ଏଣିକି ଶସ୍ତା ହେବ ପପକର୍ଣ୍ଣ , ସିନେମା ହଲରେ ଦେବାକୁ ପଡ଼ିବନି ଅଧିକ ଟଙ୍କା
ନୂଆଦିଲ୍ଲୀ : ‘ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ୫୦ ତମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନେକ ଜିନିଷ ଉପରେ ଟିକସ ହାର କଟାଯିବାର ମଧ୍ୟ ପ୍ରସ୍ତାବ ଦିଆଯିବ | ଏହି ବୈଠକରେ ସିନେମା ହଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ଜିଏସଟି ହ୍ରାସ କରାଯିବ ଏବଂ କର୍କଟ ଔଷଧ ଉପରେ ଟିକସ ଛାଡ ମଧ୍ୟ ଦିଆଯାଇପାରେ ବୋଲି ଆଶା ରଖାଯାଉଛି। ନିର୍ବାଚନୀ ବର୍ଷ ହୋଇଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସିନେମା ହଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ଜିଏସ୍ଟି ବର୍ତ୍ତମାନର ୧୮% ରୁ ୫% କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, ଯଦି ପପକର୍ଣ୍ଣ ଏବଂ ପାନୀୟ ପରି ଖାଦ୍ୟ ସାମଗ୍ରୀ ଚଳଚ୍ଚିତ୍ର ଟିକେଟ୍ ସହିତ ବିକ୍ରି ହୁଏ, ତେବେ ମୂଳ ଉତ୍ପାଦ ଅନୁଯାୟୀ ଟିକସ ଆଦାୟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି | ସିନେମା ହଲର ମାଲିକମାନେ ଦୀର୍ଘ ଦିନ ଧରି ଏହା ଦାବି କରିଆସୁଛନ୍ତି । ସେହିପରି କର୍କଟ ରୋଗ ଔଷଧ ଜିଏସଟି ମୁକ୍ତ କରିବାକୁ ଦାବି କରାଯାଉଛି | କର୍କଟ ଓୌଷଧ ଡିନ୍ୟୁଟୁସିମ୍ୟାବ୍ ଉପରେ ମଧ୍ୟ ଟିକସ ଛାଡ ଘୋଷଣା କରାଯାଇପାରେ । ସେହିପରି ଯେଉଁ ଔଷଧର ମୂଲ୍ୟ ୨୬ ଲକ୍ଷ ଏବଂ ସର୍ବସାଧରଣଙ୍କ ଠାରୁ ପାଣ୍ଠି ମାଧ୍ୟମରେ ଔଷଧ କିଣାଯାଏ, ତାହାକୁ ଜିଏସଟି ପରିସରରୁ ଦୂରେଇ ରଖିବା ଉଚିତ୍। ମାତ୍ର ଗୋଆ ଏଥିରେ ୧୮% ଟିକସ ରଖିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ଏହି ଔଷଧ ଉପରେ ୧୨% ଜିଏସ୍ଟି ଆଦାୟ କରାଯାଉଛି |