ମୁଖ୍ୟମନ୍ତ୍ରୀ ଦସ୍ତଖତକୁ ନକଲି ବୋଲି କହିଲେ ସୌମ୍ୟ ପଟ୍ଟନାୟକ, ସପ୍ତାହ ତଳେ ଭେଟିବାକୁ ଅନୁମତି ମାଗି ନିରାଶ ହୋଇଥିଲେ ..

ଭୁବନେଶ୍ୱର : ରାଜନୈତିକ ଘଟଣାକ୍ରମରେ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ମାତ୍ର ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନେଇ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି। ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଉପସଭାପତି ପଦ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ, ହରାଇଛି ବୋଲି କହିବି। ଅନେକ ଗୁଡ଼ିଏ ପଦ ପଦବୀରେ ଆମ ଦଳର ଅନେକ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ। ତେଣୁ ସେହି ପଦଟା କେବଳ ଆଳଙ୍କାରିକ ଭାବେ ଥିଲା। ତେଣୁ ଏହାକୁ ହରାଇବା ହିସାବରେ ମୁଁ ଗ୍ରହଣ କରୁନି। କିନ୍ତୁ ଗୋଟିଏ ଉଲ୍ଲେଖନୀୟ କଥା ହେଲା, ମୋତେ ଅନ୍ତର କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତ ରହିଛି। ସେହି ଦସ୍ତଖତଟି ଅସଲି ନା ନକଲି, ତାହା ସନ୍ଦେହ ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୌମ୍ୟ ଆହୁରି କହିଛନ୍ତି ଯେ, ମାତ୍ର ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ମିନିଟ୍ ସମୟ ମାଗିଥିଲି। ମୋତେ ସମୟ ମିଳିଲା ନାହିଁ। କିନ୍ତୁ ତା’ ବଦଳରେ ଏ ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି। ତେଣୁ ସେଥିରୁ ମୋର ସନ୍ଦେହ ହେଉଛି, ସେହି ଦସ୍ତଖତଟି ନକଲି ନା ଅସଲି। ଏହାଛଡ଼ା ଅନ୍ୟ କିଛି ମୋର କହିବାର ନାହିଁ । ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ। ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
