ସଂସ୍କାର ଆଣି ଉଦାହରଣ ସୃଷ୍ଟି କରନ୍ତୁ ଗଜପତି ଦିବ୍ୟସିଂହ ଦେବ

(ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଚିଠି, ଆତ୍ମ ସମ୍ମାନ ଓ ମାନବିକତାର ଉଦାହରଣ ସୃଷ୍ଟି କରନ୍ତୁ )
ପୁରୀ-(୩/୭): ମାନବୀୟ ଦୃଷ୍ଟିକୋଣରୁ ଗଜପତି ଉଦାହରଣ ସୃଷ୍ଟି କରନ୍ତୁ l ଏନେଇ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୁରୀ ଗଜପତି ଦିବ୍ୟ ସିଂହ ଦେବଙ୍କୁ ଚିଠି ଲେଖା ଯାଇଛି l
ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ବ୍ୟବସ୍ଥାରେ ଗଜପତି ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି। ଛେରା-ପହଁରା କରିବା ପାଇଁ ସେ ପାଲିଙ୍କିରେ ତିନି ରଥ ନିକଟକୁ ଆସିଥାନ୍ତି। ଲୋକଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଇଁ ଝାଡ଼ୁ ଧରି ସେବା ମନୋବୃତ୍ତି ଏବଂ ଶ୍ରମଦାନର ମହାନ ଅଧ୍ୟାୟ ସୃଷ୍ଟି କରି ଆସୁଛନ୍ତି। ରଥରେ ଛେରା ପହଁରା କାରଣରୁ ତାଙ୍କୁ ପ୍ରତ୍ୟେକ ଓଡ଼ିଆ ସମ୍ମାନ କରନ୍ତି।
ସେହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଛେରା-ପହଁରା ପାଇଁ ଯାଉଥିବା ସମୟରେ ରାଜାଙ୍କ ପାଲିଙ୍କିକୁ କିଛି ବ୍ୟକ୍ତି ବିଶେଷ କାନ୍ଧେଇ ତଥା ଭାର ବୋହିବା ଭଳି ନେଇଥାନ୍ତି। ମଣିଷମାନେ ଏପରି ଭାର ବୋହିବା କାର୍ଯ୍ୟ ମାନବିକତା ଏବଂ ଆତ୍ମ-ସମ୍ମାନବୋଧର ପରିପନ୍ଥୀ। ଭାରତୀୟ ସାମ୍ବିଧାନିକ ଗଣତନ୍ତ୍ରର ଉତ୍ତମ ନାଗରିକ ଭାବେ ସମସ୍ତେ ଏହା ଅନୁଭବ କରିପାରୁଥିବେ। ସୁସ୍ଥ ମଣିଷଟିଏ ଅନ୍ୟ ମଣିଷଙ୍କ କାନ୍ଧରେ ବୁହା ହୋଇ ଯିବା ମାନବିକତା ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁl ହଁ, ବିଶେଷ ପରିସ୍ଥିତିରେ (ଅସୁସ୍ଥତା, ଦୁର୍ଘଟଣା, ମୃତ୍ୟୁ ପରେ) ଏହା ସାମୟିକ ଭାବେ କରାଯାଇଥାଏ। ତେଣୁ ମଣିଷମାନଙ୍କ କାନ୍ଧରେ ଯିବାର ଯେଉଁ କାର୍ଯ୍ୟ ରହିଛି, ଏକ ବୃହତ୍ତର ସଂସ୍କାର ଉଦ୍ଦେଶ୍ୟରେ ତାହାକୁ ବନ୍ଦ କରାଯାଉ। ରଥ ନିକଟକୁ ଯିବା ନେଇ ଅନ୍ୟ ବିକଳ୍ପର ଅଭାବ ମଧ୍ୟ ନାହିଁ ବୋଲି ଅଭିଯାନ ପକ୍ଷରୁ ଉଲ୍ଲେଖ କରାଯାଇଛି l
ଚିଠିରେ ଆହୁରି କୁହାଯାଇଛି ଯେ, ଏହି ପ୍ରସ୍ତାବ ଗ୍ରହଣ କରି ଉଦାହରଣ ସୃଷ୍ଟି କଲେ ସେ ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ଜଣେ ଅଗ୍ରଗଣ୍ୟ ଭାବେ ଗଣା ହେବେ। ଅତୀତରେ ସତୀଦାହ ପ୍ରଥା, ଦେବଦାସୀ ପ୍ରଥା, ବଳି ପ୍ରଥା, ବିଧବା ବିବାହ ବାରଣ, ଗାଆଁ ଗଣ୍ଡାରେ ପାଲିଙ୍କିରେ ବୋହୂ ଏବଂ ବର ବୋହିବା କଥା ମଧ୍ୟ ବନ୍ଦ ହେଲାଣି ଲ ତେଣୁ ମଣିଷଙ୍କ କାନ୍ଧରେ ନ ଯାଇ ଗଜପତି ମାନବୀୟ ସଂସ୍କାରରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ନ୍ତୁ। ଏହା ଦ୍ୱାରା ତାଙ୍କର ସମ୍ମାନ ହାନି ହେବ ନାହିଁ ବରଂ ବିଶ୍ଵ ଦରବାରରେ ସେ ଆହୁରି ମହାନ ହୋଇଯିବେ। ଆଗକୁ ବାହୁଡ଼ା ଯାତ୍ରା ଆସୁଛି। ଏହା ପୂର୍ବରୁ ଏହି ପ୍ରସ୍ତାବକୁ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି l ଅଭିଯାନ ପକ୍ଷରୁ ଏହି ଚିଠିକୁ ଆବାହକ ଅକ୍ଷୟ ମଲ୍ଲିକ, ଅଜୟ ମହାପାତ୍ର, ଶୋ ଭେନ ବିଶ୍ୱାଳ ଏବଂ ଚିଦାନନ୍ଦ ଜେନାଙ୍କ ପକ୍ଷରୁ ଲେଖାଯାଇଛି l