ବହିଷ୍କାର ପରେ କୁଆଡେ ଯିବେ ସୌମ୍ୟ ରଞ୍ଜନ, ଦୁଇ ଜାତୀୟ ଦଳ ସହ କରୁଛନ୍ତି କି ଯୋଗାଯୋଗ !!!
ନୂଆଦିଲ୍ଲୀ :ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପଟ୍ଟନାୟକ କୁଆଡେ ଯିବେ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ବିଜେଡି ବହିଷ୍କାର ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ଗୁଇନ୍ଦା ସୂଚନା ଆଧାରରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଦା କରିଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପିର ବରିଷ୍ଠ ନେତା ତଥା ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା କୁହାଯାଉଛି। ଏନେଇ ସୌମ୍ୟଙ୍କ ଶିବିର କିମ୍ବା ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଅମିତି ଶାହାଙ୍କ ସହ ସୌମ୍ୟଙ୍କ ଭେଟଘାଟ୍ ତାଙ୍କ ବହିଷ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା କୁହାଯାଉଛି।
ସେହିପରି ସୌମ୍ୟ ରଞ୍ଜନ କେବଳ ବିଜେପି ନୁହେଁ, ସମାନ ଭାବେ କଂଗ୍ରେସ ସହ ମଧ୍ୟ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, କମଲନାଥଙ୍କ ସହ କେରଳ କଂଗ୍ରେସ ନେତା ବେଣୁଗୋପାଳଙ୍କ ଜରିଆରେ ଗାନ୍ଧୀ ପରିବାର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟତର ହେବାକୁ ସୌମ୍ୟ ରଞ୍ଜନ ଚେଷ୍ଟା କରୁଛନ୍ତି। ତେଣୁ ଆଗାମୀ ଦିନରେ ସେ କେଉଁ ଦଳ ସହ ରହୁଛନ୍ତି ନା ସକ୍ରିୟା ରାଜନୀତିରୁ ଦୂରେଇ ରହି ସମ୍ପାଦନାରେ ମନୋନିବେଶ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।