ଆପେକ୍ସ କମିଟି ବୈଠକରେ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ପ୍ରାଶାସନିକ ରୂପରେଖ ଚୂଡ଼ାନ୍ତ
ଭୁବନେଶ୍ୱର, ୧୪/୫: ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସ୍ପିଏ)ର ପ୍ରଥମ ଆପେକ୍ସ କମିଟି ବୈଠକ ଗତ ୧୩ ତାରିଖରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟରେ, ସଭାପତି ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟରେ ପ୍ରମୁଖ ଇସ୍ପାତ ଶିଳ୍ପ; ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ଆରତୀ ଷ୍ଟିଲ, ରୁଙ୍ଗଟା ମାଇନ୍ସ, ଜେଏସଡବ୍ଲୁ ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ, ଏସାର ମିନ୍ ମେଟ, ନର୍ଭେରାମ ପାଓ୍ୱାର ଏଣ୍ଡ ଷ୍ଟିଲ ଓ ଏସ୍ଏନ୍ଏମ୍ ଗ୍ରୁପର ପ୍ରତିନିଧି ଯୋଗଦେଇଥିଲେ।
୨୦୩୦ ସୁଦ୍ଧା ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତାକୁ ୧୩୦ ମିଲିୟନ୍ ଟନ୍କୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୋଣ ସହିତ ଶିଳ୍ପ ମହଲର ଦୃଢ଼ ସହମତି ଓ ସମନ୍ୱୟ ଏହି ଆଲୋଚନାରେ ପ୍ରତିଫଳିତ ହୋଇଥିଲା।
ଏହି ବୈଠକରେ ଆନୁଷ୍ଠାନିକ ଭାବରେ ଓଏସ୍ପିଏର ବାଇ-ଲକୁ ଗ୍ରହଣ କରାଯାଇ, ଏକ ସେକ୍ସନ୍ ୮ ଲାଭବିହୀନ କମ୍ପାନୀ ଭାବରେ ଏହାର ଶାସନ ଢାଞ୍ଚାକୁ ଆନୁଷ୍ଠାନିକ ରୂପ ଦିଆଯାଇଥିଲା । ଏହା ସହିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ଏବଂ ପ୍ରତିଷ୍ଠାନ ଯୋଜନାକୁ ଶୀର୍ଷ କମିଟି ଅନୁମୋଦନ କରିଥିଲା ।
ବିଭିନ୍ନ ନିୟମିତ ଅନୁମତି ଓ ଅନୁମୋଦନ ପ୍ରକ୍ରିୟାର ସବିଶେଷ ସମୀକ୍ଷା କରିବା ସହ, ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁରୂପ ଅନାବଶ୍ୟକ ନିୟମାବଳୀକୁ ଅପସାରଣ କରିବା ପାଇଁ ଏକ ସାମଗ୍ରିକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଓଏସ୍ପିଏର ସଭାପତି ଶ୍ରୀ ଅସିତ କୁମାର ତ୍ରିପାଠୀ ଆହ୍ୱାନ ଦେଇଥିଲେ। “ଓଡ଼ିଶାରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅନାବଶ୍ୟକ ନିୟମାବଳୀର ଅପସାରଣ ପାଇଁ ଆମେ ଏକ ସାମଗ୍ରିକ ପ୍ରସ୍ତାବ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବା ଉଚିତ,” ବୋଲି ସେ କହିଥିଲେ ।
ନିର୍ଦ୍ଦିଷ୍ଟ ବୈଷୟିକ ପରାମର୍ଶ ଏବଂ ନୀତିଗତ ସମର୍ଥନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଏସ୍ପିଏର ଶିଳ୍ପ ବିଶେଷଜ୍ଞମାନଙ୍କୁ ନେଇ ସ୍ୱତନ୍ତ୍ର ସବ୍ -କମିଟି ଗଠନ କରିବାକୁ ଘୋଷଣା କରାଯାଇଛି। ଏହି ଉପ-କମିଟିଗୁଡ଼ିକ ଶିଳ୍ପାନୁଷ୍ଠାନ ସହମତି ଏବଂ ପ୍ରଯୁକ୍ତିଗତ ପରାମର୍ଶ ଭିତ୍ତିରେ, କଞ୍ଚାମାଲ ଯୋଗାଣ, ପରିବହନ, ପରିବେଶ ଓ ଜଙ୍ଗଲ, ଏବଂ ଜମି ଓ ପୁନର୍ବାସ ଭଳି ପ୍ରସଙ୍ଗରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ।
ଓସପାର ମହାସଚିବ ଶ୍ରୀ ସୁଶୀଲ କୁମାର ପୋପଲି ଆସୋସିଏସନର ମୂଳ ଦର୍ଶନ ପ୍ରତିଷ୍ଠାନଗତ ସହାନୁଭୂତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, “ଓଏସ୍ପିଏ ହେଉଛି ଶିଳ୍ପ ଓ ରାଜ୍ୟ ମଧ୍ୟରେ ଏକ ସେତୁ। ଆମର ଲକ୍ଷ୍ୟ ଏକ ସହଯୋଗପୂର୍ଣ୍ଣ ପରିବେଶ ସୃଷ୍ଟି କରିବା, ଯେଉଁଠାରେ ଶିଳ୍ପ ଅଭିବୃଦ୍ଧି ଏବଂ ନିୟାମକ ଲକ୍ଷ୍ୟର ଅନୁପାଳନ ହେଉଥିବ। ଆମର ବିଶେଷ ସବ୍-କମିଟିଗୁଡ଼ିକର ଦକ୍ଷତାକୁ କାମରେ ଲଗାଇ ଶିଳ୍ପ କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଦୂର କରିବା ପାଇଁ ପ୍ରଭାବଶାଳୀ ପରାମର୍ଶ ଦେବା ପାଇଁ ଆମେ ପ୍ରତିବଦ୍ଧ।”
ଓଏସ୍ପିଏ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ସକ୍ରିୟ କାର୍ଯ୍ୟସୂଚୀ ମଧ୍ୟ ଉନ୍ମୋଚନ କରାଯାଇଛି, ଯେଉଁଥିରେ “ଗ୍ରୀନ୍ ଷ୍ଟିଲ୍” ପଦକ୍ଷେପକୁ କେନ୍ଦ୍ର କରି କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ମିଳିତ ରହିଛି।
ଜିଏସଟି ପଞ୍ଜୀକରଣ ଏବଂ ସ୍ଥାୟୀ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ, ବର୍ତ୍ତମାନ ଓଏସ୍ପିଏ ପକ୍ଷରୁ ବ୍ୟାପକ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ, ଯେଉଁଥିରେ ଡାଉନଷ୍ଟ୍ରିମ୍ ଶିଳ୍ପଗୁଡ଼ିକୁ ସାମିଲ କରାଯିବ । ଏହାଦ୍ୱାରା ଓଡ଼ିଶାର ସମଗ୍ର ଇସ୍ପାତ ଇକୋସିଷ୍ଟମ ପାଇଁ ଏକ ଏକୀକୃତ ଏବଂ ପ୍ରତିନିଧିତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି ହୋଇପାରିବ ।
