ପୁରୀ ବିଜେଡି ଟିକେଟ୍ ପାଇଁ ପାଞ୍ଚ ଦାବିଦାର…ହେଲେ କାହାର ସମ୍ଭାବନା ବେଶୀ..

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ପାଞ୍ଚ ଧର ବିଧାୟକ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ବିଭିନ୍ନ ରାଜନୈତିକ ଆଲୋଚନା ପ୍ରସଙ୍ଗ ଜୋର ଧରିଛି। ଏହା ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି-ବିଜେଡି ପରବର୍ତ୍ତୀ ସାଧାରଣ ନିର୍ବାଚନରେ କାହାକୁ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିବ।  ମହେଶ୍ୱର ବାବୁଙ୍କ ନିଧନ ପରେ ବିଜେଡି ଏକାଧିକ ବିକଳ୍ପ ଉପରେ ପର୍ଯ୍ୟାଲୋଚନା କରୁଛି। ମାତ୍ର କୌଣସି ଗୋଟିଏ ବିକଳ୍ପ ନେଇ ଏଯାଏଁ ସ୍ଥିର ହୋଇନାହିଁ। ଏନେଇ ବିଜେଡି ପକ୍ଷରୁ ଏକାଧିକ ସଂସ୍ଥା ଦ୍ୱାରା ଭିନ୍ନ ଭିନ୍ନ ସର୍ଭେ ମଧ୍ୟ କରାଯାଉଛି। ହେଲେ ତୃତୀୟ ମହଲା କାହାକୁ ସବୁଜ ସଙ୍କେତ ଦେବ, କାହାକୁ ଅନ୍ୟ ପଦରେ ଥଇଥାନ କରିବ, ସେ ନେଇ ମଧ୍ୟ ଉତ୍କଣ୍ଠା ଜାରି ରହିଛି।

ଏହି କ୍ରମରେ ବିଜେଡି ଟିକେଟ୍ ପାଇଁ ମୁଖ୍ୟତଃ ପାଞ୍ଚଟି ନାମକୁ ନେଇ ଚର୍ଚ୍ଚା କରୁଛି। ଏହି ନାମ ଗୁଡିକ ହେଉଛି- ବର୍ତ୍ତମାନର ବିଜେପି ବିଧାୟକ, ଜୟନ୍ତ ଷଡଙ୍ଗୀ, ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ସୁନୀଲ କୁମାର ମହାନ୍ତି।  ବର୍ତ୍ତମାନର ବିଧାୟକ ମୂଳ ଜନତା ଦଳ ଲୋକ। ସେ ଗତ ନିର୍ବାଚନରେ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ଚାହୁଁଥିଲେ। ମାତ୍ର ତାହା ହୋଇ ନ ଥିଲା। ଅପ୍ରତ୍ୟାଶିତ ଭାବେ ବିଜେପି ଟିକେଟ୍ ରେ ଲଢିଥିଲେ। ମହେଶ୍ୱରଙ୍କ ବିରୋଧରେ ଥିବା ଅସନ୍ତୋଷର ଫାଇଦା ନେଇ ଜିଆଣ୍ଟ କିଲର ସାବ୍ୟସ୍ତ ହୋଇଥିଲେ। ବିଧାୟକ ହେବା ପରଠାରୁ ଶାସକ ଦଳ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିନାହାନ୍ତି। ସରକାରୀ ଉନ୍ନତିମୂଳକ କାର୍ଯ୍ୟକଳାପକୁ ପ୍ରଶଂସା କରୁଛନ୍ତି। ତୃତୀୟ ମହଲା ଯେଉଁ ପ୍ରକାର ନେତାଙ୍କୁ ନେଇ ଆଗକୁ ଯିବାକୁ ସ୍ୱପ୍ନ ଦେଖୁଛି। ସେହି ସବୁ ଲକ୍ଷଣ ଜୟନ୍ତ ଷଡଙ୍ଗୀର ରହିଛି। ତେଣୁ ପୂର୍ବତନ ବିଧାୟକ ପରିବାର ଏବଂ ଉଦୀୟମାନ ଯୁବ ନେତାକୁ ଥଇଥାନ କରି ଜୟନ୍ତ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ଦ୍ୱିତୀୟରେ ମହେଶ୍ୱର ବାବୁଙ୍କ ଧର୍ମପତ୍ନୀ ଦଳର ସମସ୍ତ ଛାମୁଆ ଏବଂ ପୁରୁଣା କର୍ମୀଙ୍କ ସହ ବେଶ୍ ପରିଚିତ। ପୁରୁଖା କର୍ମୀ ସ୍ୱର୍ଗତ ମହାନ୍ତି ପୁତ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇ ପାରନ୍ତି। ମାତ୍ର ବିଷ୍ଣୁପ୍ରିୟାଙ୍କ ପ୍ରାର୍ଥୀତ୍ୱ ସେ ସମସ୍ୟା ସୃଷ୍ଟି କରିବ ନାହିଁ। ନୂତନ ପ୍ରାର୍ଥୀ, ଅତୀତ ଅଭିଜ୍ଞତା, ସହାନୁଭୂତି ଭୋଟ୍ ଏବଂ ମହିଳା କାର୍ଡ ଦୃଷ୍ଟିରୁ ବିଷ୍ଣୁପ୍ରିୟା ମହାନ୍ତି ଅନ୍ୟତମ ଦାବିଦାର। ତୃତୀୟରେ କଂଗ୍ରେସ ରାଜନୀତିରୁ ଜନତା ରାଜନୀତିକୁ ଆସିଥିବା ଦିବାକର ପାତ୍ର ଅନ୍ୟତମ ଦାବିଦାର। ମହେଶ୍ୱର ମହାନ୍ତିଙ୍କ ପରେ ସେ ଏକମାତ୍ର ସଙ୍ଗଠକ, ଯାହାଙ୍କ ନାଁରେ ୨୦ ହଜାରୁ ଉର୍ଦ୍ଧ୍ୱ ଭୋଟ୍ ରହିଛି। ଦୁଇଥର ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ସଦର ରାଜନୀତିର ଏକମାତ୍ର ଧୂରୀଣ ରଣନୀତିକାର। ତେଣୁ ତାଙ୍କ ପ୍ରାର୍ଥୀତ୍ୱକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ। ଶାସକ ଦଳ ସହ ଅନ୍ୟ ରାଜନୈତିକ ଦଳ ମଧ୍ୟ ଦିବାକର ପାତ୍ରଙ୍କୁ ନେଇ ପ୍ରାକ୍ ଆକଳନ ଗଣିତ କଷୁଛି।

            ଚତୁର୍ଥ ଏବଂ ପଞ୍ଚମରେ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁତ୍ର ସୁନୀଲ ମହାନ୍ତି ଏବଂ ଯୁବ ଜନତା ଦଳ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରହିଛି। ସୁନୀଲ ରାଜନୀତିରେ ନୂଆ। ମାତ୍ର ଧିରେ ଧିରେ ନିଜର ଏକ ଗୋଷ୍ଠୀ ତିଆରି କରିସାରିଲେଣି। ପିତାଙ୍କ ବିୟୋଗ ଏବଂ ମାତାଙ୍କ ବୟସାଧିକ୍ୟ ଯୋଗୁ ଟିକେଟ୍ ବେଳେ ତାଙ୍କର ଏକ ଦାବିଦାରୀ ରହୁଛି। ଯାହାକୁ ସମ୍ପୂର୍ଣ୍ଣ ଅଣଦେଖା କରିହେବ ନାହିଁ। ଶେଷ ତଥା ଗତ ସାଧାରଣ ନିର୍ବାଚନ ପରଠାରୁ ଆଉ ଏକ ନେତୃତ୍ୱର ବିକାଶ ଘଟିଛି।ଯାହା ବେଶ୍ ସୁଦୃଢ ବୋଲି ପୁରୀରେ ଏକ ଆଲୋଚନା ରହିଛି। ଏହି ନେତୃତ୍ୱ ଜଣଙ୍କ ହେଉଛନ୍ତି-ଶୁଭାଶିଷ ଖୁଣ୍ଟିଆ। ଏକଦା ମହେଶ୍ୱର ମହାନ୍ତିଙ୍କ ଛାଇ ହୋଇ ରହୁଥିବା ଅନେକ ନେତା ଶ୍ରୀ ଖୁଣ୍ଟିଆଙ୍କ କ୍ୟାମ୍ପରେ ରହିଛନ୍ତି। ପୁରୀ ପ୍ରଶାସନରେ ମଧ୍ୟ ଶୁଭାଶିଷଙ୍କ କଥା ବହୁ ମାତ୍ରାରେ ଶୁଣାଯାଉଛି। ତୃତୀୟ ମହଲା, ଭୁବନେଶ୍ୱର ଏବଂ ପୁରୀ ଲୋକସଭା ଏମପି ପିନାକୀ ମିଶ୍ରଙ୍କ ଏକ ସମର୍ଥନ ତାଙ୍କ ପ୍ରତି ରହିଛି। ତେଣୁ ଅନ୍ୟ କାହାକୁ ପ୍ରାର୍ଥୀ କଲେ ଶୁଭାଶିଷଙ୍କୁ କିପରି ମନାଇବେ, ତାହା ମଧ୍ୟ ନେତୃତ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଛି।   

Leave a Reply

Your email address will not be published. Required fields are marked *