କେଜରିୱାଲ ଗୁଜୁରାଟ ହାଇକୋର୍ଟର ଦ୍ବାରସ୍ଥ ହେଲେ

ଅହମଦାବାଦ : ଗତ ମାର୍ଚ୍ଚ ମାସରେ ଗୁଜୁରାଟ ହାଇକୋର୍ଟ ଦିଲ୍ଲୀ ମୂଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜରିୱାଲଙ୍କ ଉପରେ ୨୫୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ଏହାର ପୁନର୍ବିଚାର କରିବା ପାଇଁ କେଜରିୱାଲ ଗୁଜରାଟର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଗୁଜୁରାଟ ବିଶ୍ବବିଦ୍ୟାଳୟ, କେନ୍ଦ୍ର ସରକାର, କେନ୍ଦ୍ରୀୟ ସୁଚନା କମିଶନ ଓ ପୂର୍ବତନ ମୂଖ୍ୟ ସୂଚନା କମିଶନର ଶ୍ରୀ ଶ୍ରୀଧର ଆଚାର୍ଯ୍ୟଲୁଙ୍କୁ ନୋଟିସ ଜାରି କରିଛନ୍ତି ।

ସମ୍ପୂର୍ଣ ମାମଲାଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ । ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟ ଦେଖାଇବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଗୁଜୁରାଟ ବିଶ୍ବବିଦ୍ୟାଳୟ ସେତେବେଳେ ଗୁଜୁରାଟ ହାଇକୋର୍ଟକୁ ଯାଇଥିଲା । ଗତ ମାର୍ଚ୍ଚ ମାସରେ ଏହି ମାମଲାର ବିଚାର କରି ଗୁଜୁରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଆଦେଶକୁ ଖାରଜ କରିଥିଲେ ଏବଂ କେଜରିୱାଲଙ୍କ ଉପରେ ଜୋରିମାନା ଲଗାଇଥିଲେ । ହାଇକୋର୍ଟରେ ବିଚାର ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟା ବିଚାରପତିଙ୍କୁ ଜଣାଇଥିଲେ ଯେ ମୋଦୀଙ୍କ ବି.ଏ ସାର୍ଟିଫିକେଟ ବିଶ୍ବବିଦ୍ୟାଳୟର ଓ୍ବେବସାଇଟରେ ଅଛି ।

ବର୍ତମାନ କେଜରିୱାଲ ସେହି ଗୁଜୁରାଟ ହାଇକୋର୍ଟକୁ ଜଣାଇଛନ୍ତି ଯେ ବିଶ୍ବବିଦ୍ୟାଳୟ ଓ୍ବେବସାଇଟରେ ମୋଦୀଙ୍କ ସାର୍ଟିଫିକେଟ ଦେଖିବାକୁ ମିଳୁ ନାହିଁ । ଗତଥର ସଲିସିଟର ଜେନେରାଲ ପ୍ରଥମଥର ପାଇଁ ଜଣାଇଥିଲେ ଯେ ସାର୍ଟିଫିକେଟ ଓ୍ବେବସାଇଟରେ ଅଛି । ସେତେବେଳେ ତାଙ୍କୁ ତାହା ଦେଖିବା ପାଇଁ ସମୟ ମିଳି ନଥିଲା ବୋଲି କେଜରିୱାଲ ଜଣାଇଛନ୍ତି । ପରେ ସେ ଜଣେ ଆଇ.ଟି ପ୍ରୋଫେସନାଲଙ୍କ ସାହାଯ୍ୟ ନେଇ ସମ୍ପୂର୍ଣ୍ଣ ଓ୍ବେବସାଇଟ୍ ଖୋଜିବା ପରେ ମଧ୍ୟ ତାହା ସେ ପାଇଲେ ନାହିଁ । ଅବଶ୍ୟ ଓ୍ବେବସାଇଟରେ ଏକ ଅଫିସ ରେଜିଷ୍ଟର ସେ ଦେଖିବାକୁ ପାଇଛନ୍ତି । କିନ୍ତୁ ସେଥିରେ କୈାଣସି ମୋହର କିମ୍ବା ଦସ୍ତଖତ ନଥିବାରୁ ତାହାର ସତ୍ୟାପନ କରିବା ଅସମ୍ଭବ ବୋଲି କେଜରିୱାଲ ଗୁଜୁରାଟ ହାଇକୋର୍ଟଙ୍କୁ ଜଣାଇଛନ୍ତି ।

ତାଙ୍କ ଉପରେ ଲାଗିଥିବା ୨୫୦୦୦ ଟଙ୍କାର ଜୋରିମାନାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ସେ ତାଙ୍କ ନିଜ ଆଡୁ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଖିବା ପାଇଁ କୈାଣସି ଆବେଦନ କରି ନଥିଲେ । ୨୦୧୬ ମସିହାରେ କେନ୍ଦ୍ରୀୟ ସୂଚନା ଆୟୋଗ ତାଙ୍କୁ ଲେଖିଥିବା ଗୋଟିଏ ଚିଠିର ଉତ୍ତରରେ ସେ କେବଳ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଏକ ଉଲ୍ଲେଖ କରିଥିଲେ । କେନ୍ଦ୍ରୀୟ ସୂଚନା ଆୟୋଗ ସେତେବେଳେ ଏହାକୁ ତାଙ୍କର ଏକ ପ୍ରାର୍ଥନା ବୋଲି ବିଚାର କରି ମୋଦୀଙ୍କ ବି.ଏ ସାର୍ଟିଫିକେଟର କପି କେଜରିୱାଲଙ୍କୁ ଦେବାକୁ ଗୁଜୁରାଟ ବିଶ୍ବବିଦ୍ୟାଳୟକୁ ଏକ ଆଦେଶ ଦେଇଥିଲେ। ସେତେବେଳେ ଗୁଜୁରାଟ ବିଶ୍ବବିଦ୍ୟାଳୟ ଏହାକୁ ଚାଲେଞ୍ଜ କରି ଗୁଜୁରାଟ ହାଇକୋର୍ଟକୁ ଯାଇଥିଲେ । ଏପରିକି ସେତେବେଳେ ଗୁଜରାଟ ହାଇକୋର୍ଟରେ ଚାଲିଥିବା ଏହି ମୋକଦ୍ଦମାରେ ସେ ନିଜ ଆଡୁ ଜଣେ ପକ୍ଷ ହେବାକୁ କେବେ ବି ଆବେଦନ କରି ନଥିଲେ । ଏପରି ସ୍ଥଳେ ତାଙ୍କ ଉପରେ ଲାଗିଥିବା ଜୋରିମାନା ଆଦେଶର ପୁନର୍ବିଚାର କରିବାକୁ କେଜରିୱାଲ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଆସନ୍ତା ୩୦ ତାରିଖରେ ଏହାର ଶୁଣାଣି ହେବ ବୋଲି ବିଶ୍ବାସ କରା ଯାଉଛି ।

Leave a Reply

Your email address will not be published. Required fields are marked *