ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି । ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ । ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ। ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ। ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ।ଯୋଗାଯୋଗ ବିକାଶର ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ୍ମୀ ବସ୍ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀକୁ ହସ୍ପିଟାଲ ମଧ୍ୟ ନେବ। ମା ମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ ।
।