ରାଜ୍ୟ ସରକାରଙ୍କୁ ଏକାଧିକ ମୌଳିକ ପ୍ରସଙ୍ଗରେ ଘେରିଲା ପିସିସି, ୫-ଟି ଉପକ୍ରମ ଏକ ପ୍ରହେଳିକା ବୋଲି କହିଲେ ବିଜୟ

ଭୁବନେଶ୍ୱର,୨୮/୪(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମ ନାଁରେ କେବଳ ତୁଛା ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପକ୍ଷରୁ ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଉପଭୋକ୍ତାଙ୍କ ହନ୍ତସନ୍ତ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ସରକାରଙ୍କୁ ଘେରିଛନ୍ତି।
ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାର ୧୫ ଟି ଜିଲ୍ଲାରେ ୪୦.୫% ଲୋକ ସ୍ୱଚ୍ଛ ପାନୀୟ ଜଳ ପାଇବାର ବଂଚିତ । ଆତ୍ମଶକ୍ତି ତଥା ଓଡ଼ିଶା ଶ୍ରମଜୀବି ଓ ମହିଳା ଓ ମହିଳା ଶ୍ରମଜୀବି ସଂଗଠନର ମିଳିତ ଉଦ୍ୟମରେ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ୧୫ ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ତଥା ଦେଓଗଡ଼ ଆଦି ଜିଲ୍ଲା ସାମିଲ ଅଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନୁରୂପ ଭାବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅଘୋଷିତ ବିଦ୍ୟୁତକାଟ କରାଯାଉଛି । ଏହି ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି। କଂଗ୍ରେସ ନେତା ତଥା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ ଯେ, ଭୋଲଟେଜ ଲୋ ରହୁଛି ଓ ବିଜୁଳି ଉପଭୋକ୍ତା ଯନ୍ତ୍ରଣାରେ ଷଡ଼ୁଛନ୍ତି । ଦ୍ୱିତୀୟରେ ଓଡ଼ିଶା କୋଲ ଓ ପାୱାର କମ୍ପାନୀ (ଓସିପିଲ) ଆଇନ ତଥା କେନ୍ଦ୍ରୀୟ ନିର୍ଦ୍ଦେଶନାମା ଫାଙ୍କି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କୋଇଲା ଉତ୍ତୋଳନ କରୁଛନ୍ତି ଓ ବିକ୍ରି କରି ୪୭୯ କୋଟି ଟଙ୍କା ଲାଭ ଉଠାଇବା ବେଳେ ଖାଉଟୀମାନେ ଅଧିକ ଦରରେ ତଣ୍ଡ ଗଣୁଛନ୍ତି । ନବୀନବାବୁ ସବୁ ଦେଖି ଆଖି ବୁଜି ଦେଇଛନ୍ତି । ଏହାଠାରୁ ବଳି ଅପରାଧ କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟରେ ୫-ଟି ଉପକ୍ରମ ଶାସନ ନାଁରେ ପ୍ରହସନ ଚାଲିଛି ବୋଲି ବିଜୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, କେବଳ ମିଥ୍ୟା ଆଉ ମିଥ୍ୟାକୁ ନେଇ ସରକାର ଚାଲିଛି । ମିଥ୍ୟା ବନାମ ବାସ୍ତବତା ପ୍ରସଙ୍ଗ ଉଠାଇ ୫ଟିର ବାଖ୍ୟାତ୍ମକ ବର୍ଣ୍ଣନା ସହ ୫ ଗୋଟି ଉଦାହରଣ ଦେଇଛନ୍ତି । ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମତରେ ପ୍ରଥମ ଟି ସ୍ୱଚ୍ଛତାର ଡିଣ୍ଡିମ ପିଟୁଛି ଅର୍ଥାତ ପାନୀୟ ଜଳ ପ୍ରକଳ୍ପ ଓ ଉପଲବ୍‌ଧି ସଂକ୍ରାନ୍ତରେ ପ୍ରଶ୍ନ କଲ ‘ତଥ୍ୟ ସଂଗ୍ରହ କରାଯାଇଛି’ ବୋଲି ଉତ୍ତର ମିଳୁଛି । ଦ୍ୱିତୀୟ ‘ଟି’ ସମୟ ସୀମା ମଧ୍ୟରେ ନିର୍ମାଣ ଶେଷର ନାଗରା ବଜାଉଛନ୍ତି ଅଥଚ ହକି ଷ୍ଟାଡିଅମକୁ ଛାଡ଼ି ଦେଲେ ଆଉ ସବୁ ଅତ୍ୟାବଶକୀୟ ପ୍ରକଳ୍ପ ଦୀର୍ଘ ସମୟଧରି ପଡ଼ିରହୁଛି । ତୃତୀୟ ‘ଟି’ ଜ୍ଞାନ କୌଶଳର ଉପଯୋଗିତାର ଘୋଷଣା କରୁଛି ଅଥଚ ନବରଙ୍ଗପୁରର ବୟୋବୃଦ୍ଧା ବାର୍ଦ୍ଧକ୍ୟ ଭତା ପାଇଁ ଚୌକିକୁ ଆଶାବାଡ଼ି କରି ବ୍ୟାଙ୍କ ଧାଉଁଛି । କାହିଁକି ତା ଘରେ ଭତା ମିଳୁନାହିଁ । ଚତୁର୍ଥ ‘ଟି’ ରୂପାନ୍ତରଣର କଥା କୁହେ, କିନ୍ତୁ ଏହା କେବଳ ବାହ୍ୟ ରୂପାନ୍ତରେ ସୀମିତ । ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ବା ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଏହି ରୂପାନ୍ତରୀକରଣ ଅର୍ଥହୀନ ହୋଇପଡ଼ିଛି । ପଂଚମ ‘ଟି’ ଟିମ୍ ୱାର୍କର ବିଜ୍ଞାପନ ହେଉଛି କିନ୍ତୁ ଏହା ବାସ୍ତବରେ ରାଜ୍ୟବାସୀ ନୁହଁନ୍ତି ସରକାରୀ ଦଳର ସ୍ୱାର୍ଥପାଇଁ ସରକାରୀ ଦଳର ଦୁରୁପଯୋଗ କରାଯାଉଛି । ଦଳ ସମୃଦ୍ଧ ହେଉଛି ରାଜ୍ୟ ଦରିଦ୍ର ହେଉଛି । ସବୁ ନୀତି, ନିୟମକୁ ଜଳାଞ୍ଜଳି ଦିଆଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

Leave a Reply

Your email address will not be published. Required fields are marked *