ଅବସର ନେଲେ ଏସଟିଏରେ କାର୍ଯ୍ୟରତ ପିଅନ ମାତାଲ୍ ସୋରେନ୍ପାଖରେ ବସାଇ ସାଥୀରେ ମଧ୍ୟାହ୍ନ ଭୋଜନ କଲେ ପରିବହନ କମିସନର

କଟକ : ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ସେ ସମ୍ମାନର ହକଦାର । 38 ବର୍ଷ ଧରି ପିଅନ ଭାବରେ ରାଜ୍ୟ ପରିବହନ ‎ପ୍ରାଧିକରଣ(ଏସଟିଏ)ରେ ସେବା ଦେଇଛନ୍ତି । ଆଉ ତାଙ୍କ ଅବସର ଦିନରେ ସମ୍ମାନର ସହ ବିଦାୟ ସମ୍ବର୍ଦ୍ଧନା ଜଣାଇ ଏକ ‎ଭଲ ଉଦାହରଣ ସ୍ଥାପନ କରିଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଏସଟିଏରେ ପିଅନ ଭାବରେ କାର୍ଯ୍ୟରତ ଥିଲେ ‎ମାତାଲ ସୋରେନ୍ । 1987ରେ ସରକାରୀ ଚାକିରିରେ ଯୋଡ଼ିହେଲେ । ଚାକିରି ଏସଟିଏରୁ ଆରମ୍ଭ, ବିଦାୟ ବି ଏଇଠି । ‎ଏତେ ବର୍ଷ ଧରି କାର୍ଯ୍ୟାଳୟକୁ ସେବା ଦେଇଥିବା ମାତାଲଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି ନେଇଥିଲେ ପରିବହନ ‎କମିସନର। ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଚୌକି ପାଖରେ ମାତାଲଙ୍କ ଚୌକି ପକାଇବାକୁ କହିଥିଲେ । ‎ଏହା ଶୁଣି ମାତାଲ୍ ପଛେଇ ପଛେଇ ରହିଥିଲେ । ହେଲେ ଅମିତାଭ ତାଙ୍କୁ ପାଖକୁ ଡାକି ବସାଇଥିଲେ । ମାତାଲଙ୍କ ‎ନିଷ୍ଠାପର ସେବାକୁ ବି ମନେ ପକାଇଥିଲେ । ଏସବୁ ଦେଖି ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ ମାତାଲ୍ । ଏପିରିକି ତାଙ୍କୁ ‎ମଧ୍ୟ ନିଜ କଥା ରଖିବାକୁ ପରିବହନ କମିସନର କହିଥିଲେ । ତାଙ୍କୁ ମିଳିଥିବା ସମ୍ମାନ କଥା ସେ କେବେ ବି ସ୍ୱପ୍ନରେ ବି ଭାବି ‎ନ ଥିଲେ । ଏଥିପାଇଁ ସେ ପରିବହନ କମିସନରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ‎ଏସଟିଏର ଅଧିକାରୀମାନେ ମାତାଲଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ଉପହାର ପ୍ରଦାନ କରିଥିଲେ ।
ଏହାପରେ ଚାକିରି ଜୀବନର ଶେଷ ଦିନରେ ମାତାଲଙ୍କ ସମ୍ମାନରେ ତାଙ୍କୁ ପାଖରେ ବସାଇ କମିସନରଙ୍କ ସମେତ ସମସ୍ତ ‎ଅଧିକାରୀ ସାଥୀରେ ମଧ୍ୟାହ୍ନ ଭୋଜନ କରିଥିଲେ। ମାତାଲଙ୍କ ଆଖିରେ ଖୁସିର ଲୁହ ଥିଲା । ଏହା ଉପସ୍ଥିତ ସମସ୍ତଙ୍କୁ ‎ଭାବବିହ୍ୱଳ କରିଥିଲା । ‎

Leave a Reply

Your email address will not be published. Required fields are marked *