟ ? କ୍ଷମତା ତ ବିଜେପି ହାତକୁ ଗଲା । ଆପଣ ସମ୍ପୂର୍ଣ୍ଣ ବିଜେପିକୁ ଅଣଓଡ଼ିଆ କାହିଁକି କହୁଛନ୍ତି ମୁଁ ବୁଝି ପାରୁନି। ଆପଣ ଲେଖିଛନ୍ତି ଅଣଓଡିଆଙ୍କ ହାତକୁ ବେପାର ଟେକି ଦିଆଗଲା। କ୍ଷମା କରିବେ ଆଜ୍ଞା। ମେଟ୍ରୋ ପ୍ରକଳ୍ପର ଟେଣ୍ଡର ନବୀନଙ୍କ ସମୟରେ ହୋଇଥିଲେ ମଧ୍ୟ, ସେଥିରେ ରାଜ୍ୟ ସରକାରଙ୍କର କୈାଣସି ଭୁମିକା ନଥିଲା। ତେଣୁ ଗୁଜୁରାତି କମ୍ପାନୀକୁ ସେ କାମ ମିଳିବା ପାଇଁ ନବୀନ କିମ୍ବା ପାଣ୍ଡିଆନ ଦାୟୀ ନୁହନ୍ତି। ତଥାପି ତାଙ୍କ ସମୟରେ ଟେଣ୍ଡର ପ୍ରକ୍ରିୟାରେ କୈାଣସି ହେରଫେର କରାଯାଇ କୈାଣସି ଅଣଓଡିଆ ବେପାରୀକୁ କାମ ଦିଆ ଯାଇଛି ତେବେ ତାହାର ଠୋସ ଉଦାହରଣ ସାମ୍ନାକୁ ଆସୁ । ଗତ ୯ ମାସରେ ସେମିତି ହୋଇ ଥିବାର ଜଣା ପଡିଛି କି ? ନୀତିଗତ ଭାବେ ମୁଁ ମୋହନ ମାଝିଙ୍କ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ସମର୍ଥନ କରେ । ଆପଣ କାହିଁକି ଚାହାନ୍ତି ନାହିଁ ଓଡ଼ିଶା ବାହାର ପୁଞ୍ଜି ଓଡ଼ିଶାରେ ନିବେଶ ହେଉ, ମୁଁ ବୁଝି ପାରୁନି।
*ବିଶ୍ଵଙ୍କ ପ୍ରଶ୍ନ ୯. ଦୁର୍ନୀତି ମଧ୍ୟ ବ୍ୟକ୍ତି କୈନ୍ଦ୍ରିକ ( ସିଙ୍ଗଲ ୱିଣ୍ଡୋ କହି ପାରନ୍ତି।) ହେଲା। ଅନ୍ୟାନ୍ୟ ଅନୈତିକ କାର୍ଯ୍ୟ ବ୍ୟକ୍ତିଗତ ଲାଭ ପାଇବାର ଆଧାର ସାଜିଲା।*
ରଙ୍ଗାଚରଣଙ୍କ ଉତ୍ତର: ପୁଣି ସାହିତ୍ୟ !
*ବିଶ୍ଵଙ୍କ ପ୍ରଶ୍ନ ୧୦. ଲୋକଙ୍କ ଟିକସ ପଇସାରେ ଯେଉଁ କାମ ହେଲା, ସେଥିରେ ଉଦ୍ଦେଶ୍ୟ ରହିଲା କମିଶନ୍ ପାଇବା। କିନ୍ତୁ, ପରବର୍ତ୍ତୀ ସମୟରେ ସେ ସବୁ ପ୍ରକଳ୍ପର କୌଣସି ରକ୍ଷଣା ବେକ୍ଷଣ କରାଗଲା ନାହିଁ। ଫଳରେ ଉଦ୍ଦେଶ୍ୟ ସାବିତ ହେଲା ନାହିଁ, ଧନ ହାନୀ ହେଲା। ନିରଙ୍କୁଶ କ୍ଷମତା ଭୋଗ କରି ମଧ୍ୟ ଓଡ଼ିଶାର ବିକାଶ ସମ୍ଭବ ହୋଇ ପାରିଲା ନାହିଁ, ନିଜ ସ୍ୱାର୍ଥକୁ ସେ ପ୍ରାଧାନ୍ୟ ଦେଇଥିବା ହେତୁ।
ଉତ୍ତର: ପାଣ୍ଡିଆନ୍ କମିଶନ ଖାଇଛନ୍ତି ? ଏ ତ ସିରିଅସ୍ ଅଭିଯୋଗ। ଆପଣଙ୍କ ପାଖରେ ଏ ବିଷୟରେ ଯାହା କାଗଜପତ୍ର ଅଛି, ଚାଲନ୍ତୁ ଆମେ ଦୁଇଜଣ ମିଶି ମୂଖ୍ୟମନ୍ତ୍ରୀଙ୍କୁ ଦେଖାଇବା ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବୀ କରିବା । ଓଡ଼ିଶା ଲୋକ ବିଜେଡି ଓ ନବୀନଙ୍କୁ ଭୋଟ ଦେଇ କ୍ଷମତାକୁ ଆଣିଥିଲେ। କାମ କିମ୍ବା ବିକାଶ ନହେଲେ ଆମେ ନବୀନଙ୍କୁ ଦାୟୀ କରିବାନା ଆଉ । ସେ ସେଣିକି କାହାକୁ କେତେ ମାତ୍ରାରେ କ୍ଷମତା ଦେଇଥିଲେ ସେଥିରେ ଆମର କ’ଣ ଅଛି ? ଆପଣ ବିକାଶ କାହାକୁ କହୁଛନ୍ତି ଓ ତାହାର ମାପକାଠି କ’ଣ ବୋଲି ଆପଣ ଜାଣନ୍ତି ତାହା ମୁଁ ଜାଣିନି। କିନ୍ତୁ ସବୁ ଫ୍ୟାକ୍ଟରକୁ ସାମିଲ କରି ଅର୍ଥନୀତିଜ୍ଞମାନେ ବହୁଦିନରୁ ଯେଉଁ ବିକାଶ ଦରର ଫର୍ମୁଲା ବାହାର କରିଛନ୍ତି, ନବୀନବାବୁ ହାରିବା ପରେ ପରବର୍ତ୍ତୀ ବର୍ଷ ତାହା ଖସି ଯାଇଛି।
*ବିଶ୍ଵଙ୍କ ପ୍ରଶ୍ନ ୧୧. ବିଜୁ ବାବୁଙ୍କ ଛବିକୁ ନିଷ୍ପ୍ରଭ କରିବାର ପ୍ରଚେଷ୍ଟା ( ନିର୍ବାଚନ ସମୟରେ ବିଜୁ ବାବୁଙ୍କ ଫଟୋ ବାହାରି ଯିବା, ଛୋଟ ହୋଇଯିବା ), ରାଜନୈତିକ ଲାଭ ପାଇଁ ଅର୍ପଣ ରଥର ପରିକଳ୍ପନା କରିବା, ରଥଯାତ୍ରା ବନ୍ଦ୍ ଷଡ଼ଯନ୍ତ୍ରକାରୀଙ୍କୁ ସମର୍ଥନ ଦେବା ବା ସେ ସମୟରେ ନୀରବ ରହିବା – ଏପରି ଅନେକ ଘଟଣା ଅଛି ଯାହା ପ୍ରମାଣ କରେ ଓଡ଼ିଶାର ସଂସ୍କୃତି, ସ୍ୱାଭିମାନ ପ୍ରତି ତାଙ୍କ ମନରେ ଥିବା ଅବଜ୍ଞା ଭାବ । ଓଡ଼ିଆ ଜନ୍ମିତ ନ ହୋଇଥିବା କାରଣରୁ, ସେ ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନ ଓ ସ୍ଵତଃସ୍ଫୁର୍ତ୍ତଃ ଭଲପାଇବା ମନରେ ପୋଷଣ କରି ପାରି ନ ଥିଲେ।*
ଉତ୍ତର: ପୁଣି ସେହି perception କଥା ଆପଣ ଲେଖିଲେ। ‘ଛବି’ , ‘ନିଷ୍ପର୍ଭ’ , ‘ପ୍ରଚେଷ୍ଠା, ‘ ମନରେ ଅବଜ୍ଞା’ ‘ମନରେ ପୋଷଣ’ – ଏସବୁକୁ ନେଇ ଆପଣ ଦିସ୍ତା ଦିସ୍ତା କାଗଜ ସାରନ୍ତୁ। କିନ୍ତୁ ମୋ ପ୍ରଶ୍ନ କୈାଣସି perception କିମ୍ବା optics କିମ୍ବା ଲୋଡୁ ନାହିଁ। ମୁଁ ଅନେକ ଉଦାହରଣ ଦେଇ ପାରିବି ଓଡ଼ିଶାରେ ଜନ୍ମିତ ନ ହୋଇଥିବା ଅନେକ ଲୋକ ଓଡ଼ିଶା ପାଇଁ ବହୁତ କିଛି କରିଛନ୍ତି। ଅବଶ୍ୟ ସେସବୁ ‘ସ୍ବତଃସ୍ଫୃତ ଥିଲା କି ନାହିଁ ମୁଁ ଜାଣି ପାରେନା।
*ବିଶ୍ଵଙ୍କ ପ୍ରଶ୍ନ ୧୨. ସବୁଠାରୁ ବଡ଼ କାରଣ : ଯେପରି କେଜ୍ରିୱାଲ ବିକଳ୍ପ ରାଜନୀତିର ପଥକୁ ସଂକୁଚିତ କରି ଦେଲେ, ସେଭଳି ଓଡ଼ିଶା ଭଳି ପ୍ରାକୃତିକ ସମ୍ବଳରେ ଭରପୁର ଥିବା ଗରିବ ରାଜ୍ୟରେ ଏକ ଆଞ୍ଚଳିକ ରାଜନୀତିର ଆବଶ୍ୟକତା ଓ ଗୁରୁତ୍ଵ ଥିବା ସତ୍ତ୍ବେ ସେ ପଥ ଓ ସମ୍ଭାବନାକୁ ସଂକୁଚିତ କରିଦେଲେ।*
ରଙ୍ଗା ବାବୁଙ୍କ ଉତ୍ତର: ଏଇଟା ଆପଣ ମୋତେ ଉସୁକାଇବା ପାଇଁ ଲେଖିଛନ୍ତି। ମୁଁ ଉସୁକିବିନି ।
———
*ବିଶ୍ୱ ଉଵାଚ : ଏଭଳି ଅନେକ ସ୍ଥୂଳ ଓ ସୂକ୍ଷ୍ମ କ୍ଷତି ସେ କରିଛନ୍ତି ଏ ରାଜ୍ୟର। କିନ୍ତୁ କହିବାରେ ସଙ୍କୋଚ ନାହିଁ ଯେ ଜଣେ ଅଣ-ଓଡ଼ିଆ କାହିଁକି ନେତୃତ୍ୱ ନେଇ ଥାଆନ୍ତେ ଆମ ରାଜ୍ୟର ?*
( *ବନ୍ଧୁ ଜଣଙ୍କ ବର୍ତ୍ତମାନ ତାଲିକା ଦେବେ ଯେ ଅନ୍ୟ କେଉଁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଏ ପ୍ରକାର ଭୁଲ କରୁଛନ୍ତି ବା କରିଛନ୍ତି। ମୋର ଉତ୍ତର ହେଉଛି – ତାହାର ମଧ୍ୟ ବିରୋଧ ହେଉ। ସେମାନଙ୍କୁ ମଧ୍ୟ ଗାଦିଚ୍ୟୁତ କର। ଓଡ଼ିଶାର ସ୍ବାର୍ଥ ସର୍ବାଗ୍ରେ। ଓଡ଼ିଆଙ୍କ ହିତ ସର୍ବୋପରେ। ଯଦି ମୁଁ ମଧ୍ୟ ଓଡ଼ିଶାର ସ୍ୱାର୍ଥର କ୍ଷତି କରୁଥିବି, ମୋତେ ମଧ୍ୟ ଦଣ୍ଡ ମିଳୁ। କିଛି ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିବେ ଯେ କେଉଁଠୁ ଏ ପ୍ରକାର ତଥ୍ୟ ( Intangible ବା ସୂକ୍ଷ୍ମ କ୍ଷତି ସ୍ତରରେ) ମିଳିଲା ? ଉତ୍ତର ହେଉଛି – ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ? ଆଉ ଯେଉଁ ମାନେ ଉଦ୍ଦେଶ୍ୟମୂଳକ ଭାବେ ଚେଇଁ ଶୋଇଥିବେ , ତାଙ୍କୁ ଉଠାଇବା ତ ଭଗବାନଙ୍କ ସାଧ୍ୟାତୀତ ।)*
ରଙ୍ଗାବାବୁଙ୍କ ଉତ୍ତର: 😂😂😂 । ଆପଣଙ୍କୁ ଧନ୍ୟବାଦ। ମୋ ପ୍ରଶ୍ନକୁ ସମ୍ମାନ ଦେଇ ଆପଣ ବହୁ ପରିଶ୍ରମ କଲେ। କିନ୍ତୁ ଶେଷରେ ସ୍ବୀକାର କଲେ ଆପଣଙ୍କ ପାଖରେ ପାଣ୍ଡିଆନ ଓଡ଼ିଶାର କ୍ଷତି କରିଥିବାର କୈାଣସି tangible ଉତ୍ତର ନାହିଁ। ଦୁଃଖ ଲାଗିଲା।
ଏବେ ପାଣ୍ଡିଆନଙ୍କ ଯୋଗୁଁ କିନ୍ତୁ ଗୋଟିଏ କ୍ଷତି ହେଉଛି। ତାଙ୍କୁ ବ୍ୟବହାର କରି ଓଡ଼ିଶାର ଗଣମାଧ୍ୟମ ଓ କେତେକ ବୁଦ୍ଧିଜୀବି ପ୍ରକୃତ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକ ଧ୍ୟାନ ହଟାଉଛନ୍ତି ଓ ତଦ୍ୱାରା ବର୍ତ୍ତମାନର ସରକାରକୁ ଉତ୍ତରଦାୟିତ୍ୱରୁ ମୁକ୍ତ କରୁଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ବର୍ଷ ସରିବାର ଏକ ମାସ ପୁର୍ବରୁ ସ୍ବୀକାର କଲେ ଯେ ଚଳିତ ବର୍ଷ ବଜେଟ ଅର୍ଥର ୧୫% ଖର୍ଚ୍ଚ ହୋଇ ପାରିବ ନାହିଁ। ଏହାଠାରୁ ବଡ଼ ପ୍ରସଙ୍ଗ କ’ଣ ଅଛି ? କିନ୍ତୁ ପାଣ୍ଡିଆନ୍ ପ୍ରସଙ୍ଗ ତାଙ୍କୁ ସୁରକ୍ଷା ଦେଉଛି। ଏହା ହିଁ ଦୁଃଖ। ସେଣିକି ପାଣ୍ଡିଆନଙ୍କ ବିରୁଦ୍ଧରେ ଯଦି କିଛି ମିଳେ ତାଙ୍କୁ ଫାଶୀ ଦିଅ । ମୁଁ ଖୁସି ହେବି ।
