ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ। ବିଧାୟକମାନେ ତାଙ୍କୁ ମଙ୍ଗଳବାର ଦେଖା କରିବାକୁ ଆସିଥିଲେ। ଏହା ଏକ ନିୟମିତ ପ୍ରକ୍ରିୟା। ଏହା କେହି ଅଲଗା ଅର୍ଥରେ ବୁଝିବା ଉଚିତ ନୁହେଁ ବୋଲି ଏନସିପି ନେତା ତଥା ମହାରାଷ୍ଚ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର କହିଛନ୍ତି। ଏନସିପି ବିଭାଜନ କରି ଶ୍ରୀ ପାଓ୍ୱାର ବିଜେପି ସହ ମିଶି ପାରନ୍ତି ବୋଲି ଆଲୋଚନାର ଜବାବ୍ ରଖି ଶ୍ରୀ ପାଓ୍ୱାର ଏହା କହିଛନ୍ତି।
ଅଜିତ କୁହନ୍ତି ଯେ, ଜାତୀୟ ଗଣମାଧ୍ୟମରେ ଏସବୁ ଚର୍ଚ୍ଚା ଯୋଗୁ ଦଳ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ମାତ୍ର ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏନସିପି ଶରଦ ପାୱାରଙ୍କ ନେତୃତ୍ୱରେ ଗଠନ ହୋଇଛି। ଆମେ କେତେବେଳେ କ୍ଷମତାରେ ରହିପାରୁ କିମ୍ବା ବିରୋଧୀ ଭାବେ କାମ କରିପାରୁ। ବେକାରୀ ଓ ଚାଷୀଙ୍କ ସମସ୍ୟାରୁ ଧ୍ୟାନଚ୍ୟୁତ କରିବା ପାଇଁ ଜାଣିଶୁଣି ଏପରି ଗୁଜବର ପ୍ରଚାର କରାଯାଉଛି ବୋଲି ଶ୍ରୀ ପାଓ୍ୱାର କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ମଙ୍ଗଳବାର ସକାଳେ ସଙ୍କେତ ଦେଇଥିଲେ ଯେ ୨ଟି ରାଜନୈତିକ ବୋମା ୧୫ ଦିନ ମଧ୍ୟରେ ଫୁଟିବ। ଗୋଟିଏ ଦିଲ୍ଲୀରେ ଓ ଆଉ ଗୋଟିଏ ମହାରାଷ୍ଟ୍ରରେ। ବିସ୍ଫୋରଣର ଅର୍ଥ ଆପଣମାନେ ଜାଣିଛନ୍ତି। ମୁଁ ବର୍ତ୍ତମାନରେ ରହିଛି। ଆଜି କଥା ମୋତେ ପଚାରିଲେ ମୁଁ କହି ପାରିବି। ୧୫ ଦିନ ପରେ କ’ଣ ହେବ, ସେକଥା ମୁଁ ଜାଣିନି ବୋଲି ଶ୍ରୀମତୀ ସୁଲେ କହିଥିଲେ।

Leave a Reply

Your email address will not be published. Required fields are marked *