ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଏବେ ବି ଅସମାହିତ ଅନେକ ପ୍ରଶ୍ନ

ଭୁବନେଶ୍ବର /ବାଲେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରୀ ସୌମ୍ୟାଶ୍ରୀ ବିଶି ସୋମବାର ବିଳମ୍ବିତ ରାତିରେ ଏମ୍ସ-ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପାହାନ୍ତିଆରେ ପୋଷ୍ଟ ମର୍ଟମ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କ ବାପା ବଳରାମ ବିଶି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋତେ ଏକ ବାର୍ତ୍ତା ପଠାଇ ଉପଯୁକ୍ତ ତଦନ୍ତ ପାଇଁ ଆଶ୍ୱାସନା ଦେଇଛନ୍ତି। ମୋର ସରକାର, ପ୍ରଶାସନ ଏବଂ ଆଇନର ଶାସନ ଉପରେ ବିଶ୍ୱାସ ଅଛି। ଆହୁରି ମଧ୍ୟ ଭାବପ୍ରବଣ ହୋଇ ସେ ଜନସାଧାରଣଙ୍କୁ ଏହି ଦୁଃଖଦ ଘଟଣାର ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି। “ମୋ ଝିଅ ଚାଲିଗଲା। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଦୟାକରି ତାକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରନ୍ତୁ ନାହିଁ। ଆମର କିଛି ଦାବି ପୂରଣ ହୋଇଛି ଏବଂ ବାକି ପାଇଁ ଆମେ ପ୍ରତିଶ୍ରୁତି ପାଇଛୁ। ମୁଁ ଭାବପ୍ରବଣ ଭାବରେ ଦୁର୍ବଳ, କିନ୍ତୁ ଶେଷ ପର୍ଯ୍ୟନ୍ତ ତା’ର ନ୍ୟାୟ ପାଇଁ ଲଢ଼ିବି।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସାରା ରାଜ୍ୟ କାନ୍ଦୁଛି । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ପ୍ରସାଶନିକ ଅବ୍ୟବସ୍ଥାରେ ଅକାଳରେ ଝଡ଼ି ପଡ଼ିଲା ଗୋଟିଏ ନିରୀହ ଜୀବନ। ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ଶେଷରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା । ଏବେ ପ୍ରଶ୍ନ ଉଠୁଛି ଏହି ପେଟ୍ରୋଲ ତାଙ୍କୁ ଦେଇଥିଲା କିଏ ? ଯଦି ସେ ନିଜେ ପେଟ୍ରୋଲ ଆଣି ଆସିଥିଲେ, ତେବେ ନିଆଁ ଲାଗିବା ବେଳେ ଅନ୍ୟମାନେ କାହିଁକି ଅଟକାଇଲେ ନାହିଁ ? ପେଟ୍ରୋଲ ପମ୍ପକୁ ଯାଇ ଏକ ଜାରରେ ପେଟ୍ରୋଲ ଆଣିବା ସାଧାରଣ କଥା । ହେଲେ ଜଣେ କଲେଜ ପଢୁଆ ଝିଅ ପେଟ୍ରୋଲ ପମ୍ପରୁ ଏକ ଜାରରେ ପେଟ୍ରୋଲ ଆଣିବା ବେଳେ ତାଙ୍କୁ କେହି କାହିଁକି ପଚାରିଲେ ନାହିଁ । ଯଦି ସେଠାରେ କେହି ପଚାରିଲେ ନାହିଁ , ସେ ଆତ୍ମାହୁତି ଦେବା ବେଳେ ଅନ୍ୟ ଝିଅମାନେ କ’ଣ କରୁଥିଲେ ? ତେଣୁ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ସାଙ୍ଗସାଥୀମାନଙ୍କୁ ଏବବାଦରେ ପଚରାଯିବା ନିହାତି ଦରକାର ।
ଯଦି ଏହି ଘଟଣାରେ ସେମିତି କାହାକୁ ଦଣ୍ଡିତ କରାନଯାଏ ତେବେ ଆଗାମୀ ଦିନରେ ଯୁବପିଢୀ ଏମିତି ଭୂଲ କାମ କରିବାକୁ ନିଷ୍ପତି ନେବେ । ତେଣୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ନା ତାଙ୍କ ପଛରେ ଆଉ କାହାର ହାତ ରହିଛି ? ଜଣେ ଛାତ୍ରୀ ଏଭଳି ନିଷ୍ପତି ନେବା ଆଗରୁ କାହାକୁ କ’ଣ କହିଥିଲେ । ଆଉ ସେମାନେ ସେତେବେଳେ କ’ଣ ଉତ୍ତର ଦେଇଥିଲେ ତାହା ତଦନ୍ତ ସାପେକ୍ଷ !