‘ନିଷ୍ଠୁର, ଜାତିବାଦୀ ରଙ୍ଗ’ : ଦଳିତ-ଆଦିବାସୀ ଅଭିଯୁକ୍ତଙ୍କୁ ପୋଲିସ୍ ଷ୍ଟେସନ ସଫା କରିବାକୁ କହିବା ନେଇ ଓଡ଼ିଶା କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ସୁପ୍ରିମକୋର୍ଟ ଙ୍କ ଭର୍ତ୍ସନା !!!

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ବେଦାନ୍ତ କମ୍ପାନୀ ହାତରେ ସିଜିମାଳି ପର୍ବତକୁ ଖଣି ଖନନ ନିମନ୍ତେ ଟେକି ଦେବା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଥିବା “ମା ମାଟି ମାଳି ସୁରକ୍ଷା ମଞ୍ଚର ଦୁଇ ଲଢ଼ୁଆ ସାଥୀ ହୀରାମଲ ନାୟକ ଓ କୁମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲା। ସେମାନେ ପ୍ରାୟ ଏକ ବର୍ଷ ତଳେ କମ୍ପାନୀ ଓ ପୋଲିସ୍ ପ୍ରଶାସନର ମିଲି ଭଗତ୍ ରେ ମିଥ୍ୟା ମକଦ୍ଦମାରେ ଗିରଫ୍ ହୋଇ ଦୀର୍ଘ ୬ ମାସ ପରେ ଜାମିନ୍ ପାଇଥିଲେ। କିନ୍ତୁ ଏକ ଅଜବ, ଅଗଣତାନ୍ତ୍ରିକ ତଥା ମନୋମୂଖୀ ଜାମିନ୍ ସର୍ତ୍ତାବଳୀ ବଳରେ ସେମାନଙ୍କୁ ଦୁଇମାସ ପର୍ଯ୍ୟନ୍ତ କାଶୀପୁର ଥାନା ସଫେଇ କରିବାକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ସେ ସମୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହି ନିଷ୍ପତ୍ତି ରଦ୍ଦ କରିବାକୁ ସେତେବେଳେ ପ୍ରାୟ ୮୪ ଜଣ ଗଣତାନ୍ତ୍ରିକ, ସାମ୍ବିଧାନିକ ମାନବାଧିକାର ଉଲ୍ଲଂଘନ ବିରୋଧରେ କାମ କରୁଥିବା ସାମାଜିକ ଓ ମାନବାଧିକାର କର୍ମୀ, ଆଇନଜୀବୀ, ଅବସରପ୍ରାପ୍ତ ପ୍ରଫେସର ତଥା ବୁଦ୍ଧିଜୀବୀ ମାନେ ସେମାନଙ୍କ ସ୍ୱାକ୍ଷରରେ ଏଭଳି ଜାମିନ୍ ସର୍ତ୍ତାବଳୀ କୁ ଅବୈଧ ଏବଂ ଅଗ୍ରହଣୀୟ ଦର୍ଶାଇ ସୁପ୍ରିମକୋର୍ଟ ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟରୁ ତ କିଛି ଉତ୍ତର ଆସିଲା ନାହିଁ, କିନ୍ତୁ ସୁପ୍ରିମକୋର୍ଟ ପିଟିସନ୍ ଗ୍ରହଣ କରି ଏହା ଜନସ୍ୱାର୍ଥ ମାମଲା କି ନାହିଁ ବିଚାର ପାଇଁ ବିଚାର କରାଯାଉଛି ବୋଲି ମେସେଜ୍ ମଧ୍ୟ ପଠାଇଥିଲେ। ମାତ୍ର ଅଳ୍ପ କିଛି ଦିନ ପରେ ପୁନର୍ବାର ମେସେଜ ଆସିଲା ଯେ ଏହା ଜନସ୍ୱାର୍ଥ ମାମଲା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହିଁ। ସେହି ଧାରା ବଳବତ୍ତର ରହିଲା, ଯେତେବେଳେ ସେହି ମକଦ୍ଦମାରେ ଯେଉଁମାନେ ଗିରଫ ହୋଇଥିଲେ, ପ୍ରାୟ ସମସ୍ତ ଙ୍କ ମକଦ୍ଦମାରେ ରାୟଗଡ଼ା ଜିଲ୍ଲା ଜଜ୍ “ମହାଜନସ୍ୟ ଗତସ୍ୟ ପନ୍ଥା” ନ୍ୟାୟରେ ସମସ୍ତଙ୍କ ଜାମିନ୍ ସର୍ତ୍ତାବଳୀ ରେ କାଶୀପୁର ଥାନା ସଫେଇ ପାଇଁ ନିର୍ଦ୍ଦେଶ ଦେଇ ଚାଲିଛନ୍ତି।
ଯାହା ହେଉ ପ୍ରାୟ ଏକ ବର୍ଷ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏବଂ ନ୍ୟାୟାଳୟର ରାୟ ସଂପର୍କରେ ସମୀକ୍ଷା କରୁଥିବା ଆଇନ୍ ସଂପର୍କିତ ପତ୍ର ପତ୍ରିକାରେ ଏହି ବିଷୟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏହି ରାୟକୁ ଭର୍ତ୍ସନା କରିଛନ୍ତି ଏବଂ ନିଜ ଆଡୁ ମାମଲାକୁ ଗ୍ରହଣ କରିଛନ୍ତି।

ଦେଖାଯାଉ, ବର୍ତ୍ତମାନ କର୍ପୋରେଟ ସ୍ୱାର୍ଥରେ ‘ମେଣ୍ଢାବାଳ- ଜଡ଼ା ତେଲ’ ଭଳି ଦେଶୀ ବିଦେଶୀ କମ୍ପାନୀ, ପୋଲିସ୍, ପ୍ରଶାସନ, ଗଣମାଧ୍ୟମ ଓ ନ୍ୟାୟପାଳିକା ର ଅଘୋଷିତ ମଧୁ ଚନ୍ଦ୍ରିକା ଭିତରେ ଆଗାମୀ ଦିନ ମାନଙ୍କରେ ଏହିପରି ମାମଲା ଗୁଡିକରେ କ’ଣ ନ୍ୟାୟ ମିଳୁଛି ???

Leave a Reply

Your email address will not be published. Required fields are marked *