ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା
– ୨୩ ଜାନୁଆରୀକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଇମ୍ଫାଲ: ଆମର ମହାନ ପରମ୍ପରା ଓ ଦେଶ ଭକ୍ତିର ଚମତ୍କାର ସଂଗମର ନିଦର୍ଶନ ସ୍ୱରୂପ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା ଦୁଇଟି ଐତିହାସିକ ନ୍ୟାୟିକ ନିଷ୍ପତ୍ତିର ବାର୍ଷିକୀକୁ ସ୍ମରଣ କରାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ସେହି ଐତିହାସିକ ନିର୍ଣ୍ଣୟର ୩୦ ବର୍ଷ, ଯାହା ବଳରେ ସାଧାରଣ ନାଗରିକଙ୍କୁ ସସମ୍ମାନେ ଜାତୀୟ ପତାକା ଉଡ଼ାଇବାର ଅଧିକାର ପ୍ରଦାନ କରିଥିଲା ଏବଂ ଦ୍ୱିତୀୟରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିର ୨୨ ବର୍ଷ ଯାହା ସମ୍ବିଧାନ ଅନୁଚ୍ଛେଦ ୧୯ (କ) ଅନୁସାରେ ଜାତୀୟ ପତାକା ଉଡ଼ାଇବାର ଅଧିକାରକୁ ସୁନିଶ୍ଚିତ କରିଥିଲା।
୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ପାଇଁ କାଙ୍ଗଲା ଫୋର୍ଟକୁ ଚୟନ କରିବା ପଛରେ ଐତିହାସିକ ଗୁରୁତ୍ୱ ରହିଛି। କାରଣ ୨୧ ଜାନୁଆରୀ ୧୯୭୨ରେ ମଣିପୁରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିଥିଲା। ଏବଂ ଏହି ଦୁର୍ଗ ପ୍ରାଚୀନ ମଣିପୁର ରାଜା ଓ ମୈତେଇ ପରିଚୟର କେନ୍ଦ୍ର। ଏହି ଦୁର୍ଗରେ ତ୍ରିରଙ୍ଗାର ଉତ୍ତୋଳନ ରାଷ୍ଟ୍ରୀୟ ଏକତାର ପ୍ରତୀକ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏହା ସହିତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଭାରତର ଲୋକତନ୍ତ୍ରକୁ ସ୍ମରଣ କରାଇବ।
ଏହି କାର୍ଯ୍ୟକ୍ରମ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ କଠିନ ପରିଶ୍ରମ ଓ ଦଶନ୍ଧି ବ୍ୟାପୀ ସଂଘର୍ଷକୁ ସ୍ମରଣ କରିବାର ଏକ ସ୍ୱତନ୍ତ୍ର ଅବସର ଥିଲା। ଆମେରିକାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ତତ୍କାଳୀନ ପ୍ରତିବନ୍ଧକପୂର୍ଣ୍ଣ ଜାତୀୟ ପତାକା ସଂହିତାକୁ ଆଇନଗତ ଚ୍ୟାଲେଞ୍ଜ କରିଥିଲେ। ସେତେବେଳର ନିୟମ ଅନୁସାରେ କେବଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନର ଅନୁମତି ରହିଥିଲା। ଶ୍ରୀ ଜିନ୍ଦଲ ପ୍ରଥମରୁ ରୁ ହିଁ ତ୍ରିରଙ୍ଗାକୁ ପ୍ରତ୍ୟକ ଭାରତୀୟଙ୍କ ଗୌରବ, ସମ୍ମାନ ଓ ଅଭିବ୍ୟକ୍ତିର ପ୍ରତୀକ ବୋଲି ମାନୁଥିଲେ। ସେଥିପାଇଁ ସବୁଦିନ ପ୍ରତ୍ୟକ ନାଗରିକଙ୍କୁ ଏହାର ଉତ୍ତୋଳନ ପାଇଁ ଅଧିକାର ମିଳିବା ଉଚିତ ବୋଲି ସେ ବିଚାର କରୁଥିଲେ। ତାଙ୍କ ନ୍ୟାୟିକ ଲଢ଼େଇ ପାଇଁ ଆଜି ସମସ୍ତ ଦେଶବାସୀଙ୍କୁ ଗର୍ବ ଓ ସମ୍ମାନର ସହ ସର୍ବଦା ଜାତୀୟ ପତାକା ଉଡ଼ାଇବାର ଅଧିକାର ମିଳିଛି।
ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି, “ତ୍ରିରଙ୍ଗା ଭାରତର ଏକତା ଓ ସଫଳତାର ପ୍ରତୀକ। ଜାତୀୟ ପତାକା ସହ ଆମର ଗଭୀର ଭାବନାତ୍ମକ ସମ୍ବନ୍ଧ ରହିଛି। ପ୍ରତିଦିନ ସକାଳୁ ଯେତେବେଳେ ମୁଁ ତ୍ରିରଙ୍ଗା ପିନ୍ ଜ୍ୟାକେଟରେ ଲଗାଏ, ଏହା ଦେଶ ପ୍ରତି ମୋର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱକୁ ମନେ ପକାଇଦିଏ। ତ୍ରିରଙ୍ଗା ଯୁବକଙ୍କୁ ସବୁଦିନ ନିଜ ଅଧିକାରକୁ ମନେ ପକାଇବା ସହ ସେମାନଙ୍କ କର୍ତ୍ତବ୍ୟ ପାଳନ ପାଇଁ ପ୍ରେରଣା ଦେଇଥାଏ।”
ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏହି ଅବସରରେ ୨୩ ଜାନୁଆରୀକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ ଦେଉଛି। ଏହାସହିତ ଆଧୁନିକ ଭାରତୀୟ ଯୁବପିଢ଼ିର ସ୍ୱପ୍ନ, ଆକାଂକ୍ଷା ଓ ଦାୟିତ୍ୱ ସହ ତ୍ରିରଙ୍ଗାର ମୂଲ୍ୟବୋଧକୁ ସମ୍ପୃକ୍ତ କରି ସଚେତନତା ସୃଷ୍ଟି କରିବା, ଜାତୀୟ ପତାକାର ସମ୍ମାନଜନକ ବ୍ୟବହାର, ଏହାର ପୁନଃଚକ୍ରୀକରଣକୁ ପ୍ରୋତ୍ସାହିତ କରି ପରିବେଶ ସୁରକ୍ଷାକୁ ଧ୍ୟାନ ଦେବା ଏବଂ ବ୍ୟକ୍ତିଗତ ପ୍ରତିବଦ୍ଧତା ସୂରୁପ ବର୍ଷକ ଯାକ ସମସ୍ତଙ୍କୁ ତ୍ରିରଙ୍ଗା ଉଡ଼ାଇବାକୁ ଉତ୍ସାହିତ କରିବା ପାଇଁ ଫାଉଣ୍ଡେସନ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *