ବାଲେଶ୍ୱର ପରେ ଏବେ ବଳଙ୍ଗା , ନିଆଁଧାସରେ ପୁଣି ଜଣେ ଛାତ୍ରୀ

ଭୁବନେଶ୍ୱର : ଏପର୍ଯ୍ୟନ୍ତ ସୌମ୍ୟାଶ୍ରୀ ଘଟଣା ମନରୁ ଲିଭି ନାହିଁ । ପୁଣି ଏକ ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ନିମାପଡ଼ା ବଳଙ୍ଗାର ଜଣେ ଯୁକ୍ତ ୨ ଛାତ୍ରୀ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ୩ଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ପୀଡିତା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୀଡିତା ଏମ୍ସରେ ପହଞ୍ଚିବା ପରେ ତାଙ୍କ ଶରରୀର ୭୦ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କୁ ଏମ୍ସ ଟ୍ରମା କେୟାରରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରୀ ଟିମ ପୀଡିତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ସେପଟେ ଘଟଣାସ୍ଥଳ ବାୟାବରଗାଁରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ସ୍ଥିତି ତଦନ୍ତ ଆରମ୍ବ କରିଛନ୍ତି । ସ୍ପେଶାଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି,ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇଛି ବୋଲି ସେ କହିଛନ୍ତି । ୨ଟି ସ୍ପେଶାଲ ସ୍କାର୍ଡ ଓ ଫୋରେନସିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି । ସେପଟେ ପୀଡିତାଙ୍କ ସହ ଏଭଳି ଘଟଣା ଘଟିବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ରାଜ୍ୟରେ ଦିନକୁଦିନ ନାରୀ ନିର୍ଯ୍ୟାତନା ଘଟଣା ଘଟି ଚାଲିଥିବା ବେଳେ ରାଜ୍ୟ ସରକାରର ନୀରବତା ରାଜ୍ୟରେ ମହିଳା ନିରାପତ୍ତାକୁ ଏକ ଅନିଶ୍ଚିତତା ଭିତରକୁ ଟାଣି ନେଉଛି । ଅନ୍ୟ ପଟରେ ଆଜିର ଘଟଣାଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ମହିଳା ସୁରକ୍ଷାର ପ୍ରଶ୍ନ ଆହୁରି ଜୋର ଧରିଛି ।

Leave a Reply

Your email address will not be published. Required fields are marked *