ଧୋଇଗଲା ଦ୍ୱିତୀୟ ଦିନର ବିଧାନସଭା..ଆଦିବାସୀ ଜମି ପ୍ରସଙ୍ଗରେ ପ୍ରଥମାର୍ଦ୍ଧରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ଠିକ୍ ଭାବେ ଚାଲିପାରିନାହିଁ।  ପ୍ରଥମାର୍ଦ୍ଧରେ ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଏହା ପରେ ଗୃହକୁ ଦିନ ୧୨ଟା ଏକ ମିନିଟ୍ରୁ ୪୫ ମିନିଟ୍ ଯାଏଁ ମୁଲତବୀ କରାଯାଇଥିଲା। ଏହା ପରେ ଡକାଯାଇଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ଏହା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନ ଥିଲା।  ବାଚସ୍ପତି ଶେଷରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଥିଲେ। ଆଜି ପ୍ରଥମାର୍ଦ୍ଧରେ ବିଧାନସଭା କାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡମାନ ଧରି ଗୃହ ମଧ୍ୟଭାଗକୁ ଆସିବା ସହିତ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅନୁରୋଧ ସତ୍ୱେ ସେମାନେ ନିଜ ନିଜ ଆସନକୁ ଫେରି ନ ଥିଲେ ।

ପ୍ରଶ୍ନକାଳରେ ବାଚସ୍ପତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟ୍ଟଗୋଳ ମଧ୍ୟରେ ଶ୍ରୀ ଉତ୍ତର ପଢୁଥିଲେ ମଧ୍ୟ ତାହା ଶୁଣାଯାଉନଥିଲା । ବିରୋଧି ସଦସ୍ୟମାନେ ଗୃହରେ ହଟଗୋଳ ଜାରି ରହିବାରୁ ବାଚସ୍ୱତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ଗତ କ୍ୟାବିନେଟ୍‍ ବୈଠକରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ ଖରିଦ କରିପାରିବେ ବୋଲି ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । କିନ୍ତୁ ପରେ ଏହି ମଞ୍ଜୁରୀକୁ ପ୍ରତ୍ୟାହାର କରି ନିଆଯାଇଛି । ରାଜ୍ୟରେ ଯେତିକି ଆଳୁ ଚାହିଦା ରହିଛି ତାହାର ମାତ୍ର ୨୫% ଉତ୍ପାଦନ ହେଉଛି ବୋଲି ଗୃହରେ ପ୍ରଦାନ କରାଯାଇଥିବା ଏକ ଉତ୍ତରରୁ ଜଣାପଡିଛି। ଫଳରେ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ  ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆଳୁ ଆମଦାନୀ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଏହି ଉତ୍ତର ପ୍ରଦାନ କରାଯାଇଛି।  ଓଡିଶାରେ ବାର୍ଷିକ ୧୩ଲକ୍ଷ ୨୫ହଜାର ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ । ତେବେ ରାଜ୍ୟରେ ଚାହିଦାର ମାତ୍ର ୨୫ ପ୍ରତିଶତ ଆଳୁ ଉତ୍ପାଦିତ ହେଉଛି । ଖାଉଟିମାନଙ୍କର ଆବଶ୍ୟକତା ମେଣ୍ଟାଇବାପାଇଁ ସାଧାରଣତଃ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରାଯାଇଥାଏ । ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ମଧ୍ୟ ଭଲ ଭାବରେ ଚାଲିପାରି ନ ଥିଲା। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଆସନ୍ତାକାଲି ଅର୍ଥାତ ଗୁରୁବାର ଯାଏଁ ମୁଲତବୀ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବିଭିନ୍ନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ସେହିପରି ବିଧାନସଭାରେ ଭୂ-ସଂସ୍କାର ଦ୍ୱିତୀୟ ସଂଶୋଧନ ବିଧେୟକ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *