Real Issues & Media : ଆପଣଙ୍କ ମାନଙ୍କ ଉପକାର ହିଁ ଏମାନଙ୍କ Agenda

ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଓଡିଶାରେ ସବୁ ରାଜନୈତିକ ଦଳ କୁହନ୍ତି ଆମେ ଅନ୍ୟମାନଙ୍କ ଠାରୁ ଅଲଗା । ସମସ୍ତେ ରାଜ୍ୟର ଉନ୍ନତି କଥା କହୁଛନ୍ତି, କିନ୍ତୁ କରୁଛନ୍ତି, କିମ୍ବା କରୁଛନ୍ତି ବୋଲି ଘୋଷଣା କରୁଛନ୍ତି,  ସେହି ଏକା କଥା, ଯାହା ଆଜି ପର୍ଯ୍ୟନ୍ତ ହେଇ ଆସୁଛି । ବିଜେଡି ୨୪ ବର୍ଷ ପର୍ଯ୍ୟନ୍ତ ଯାହା କରି ଆସୁଥିଲା, ଆଶା  କରିବା ସ୍ବାଭାବିକ ଥିଲା, ନୂଆ ସରକାର ତା ଠାରୁ ଭିନ୍ନ କିଛି କରିବ । କିନ୍ତୁ ଭିନ୍ନ କିଛି କରିବା ଦୁରର କଥା, ଏପରିକି ପୂର୍ବ ସରକାରର କାମକୁ ଆଗେଇ ନେବା ଦୁରର କଥା, ଅଧିକାଂଶ କ୍ଷେତ୍ରରେ ଦେଖା ଯାଉଛି, ପୁର୍ବ ସରକାରଙ୍କ କାମକୁ ନିଜ କାମ ବୋଲି ଦାବୀ କରିବା ଏବଂ ରଙ୍ଗ ଓ ନାମ ବଦଳାଇବା କାମ କରୁଛି ।

ନୂଆ ଦଳ ବୋଲି ହେବ ବୋଲି ଯାହା ଫୁସୁରୁଫାସର ଶୁଣିବାକୁ ମିଳୁଛି, ସେମାନଙ୍କ ଠାରୁ କେବଳ କିଛି ବିପ୍ଳବୀ ସ୍ଲୋଗାନ୍ ଶୁଣିବାକୁ ମିଳୁଛି ସିନା, ନୂଆ ଏଜେଣ୍ଡା ଶୁଣିବାକୁ ମିଳୁ ନାହିଁ ।

ଗୋଟିଏ ସରକାର ୬ ମାସରେ ଥରେ ମହିଳାଙ୍କୁ ୫୦୦୦ ଟଙ୍କା ଦେବା କିମ୍ବା ଧାନ ପାଇଁ ବୋନସ ଦେବା କିଛି ବଡ କଥା ନୁହେଁ । ଗୋଟିଏ ସରକାର ଚାହିଁଲେ ମହିଳାଙ୍କୁ ୬ ମାସରେ ଥରେ ୧୦ ହଜାର ଟଙ୍କା ମଧ୍ୟ ଦେଇ ପାରିବ । ଏଇଟା ବଡ କଥା ନୁହେଁ । ରାଜକୋଷରେ ଟଙ୍କା ଅଛି । ବ୍ୟାଙ୍କରେ ଡାଇରେକ୍ଟ ଟ୍ରାନ୍ସଫର ବ୍ଯବସ୍ଥା ଅଛି । ତେଣୁ ଏଇଟା ବଡ କଥା ନୁହେଁ । ପୁର୍ବ ସରକାର ବି ଚାହିଁଥିଲେ କରି ପାରିଥାନ୍ତା । କିନ୍ତୁ ମୂଖ୍ୟ ପ୍ରଶ୍ନ ହେଉଛି, ଏଥିପାଇଁ ସରକାରଟି ନିଜର ଗୋଟିଏ ଅତିରିକ୍ତ  ଆୟ ପନ୍ଥା ପାଇଛି ତ ? ନା ଅନ୍ୟ ମହତ୍ତ୍ବପୁର୍ଣ ବିଭାଗରୁ ଟଙ୍କା କାଟି , କିମ୍ବା ଅନ୍ୟ ମହତ୍ତ୍ବପୁର୍ଣ ବିଭାଗକୁ ଆବଶ୍ୟକ ମୁତାବକ ଟଙ୍କା ନଦେଇ, କେବଳ  ଡାଇରେକ୍ଟ ଟ୍ରାନ୍ସଫର୍ ବ୍ୟବସ୍ଥାକୁ ଉପଯୋଗ କରୁଛି ?ମୋର ମନେ ହୁଏ ଏ ସରକାର ଦ୍ବିତୀୟ କାମଟି ହିଁ କରୁଛି ।

ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟ । ଏହାର ଭାଷା, ସଂସ୍କୃତି, ସାହିତ୍ୟ, ଇତିହାସ, ପୀଠସ୍ଥାନ – ଏସବୁ ହେଉଛନ୍ତି ଅନନ୍ୟ ।‌ ଏସବୁକୁ ବଜାୟ ଓ ସଂରକ୍ଷିତ ରଖିବା ସପକ୍ଷରେ ମୁଁ ଅଛି । ମୁଁ ଏହାକୁ ଅସ୍ମିତା କହିବି ନାହିଁ । କାରଣ ଏ ଶବ୍ଦଟି ବଦନାମ ହୋଇ ଯାଇଛି ।

କିନ୍ତୁ ଅର୍ଥନୀତି ଦୃଷ୍ଟିରୁ ଆମକୁ ବିଶ୍ବ ଦୃଷ୍ଟିକୋଣ ଆପଣାଇବାକୁ ପଡିବ । ବିଶ୍ବ ଅର୍ଥନୀତି ଆମକୁ କେଉଁ ସୁଯୋଗ ଦେଖାଉଛି, ଯାହାକୁ ଆମେ ହାତଛଡା କରିବା ଉଚିତ୍ ନୁହେଁ ? ସାରା ଭାରତରେ ପ୍ରାଇଭେଟ ଇନଭେଷ୍ଟମେଣ୍ଟ ଓ ମାନୁଫାକ୍ଚରିଂ ସେକ୍ଟର ବଢୁ ନଥିବା ବେଳେ, ତାମିଲନାଡୁରେ କାହିଁକି ବଢୁଛି ? କାହିଁକି ନା ସେମାନେ ସୁଯୋଗକୁ ଖୋଜି ତାହାର ସଦୁପଯୋଗ କରୁଛନ୍ତି ।

ଉଦାହରଣ ସ୍ବରୁପ ଟମାଟୋ ଯିଏ ଆଗ ଚାଷ କଲା ଓ ଆଗ ବଜାରକୁ ଆଣିଲା ସେ ହିଁ ଅଧିକ ଦାମ୍ ପାଇବ । ୨୦୨୬ ମସିହାରେ ୨୬ ନାନୋମିଟର ଓ୍ବେଫର ଥିବା ସେମିକଣ୍ଡକ୍ଟର ବନାଇବା ଏକ ପ୍ରହସନ । ଏହି ପ୍ରକାର ସେମିକଣ୍ଡକ୍ଟର ୩୦ ବର୍ଷ ପୁର୍ବରୁ ଅନ୍ୟ ଦେଶମାନେ ବନେଇ ସାରିଲେଣି । ଏହା  କେବଳ ଭଲ ଭାଷଣ ଓ ବିଜ୍ଞାପନ କାମରେ ଆସିବ । ଶେଷରେ ମୁଁ ଏତିକି ପଚାରିବି । କଣ କେଉଁ ଦଳ ତାହାର ବିକଳ୍ପ ପ୍ରାଥମିକତା ସ୍ଥିର କରିଛି କି, ଯେଉଁଥିରେ ଖଣି ରାଜସ୍ବ ଉପରେ ନିର୍ଭରଶୀଳତା କମିବ ? ଯେଉଁଥିରେ ଓଡିଶା ଅର୍ଥନୀତିରେ ଏକ ଆକର୍ଷଣୀୟ ଓ ଅପରିହାର୍ଯ୍ୟ ସ୍ଥାନ ହୋଇପାରିବ ?
ମୋ ମତରେ ଅନେକ ସୁଯୋଗ ରହିଛି । କିନ୍ତୁ ତା ପୁର୍ବରୁ ସର୍ବପ୍ରଥମେ ଓଡିଶାର ଏ ଗଣମାଧ୍ୟମର ପରିବର୍ତ୍ତନ ହେବା ଆବଶ୍ୟକ । ଓଡିଶାରେ ଗଣମାଧ୍ୟମ କାଛୁ‌ ଓ ଯାଦୁ ଭଳି ମାଡୁଛିl

Leave a Reply

Your email address will not be published. Required fields are marked *