ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !

ଭୁବନେଶ୍ୱର : ମଲ୍ଲିକାର୍ଜୁନ ଖଡ଼ଗେ। ସର୍ବଭାରତୀୟ କଂଗ୍ରେସ ସଭାପତି। ଦଳର ସବୁଠୁ ବରିଷ୍ଠ ନେତା। କର୍ଣ୍ଣାଟକ ବିଧାନସଭା, ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଥିବା ରାଜନେତା। ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖୁଥିବା ଏହି ରାଜନେତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶା କଂଗ୍ରେସ।  କଂଗ୍ରେସ ପକ୍ଷରୁ ଜାରି କରାଇଥିବା ଏକ ପୋଷ୍ଟରରେ ନଗଣ୍ୟ ଭାବେ ଶ୍ରୀ ଖଡ଼ଗେଙ୍କ ଫଟୋ ରଖାଯାଇଛି। ଯାହା ହେବା କଥା ନୁହେଁ। ଦଳର ସଭାପତି ଭାବେ ତାଙ୍କ ଫଟୋ ସବୁଠୁ ବଡ଼ ହେବା କଥା। ମାତ୍ର ତାହା ହୋଇନାହିଁ। ଯାହାକୁ ନେଇ ଟିମ୍ ରାହୁଲ ଏବଂ ଟିମ୍ ଏଆଇସିସିର ସୋସିଆଲ ମିଡିଆ ଫୋରମ୍ କ୍ଷୋଭ ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଖଡ଼ଗେ ଜଣେ ଲଢୁଆ କଂଗ୍ରେସ ନେତା, ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନ ପ୍ରେରଣାଦାୟୀ। ମାତ୍ର ତାଙ୍କ ଫଟୋ ସହ କାହିଁକି ଏମିତି ଖେଳାଗଲା, ତାହାକୁ ନେଇ ଭିନ୍ନ ଚର୍ଚ୍ଚା ଜରି ରହିଛି।

       ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମନମୋହନ ସିଂ ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଶ୍ରୀ ଖଡଗେଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ପ୍ରଦାନ କରନ୍ତି। ସାଧାରଣ ସଭା ହେଉ କି ଦଳୀୟ ଫୋରମ ଏହା ସ୍ପଷ୍ଟ ଜଣାପଡୁଛି। ମାତ୍ର ତାହା ଓଡ଼ିଶାରେ ପ୍ରତିଫଳିତ ହୋଇପାରୁନାହିଁ। କଂଗ୍ରେସ ନେତା ତଥା ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି କହୁନ୍ତି ଯେ, ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ହୋଇଛି ସତ। ମାତ୍ର ଚିନ୍ତାଧାରା ସମାନ ରହିଛି। ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶାରେ ପଟ୍ଟନାୟକ କଂଗ୍ରେସ ହୋଇଯାଇଛି। ତାଙ୍କ ପରିବାରର ବୋଲହାକ କରୁଥିବା ନେତାଙ୍କ ଛଡ଼ା ସେମାନେ କାହାକୁ ପଚାରନ୍ତି ନାହିଁ। ଶାସକ ଦଳ ସହ ସଲାସୁତୁରା କରି ବ୍ୟବସାୟିକ ଫାଇଦା ପାଇଥାଆନ୍ତି। ତେଣୁ ଅନୁସୂଚିତ ଜାତି ବର୍ଗରୁ ଆସୁଥିବାରୁ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତି ଏପରି ଅସମ୍ମାନ ପ୍ରଦାନ କରାଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି। ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଅଭୟ ପ୍ରଧାନ କହିଛନ୍ତି ଯେ, ଅତୀତରେ ପ୍ରସାଦ ହରିଚନ୍ଦନ ସଭାପତି ଥିବା ବେଳେ ବିଧାୟକ ଦଳ ବୈଠକରେ ତାଙ୍କୁ ସାମିଲ କରାଯାଉନ ଥିଲା। ମାତ୍ର ସେ ଗଲା ପରେ ନିରଞ୍ଜନ ପଟ୍ଟନାୟକ ଏବଂ ଶରତ ପଟ୍ଟନାୟକଙ୍କ ସମୟରେ ପିସିସି ସଭାପତି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିଲେ। ତେଣୁ ଏହି ନେତାମାନେ ମାନସିକ ଭାବେ ବହୁଜନ ବିରୋଧି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

One thought on “ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !

Leave a Reply

Your email address will not be published. Required fields are marked *