ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।
କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ ପାଳନ ନ କରିବାକୁ ଆକାଶ ମାର୍ଗରୁ ଘୋଷଣା କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଲୋକଙ୍କ ମଧ୍ୟରେ ଆତଙ୍କରାଜ ସୃଷ୍ଟି କରିବା ପାଇଁ କମ୍ପାନୀ ଓ ପ୍ରଶାସନର ଘୃଣ୍ୟ ଉଦ୍ୟମ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଗତ ଅଗଷ୍ଟ ୬ ତାରିଖ ଠାରୁ ରାୟଗଡ଼ା ଜିଲ୍ଲା ପୋଲିସ୍ ଓ ପ୍ରଶାସନ ଏପରି ହୀନ ଷଡ଼ଯନ୍ତ୍ର ଚଳାଇ ଆସୁଛନ୍ତି। ସେଦିନ ସଂଗଠନର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ସଭାପତି ସୁବାସସିଂ ମାଝୀ, ସଂପାଦକ -ଲକ୍ଷ୍ମଣ ମାଝି, ଉପ- ସଭାପତି ଲାଇ ମାଝିଙ୍କୁ ବିଶ୍ୱ ଅଧିବାସୀ ଦିବସ ପାଳନ ପାଇଁ କିଛି ସୂଚନା ଦିଆଯାଇ ନାହିଁ ବୋଲି ରାଣ୍ଡେଲ୍ ସେକ୍ୱେରାଙ୍କ ହାଇକୋର୍ଟ ପିଟିସନ୍ ଶୁଣାଣି ଆଧାରରେ ଏକ ନୋଟିସ ଧରାଇ ଦିଆଯାଇଥିଲା। ସଂଗଠନର ସଭାପତି ସୁବାସିଂ ମାଝି ସେହି ନୋଟିସ୍ ଉତ୍ତରରେ ବିଶ୍ଵ ଆଦିବାସୀ ଦିବସ ଶାଗବାରୀ ଗ୍ରାମରେ ପାଳନ କରିବାର ସୂଚନା ଗ୍ରାମରକ୍ଷୀ ଯୋଗେ କାଶୀପୁର ଥାନାକୁ ପଠାଇ ଥିଲେ । କିନ୍ତୁ କାଶୀପୁର ଥାନା ଆଇ. ଆଇ.ସି ତାହା ଗ୍ରହଣ ନ କରିବାରୁ ତାକୁ ତାଙ୍କ ହ୍ୱାଟସଆପ୍ ନମ୍ୱର୍ ରେ ପଠାଇ ଦିଆଯାଇଥିଲା। ତା ସତ୍ତ୍ୱେ କାଶୀପୁର ତହସିଲଦାର ତଥା ଏକଜ୍ୟୁକୁଟିଭ୍ ମାଜିଷ୍ଟ୍ରେଟ ବିଭିନ୍ନ ଗ୍ରାମ ଯଥା ବଣ୍ଡେଲ, କଣ୍ଟାମାଳ, ବନ୍ତେଜି, ସାଗବାରି ଗ୍ରାମରେ ଆଇନ୍ ଶୃଙ୍ଖଳା ଆଳ ଦେଖାଇ ୨୦ ଅଗଷ୍ଟ ରେ କାଶୀପୁର କୋର୍ଟ ରେ ହାଜର ହେବାକୁ ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନୋଟିସ୍ ପଠାଇଥିଲେ ଓ ସର୍ବସାଧାରଣ ସ୍ଥାନରେ ଛାପା ମାରିଥିଲେ । ଏତିକରେ ପୋଲିସ ପ୍ରଶାସନର ମନ ଶାନ୍ତ ହେଲା ନାହିଁ ଯେ ସେମାନେ  ସାଗବାରୀର ବିଶ୍ଵ ଆଦିବାସୀ ଦିବସ ଉତ୍ସବକୁ ବିଭିନ୍ନ ମନଗଢା କାରଣ ଦର୍ଶାଇ ଏହାକୁ ନିଷେଧ କରି ବେଆଇନ୍ ଘୋଷଣା କରି ନୋଟିସ୍ ପଠେଇଲେ। ତା ସହିତ ତଲଝିରି, ଆଡାଯୋର୍, ସୁଙ୍ଗେର, ସିନ୍ଦୂର ଘାଟି ଓ କାଶୀପୁର ଆଦି ଗ୍ରାମ ପଞ୍ଚାୟତ ରେ ମଧ୍ଯ ଆଦିବାସୀ ଦିବସ ପାଳନ ନ କରିବାକୁ ନିଷେଧାଜ୍ଞା ଜାରି କରିଥିଲେ ଏବଂ ଆନ୍ଦୋଳନ କୁ ସଂହତି ସମର୍ଥନ ଜଣାଉଥିବା ସାମାଜିକ କର୍ମୀ ମାନଂକ ଚରିତ୍ର ସଂହାର କରି ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS)ର  ଧାରା-୧୬୩ ଲଗେଇ କାର୍ଯକ୍ରମ ଯୋଗ ନ ଦେବା ପାଇଁ ନୋଟିସ ଜାରି କରିଥିଲେ। ଜିଲ୍ଲାପାଳଙ୍କ ଆଦେଶରେ ମା’ମାଟି ମାଳି ସୁରକ୍ଷା ମଞ୍ଚର ଗଣତାନ୍ତ୍ରିକ ଆନ୍ଦୋଳନକୁ ମାଓବାଦୀ ସମ୍ପୃତି ଦର୍ଶାଯିବାକୁ ସଂଗଠନ ପକ୍ଷରୁ ଖଣ୍ଡନ କରିବା ସହିତ ଏପରି ଆଦେଶର ତୀବ୍ର ନିନ୍ଦା କରାଯାଇଛି। ଏହା ସେମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ପ୍ରଶାସନର ହିଂସାକୁ ନ୍ୟାୟୋଚିତ କରିବାର ହୀନ ପ୍ରଚେଷ୍ଟା ବୋଲି ସେମାନେ ଦୃଢ଼ ମତବ୍ୟକ୍ତ କରିଛନ୍ତି।
ଏହା ସହ ସଂଗଠନ ପକ୍ଷରୁ ଗତ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୋଲିସ ପ୍ରଶାସନ ଅନୁରୂପ ଅସୁବିଧା ସୃଷ୍ଟି କରିଥିଲେ ବୋଲି ସେମାନେ ଜିଲ୍ଲା ପ୍ରଶାସନକୁ ସ୍ମରଣ କରାଇ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସରେ  ଯୋଗଦେବାକୁ ଆସୁଥିବା ମେଧା ପାଟେକର, ଲିଙ୍ଗରାଜ ଓ ନରେନ୍ଦ୍ର ମହାନ୍ତିଙ୍କୁ ରାୟଗଡ଼ା ରେଲୱେ ଷ୍ଟେସନରୁ ପୋଲିସ ଉଠେଇ ନେଇ ଦିନ ସାରା ଘୁରେଇ ଘୁରେଇ ରାତିରେ ବ୍ରହ୍ମପୁରରେ ଛାଡ଼ି ଦେଇଥିଲେ।
ପୋଲିସ୍ ପ୍ରଶାସନର ଯାବତ୍ ଦମନ ସତ୍ତ୍ୱେ ମା’ ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଲୋକମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶାନ୍ତିରେ
ବିଶ୍ଵ ଆଦିବାସୀ ଦିବସ ପାଳନ କରିପାରିଛନ୍ତି ଏବଂ ଆଗାମୀ ଦିନରେ ଏହି ଗଣତାନ୍ତ୍ରିକ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ୍ , ସନାତନ ପ୍ରଧାନ, ସୁରେଶ ସଂଗ୍ରାମ, କଲ୍ୟାଣ ଆନନ୍ଦ ସମେତ ଆଦିବାସୀ ନେତା ଜୟରାମ ପାଙ୍ଗୀ, ବିଭିଷଣ ମାଝି, ଆଇନଜିବୀ ଉତ୍ତମ ମାଝି, ସତ୍ୟ ମାହାର, ସାନୁ ମାଝୀ, ୟୁଟ୍ୟୁବର୍ ବୁଲୁ ମୁଦୁଲି ଓ ଅନେକ ମିଡ଼ିଆ କର୍ମୀ ଏହି ସଭାରେ ଯୋଗ ଦେଇଥିଲେ। ସମସ୍ତେ ପୋଲିସ ପ୍ରଶାସନ ବେଆଇନ୍ ତଥା ଅଗଣତାନ୍ତ୍ରିକ ନିଷେଧାଦେଶକୁ ଘୋର ନିନ୍ଦା କରିଥିଲେ। ଲିଙ୍ଗରାଜ ଆଜାଦ୍ ଆଦିବାସୀ ନେତା ମାନଙ୍କୁ ଦ୍ରୌପଦୀ ମୁର୍ମୁ, ମୋହନ ମାଝୀଙ୍କ  ଭଳି ‘କୁରାଢ଼ିର କାଠ ବେଣ୍ଟ କାଠ ଗଛ କାଟିବା ପରି’ ଆଦିବାସୀ ବେଣ୍ଟ ହୋଇ ଆଦିବାସୀଙ୍କୁ ମାରିବା ଷଡ଼ଯନ୍ତ୍ରରେ ସାମିଲ୍ ନ ହେବା ପାଇଁ ଆହ୍ଵାନ ଦେଇଥିଲେ। ଜୟରାମ ପାଙ୍ଗି ‘ଆଗେ ମାଟି ତା’ପରେ ପାର୍ଟି’ ବୋଲି ଲୋକଙ୍କ ସହ ଲଢେଇରେ ରହିବାର କଥା ଦେଇଥିଲେ। ଅନ୍ୟାନ୍ୟ ବକ୍ତା ମାନଙ୍କ ମଧ୍ୟରେ ସଂଗଠନ ପକ୍ଷରୁ ସୁବାସିଂ ମାଝି, ଉଲାଙ୍ଗ ଦେଇ ମାଝି, ପାର୍ବତୀ ମାଝି, ମୁନିଦେଇ ମାଝୀ, ଦୟା ନାଏକ, ସାନୁ ମାଝି ପ୍ରମୁଖ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।
ସଂଗଠନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ  ମା’ ମାଟି ତଥା ମାଳି(ପର୍ବତ) ପାଇଁ ସେମାନେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ଲଢେଇ କରି ଆସୁଛନ୍ତି, କିନ୍ତୁ ପୋଲିସ ପ୍ରଶାସନ ମିଛ କେଶ ଲଗେଇ ସ୍ଥାନୀୟ ଲୋକ ମାନଙ୍କୁ ଜେଲରେ ଭର୍ତ୍ତି କରୁଛି। କମ୍ପାନୀ ଗୁଣ୍ଡା ଓ ଦଲାଲ୍ ମାନେ  ସ୍ଥାନୀୟ ଲୋକଙ୍କ ଉପରେ ଅତ୍ୟାଚାର କଲେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବରଂ ପୋଲିସ୍ ପ୍ରଶାସନ ବେଦାନ୍ତ- ମୈତ୍ରୀର ବୋଲକରା ଚାକର ଭଳି ବ୍ୟବହାର କରୁଛନ୍ତି। ସମ୍ବିଧାନ ପ୍ରଦତ୍ତ ବିରୋଧ କରିବାର ମୌଳିକ ଅଧିକାରକୁ ରାଣ୍ଡେଲଙ୍କ ପିଟିସନର ରାୟର ଉଦାହରଣ ଦେଇ ପୋଲିସ୍ ପ୍ରଶାସନ ଅପ-ବ୍ୟବହାର କରୁଛି। ଯଦିଓ  ଉଚ୍ଚ ନ୍ୟାୟାଳୟ  ରାୟର ଅନୁଚ୍ଛେଦ -୨୯ରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ଆଳରେ ମଧ୍ୟ ଲୋକଙ୍କ ପ୍ରତିବାଦର ମୌଳିକ ଅଧିକାରକୁ ଛଡାଇ ନିଆ ଯାଇପାରିବ ନାହିଁ। ସରକାର ପୋଲିସ ପ୍ରଶାସନ ଜରିଆରେ ଯାହା କରୁଛନ୍ତି , ତାହା ନିହାତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ।
ସମ୍ବିଧାନର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଲୋକେ (ଆମେ) ସେମାନଙ୍କ (ଆମର) ମାଲିକ ଓ ସେମାନଙ୍କର (ଆମର) ସମୁଦାୟ କୁ ଶାସନ କରିବାର ଅଧିକାର ଅଛି। ଏଠି ସରକାରଙ୍କ ଉଦ୍ଦେଶ୍ୟ ମୂଳକ ତଥା ଅବାଞ୍ଛିତ ହସ୍ତକ୍ଷେପକୁ କଦାପି ପ୍ରଶୟ ଦିଆଯିବ ନାହିଁ ବୋଲି ସଂଗଠନ ପକ୍ଷରୁ ଏହି ପ୍ରେସ୍ ବିବୃତିରେ ଘୋଷଣା  କରାଯାଇଛି।
ଶେଷରେ ବିଶ୍ବ ଆଦିବାସୀ ଦିବସକୁ ସଫଳ କରିଥିବାରୁ ସମସ୍ତଙ୍କୁ ମା’ର ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *